ମା’ ଓ ଝିଅ, କୀର୍ତ୍ତି ମହାନ୍ତି ଓ ଶୀତଲ। ମାଙ୍କ ଦ୍ବାରା ପ୍ରେରଣା ହେଇ ଅଭିନୟ ଜଗତରେ ପାଦ ଥାପିଛନ୍ତି। କୀର୍ତ୍ତି ମହାନ୍ତି ମଞ୍ଚ ନାଟକରୁ ଟେଲିଭିଜନ୍ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଛନ୍ତି। ଝିଅ ଶୀତଲ ପାଠ ପଢ଼ିବ, ଡାକ୍ତର ହେବ କି ଇଞ୍ଜିନିୟର ଅଥବା ଏମବିଏ କରିବ କି ଆଇଏସ୍ ହେବ, ଏତେ ସବୁ ସ୍ବପ୍ନ ଥିଲା, ମାତ୍ର ମା’ଙ୍କ ରାସ୍ତାରେ ଯେ ଝିଅ ପାଦ ରଖିବ କଳ୍ପନା ବି କରି ନଥିଲେ ଅଭିନେତ୍ରୀ କୀର୍ତ୍ତି। ସତକୁସତ ମା’ଙ୍କ ରାସ୍ତାରେ ଆସି ଆଜି ଶୀତଲ ଗୁଣମୁଗ୍ଧ ଅଭିନେତ୍ରୀ ପାଲଟିଗଲେ। ଉଭୟ ଟେଲି ଧାରାବାହିକ ‘ରାନୀ’ରେ ଅଭିନୟ କରି ଯେତିକି ପରିଚିତ ହେଇଥିଲେ, ଏବେ ମଞ୍ଚ ନାଟକ ‘ଆଷାଢ଼ରେ ଦିନେ’ରେ ମା ଓ ଝିଅ ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ଆହୁରି ଚକିତ କରିଛନ୍ତି। ଏଥରର ଯୁଗଳବନ୍ଦୀରେ ମା’ କୀର୍ତ୍ତି ଓ ଝିଅ ଶୀତଲଙ୍କ ସମ୍ପର୍କରେ କିଛି ଅନ୍ତରଙ୍ଗ କଥା।
ଛୋଟ ଓ ବଡ଼ ପରଦାରେ ଅଭିନୟ କରେ, କିନ୍ତୁ ମଞ୍ଚରେ ବି ଅଭିନୟ କରେ। ଅଭିନୟ କହିବାକୁ ଗଲେ ଅଭିନୟ ମୋର ନିଶା ଓ ପେସା। ମଣିଷ ହାତରେ କିଛିନାହିଁ ଭଗବାନ ଆମକୁ ଯେମିତି ଗଢିଛନ୍ତି ଆମେ ସେମିତି ହେଇଛୁ। ମୁଁ ଓଡ଼ିଶୀ ନୃତ୍ୟରେ ପିଜି କରିଛି, ପରେ ଅଭିନୟ ଜଗତକୁ ଆସିଲି। ଯେତେବେଳେ ମୁଁ ଓଡ଼ିଶୀ ଶିଖୁଥିଲି ସାରା ଦେଶର ପ୍ରତିଷ୍ଠିତ ମଞ୍ଚରେ ନୃତ୍ୟ ପରିବେଷଣ କରିଛି। ଦୂରଦର୍ଶନରେ ପ୍ରଥମେ ଗୋଟେ ନାଟକ ଟିଭି ପରଦାରେ ଆସିଲା, ବୋହୂ ଚରିତ୍ରରେ ଅଭିନୟ ଆରମ୍ଭ କଲି ଦର୍ଶକ ପସନ୍ଦ କରି କହିଲେ- ଆରେ ତୁମେ ତ ବହୁତ ବଢ଼ିଆ ଅଭିନୟ କରୁଛ! ଯେତେବେଳେ ବାସ୍ତବ ଜୀବନରେ ବିବାହ କଥା ଆସିଲା ମିଡିଲ୍କ୍ଲାସ୍ ଫ୍ୟାମିଲି ମୋ ବାପା ଭାଗବତ ପ୍ରସାଦ ମହାନ୍ତିଙ୍କ ଅଭିନୟ କଳା ଥିଲା, ବୋଉ କବିତା ମହାନ୍ତି ମଧ୍ୟ ଅଭିନୟକୁ ଭଲ ପାଉଥିଲେ। ବାପା ଚାହୁଥିଲେ ମୋ ଠାରୁ ମୋ ପିଲା ଦୁଇପାଦ ଆଗକୁ ଯାଆନ୍ତୁ। ମୁଁ କେବେ ଭାବି ନ ଥିଲି ଯେଉଁ ପଥ ଅନୁସରଣ କରିଛି ମୋ ପିଲାମାନେ ସେହିପଥରେ ଯିବେ ବୋଲି।
ମୁଁ ଭାବୁଥିଲି ମୋ ପିଲାମାନେ ପାଠ ପଢ଼ିବେ, ଚାକିରି କରିବେ। ହେଲେ ମ୍ୟାନ୍ ପରପୋଜେସ୍, ଗଡ୍ ଡିସପୋଜେସ୍। ହଠାତ୍ ଏମିତି ଦିନେ ବସିଛି ଫୋନ୍ ଆସିଲା ପ୍ରଡ୍ୟୁସର୍ଙ୍କର ଯେ ତୁମ ସାନଝିଅ ଆମର ସିରିଏଲ୍ ‘ରାନୀ’ ରୋଲ୍ କରିବ। ମୁଁ କହିଲି ନା ନା, ସେତେବେଳେ ସେ ଷ୍ଟାଣ୍ଡାର୍ଡ ଥ୍ରୀ ପରୀକ୍ଷା ଦେଇଛି। ସେ ଅଡିସନ୍ ଦେଲା ପରେ ସେମାନେ କହିଲେ କ’ଣ କୀର୍ତ୍ତି ମହାନ୍ତିଙ୍କ ଝିଅ ପୁଣି ଅଭିନୟ କରିପାରିବନି, ଅବଶ୍ୟ ମୋତେ ଖୁସି ଲାଗିଥିଲା। ସାନ ଝିଅ ସିମରନ୍ ୧୨ ମାସ ପରେ ବାଳିକା ବଧୂ ଭଳି ଶାଢ଼ି ପିନ୍ଧି ଅଭିନୟ କଲା। ହେଲେ ରାନୀ ଚରିତ୍ର ବଡ଼ ହେଲାପରେ ସେମାନେ ଖୋଜିଲେ ବଡ଼ ରାନୀ କିଏ କରିବ। ସେଇଠୁ ସେମାନେ ମୋ ବଡ଼ଝିଅକୁ ନେଇ ବଡ଼ ରାନୀ ସଜେଇଦେଲେ। ‘ଚିଠି’ ବୋଲି ଗୋଟେ ନାଟକ ଥିଲା ସେ ନାଟକରେ ସାନଝିଅ ଅଭିନୟ କରିଥିଲା। ବଡ଼ଝିଅ ସହିତ ମୁଁ ମଧ୍ୟ ଦୁଇଟି ନାଟକ କରିଛି ‘ଆଷାଢ଼ରେ ଦିନେ’ ଯେଉଁଟି ମୋହନ ରାକେଶଙ୍କ ଲେଖା ‘ଆଷାଢ଼ କେ ଏକ୍ଦିନ୍’ର ଓଡ଼ିଆ ଭର୍ସନ୍। ଏହାକୁ ଅନୁବାଦ କରିଥିଲେ ରତ୍ନମାଳା ସ୍ବାଇଁ। କେବେ କେବେ ମୁଁ ଝିଅମାନଙ୍କୁ କହିଛି ତୁମର ଏଇ ଅଭିନୟଟି ଭଲ ଲାଗିଲା, ସେତେବେଳେ ଦୁଇଝିଅ ଆସି ମୋତେ କୁଣ୍ଢେଇ ପକାଇ ଖୁସି ହେଲେ। କେବଳ ମୁଁ ନୁହେଁ ମୋ ସ୍ବାମୀ ମଧ୍ୟ ସପୋର୍ଟ କରନ୍ତି।
ମୋ ଝିଅମାନେ ମଧ୍ୟ ପିଲାବେଳୁ ଭଲ ରୋଷେଇ କରନ୍ତି ଏବଂ ଘରକୁ ମ୍ୟାନେଜ୍ କରନ୍ତି। ଆମର ଏଇଟା ହେଉଛି ପୁରୁଷେକୖନ୍ଦ୍ରିକ ସମାଜ, ଯଦିଓ ମହିଳାଙ୍କୁ ସୁଯୋଗ ମିଳୁଛି ତଥାପି ନାରୀମାନେ କେବେ କେବେ ସଂକୋଚବୋଧ କରନ୍ତି ଆମେ କ’ଣ କରିବୁ, ଆମକୁ ସପୋର୍ଟ ମିଳିବ କି ନାହିଁ! କିନ୍ତୁ ମୋ ଦୁଇ ଛୁଅାଙ୍କ ପାଖରେ ମୁଁ ସେ ଜିନିଷ ଦେଖିଛି ଯେ ସେମାନେ ସଙ୍ଘର୍ଷ କରିବା ପାଇଁ ଭଲ ପାଆନ୍ତି। ମୁଁ ତାଙ୍କୁ ଗାଇଡ୍ କରେ, କହେ କ’ଣ ଶିଖିବାର ଅଛି ଶିଖ। କୌଣସି ଲୋକ ପାଖରେ ଯଦି କିଛି ଭଲ ଗୁଣ ଦେଖୁଛ ତାକୁ ଗ୍ରହଣ କର, ଖରାପ ଗୁଣକୁ ପରିତ୍ୟାଗ କର। ଶୀତଲ କେବେ ବି ଅବାଧ୍ୟ ହେଇନି। ଏବେ ଗୋଟେ ନାଟକ ‘ଆଷାଢ଼ରେ ଦିନେ’ରେ ଆମେ ଉଭୟ ଅଭିନୟ କଲୁ। ଆରମ୍ଭରୁ ଶେଷ ଯାଏ ସେ ମଞ୍ଚ ଉପରେ ଥିଲା। ମୁଁ ଭାବୁଥିଲି ସେ କେମିତି କରିବ ଏତେବଡ଼ ନାଟକ, ଏଭଳି କ୍ଳୀଷ୍ଟ ସଂଳାପ, ସେ କରିପାରିବ ତ! ଘରେ କଥା ହେବାବେଳେ ଅାମେ ହିନ୍ଦୀ, ଇଂଲିଶ୍, ଓଡ଼ିଆ ମିଶାମିଶି କରି କଥାଦେଉ। ମୋ ମନ ଭିତରେ ଡର ଥିଲା। ହେଲେ ମୁଁ ତା ଆଗରେ ପ୍ରକାଶ କରି ନ ଥିଲି। ମୁଁ ତାକୁ ଦେଖେ ବହୁତ ଅଳ୍ପ ବୟସର ଅଭିଜ୍ଞତା, ହେଲେ ସେ ପାରୁପର୍ଯ୍ୟନ୍ତ ଚେଷ୍ଟା କରେ।
ସେ ଯେତେବେଳେ ଦୁଇବର୍ଷ ଅଢ଼େଇ ବର୍ଷର ହୋଇଥିଲା ସେତେବେଳେ ମୁଁ ଗୋଟେ ଡ୍ୟାନ୍ସ୍ସ୍କୁଲ୍କୁ ଯାଉଥିଲି। ନୃତ୍ୟ ଶିକ୍ଷୟିତ୍ରୀ ଭାେବ ଓଡ଼ିଶୀ ଶିଖାଉଥାଏ। ସେ ଦୁଇ ଅଢ଼େଇ ବର୍ଷର ହୋଇଥିଲା। ସେତେବେଳେ ମୁଁ ଯେଉଁ ମୁଦ୍ରା ପିଲା ମାନଙ୍କୁ ଶିଖାଉଥିଲି ହଠାତ ମୁଁ ଦିନେ ଘରେ ବସିଛି ସିଏ ଖନେଇ ଖନେଇ ମୂଦ୍ରା ନା ସବୁ କହିଚାଲିଲା। ମୁଁ ପଚାରିଲି ତୁ ଜାଣିଛୁ ଯଦି କହିଲୁ। ସେ କହିବା ଆରମ୍ଭ କଲା ସବୁ ମୂଦ୍ରାର ନାମ। ମୁଁ ସେଇଠୁ ଭାବିଲି ଏ ପିଲା ମୋତେ ଯଥେଷ୍ଟ ଅନୁକରଣ କରୁଛି, ମୋ କଳାକୁ ଭଲପାଉଛି। ସେ ପିଲାବେଳୁ ଯେମିତି ଥିଲା ସେମିତି ଅଛି। ମୋ ଦୁଇଝିଅ ମୋ ପାଇଁ ସୁନା। ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ମୋ ଝିଅ ମୋତେ ସବୁଜନ୍ମରେ ମିଳନ୍ତୁ, ମୋ ପରିଚୟରେ ସେମାନେ ପରିଚିତ ନ ହୋଇ ମୁଁ ସେମାନଙ୍କ ପରିଚୟରେ ପରିଚିତ ହୁଏ, ସମେସ୍ତ କହନ୍ତୁ ଇଏ ଶୀତଲର ମା ବୋଲି। ସେଇ ସମ୍ମାନ କେବେ ମିଳିବ ସେ ଦିନକୁ ମୁଁ ଅପେକ୍ଷା କରିଛି।
ଶୀତଲ ଏବେ +୩ର ଛାତ୍ରୀ। ସେ କହନ୍ତି ମୋ ଭଉଣୀ ରାଣୀ ଅଭିନୟ କରିଥିଲା, ମହାପ୍ରସାଦ କର ସେଇ ନାଟକରେ ରାଜା ହେଇଥିଲେ। ଛୋଟ ପିଲାଟି ଚାଲିବା ବେଳକୁ ଝୁଣ୍ଟେ ମୋତେ ବାପା, ମା ଓ ଭଉଣୀ ଅଭିନୟ ଶିଖାଇଥିଲେ। ମୋ ମାମା ମୋତେ ଅଭିନୟରେ ଟେକ୍ନିକାଲ ଦିଗ ସମ୍ପର୍କରେ ବୁଝେଇଛନ୍ତି। ସେ କହନ୍ତି, ଆମେ ଏମିତି କ’ଣ କରିବା ଯାହା ଦର୍ଶକଙ୍କୁ ଭିନ୍ନ ଲାଗିବ। ଗୋଟେ ଡାଇଲଗ୍ ପଢ଼ିକି ମାମା ଆମକୁ ଅଲଗା ପ୍ରକାର ବୁଝାନ୍ତି। ସାମ୍ନା ଲୋକର ଭାବନା ମାମା ଶିଖେଇଛନ୍ତି। ‘ରାନୀ’ ଓ ‘ରଖିଲେ ସିଏ ମାରିବ କିଏ’ ଓ ‘ଝିଅ ଆମର ନୂଆବୋହୂ’ ଏ ସବୁରେ ମାମା େନଗେଟିଭ୍ ରୋଲ୍ କରିଛନ୍ତି। ଆମେ ଦି ଭଉଣୀ ଯଦି ରାଗିକି କାହାକୁ କିଛି କହୁ, ସେ ଆମକୁ ବାରଣ କରନ୍ତି। ଆମେ ଦର୍ଶକଙ୍କୁ ଇରିଟେଟ୍ କରିବା ଉଚିତ ନୁହେଁ। ‘ରାନୀ’ ସିରିଏଲ୍ରେ ମୁଁ ମାମାଙ୍କ ସହ କାମ କରିଛି। ନାଟକ ‘ଚୁହନ୍’ରେ ମୋର ଥିଲା ଆରତୀ ଚରିତ୍ର ଏବଂ ‘ଆଷାଢ଼ କୀ ଦିନ’ରେ ଥିଲା ମଲ୍ଲିକା ଚରିତ୍ର। ଦୁଇଟି ନାଟକରେ ମୋ ମାମା ବହୁତ ସାହାଯ୍ୟ କରିଛନ୍ତି। ମାମା କହନ୍ତି- ଅଭିନୟରେ ଏଇଟା ଏମିତି ହୁଏ, ସେଇଟା ସେମିତି ହୁଏ। ମୋର ପାଠପଢ଼ା ଅଛି, ତା’ ଭିତରେ ସମୟ ବାହାର କରି ମୁଁ ନିଜର ମ୍ୟୁଜିକ୍ ଭିଡିଓ ସୁଟ୍ କରୁଛି, ସବୁବେଳେ କୌଣସି କ୍ରିଏଟିଭ୍ କଣ୍ଟେଣ୍ଟ ମଧ୍ୟ ଭାବୁଛି। ମୋ ମା’ ମୋ ପାଇଁ ଆଦର୍ଶ ଓ ପ୍ରେରଣା। ମାମା କେମିତି ଏତେ ବଢ଼ିଆ ଅଭିନୟ କରୁଛନ୍ତି, ଦେଖିଲେ ବେଳେ ବେଳେ ଈର୍ଷା ହୁଏ। ମୁଁ ପଚାରେ ଏତେ ସୁନ୍ଦର ଅଭିନୟ କେମିତି କରୁଛୁ, ସେ କହେ ମୁଁ କହିପାରିବିନି। ମୁଁ କହେ ତୋ ଭଳିଆ ମୁଁ ବି କରିଦେବି, ହେଲେ ଭିତରେ ଡର ଥାଏ, ସତରେ କ’ଣ ମୁଁ କରିପାରିବି। ଆଜି ଦର୍ଶକ ଦେଖି ଯାହା ଜାଣୁଥିବେ।
ପ୍ରସ୍ତୁତି: ସତ୍ୟ ପାଣିଗ୍ରାହୀ