ଏଥର ଦଶହରା ସିନେମାରେ ନାୟକ ଅନୁଭବ ଓ ଅର୍ଦ୍ଧେନ୍ଦୁ ଏବଂ ନାୟିକା ଅନୁରାଧା, ଶିବାନୀ, ଏଲିନା ଓ ଲିପିଙ୍କୁ ଦେଖିବାକୁ ମିଳିଛି। ହେଲେ ଏଥରକୁ ମିଶାଇ ୯ ବର୍ଷ ହେଲା ପୂଜା ବଜାରରେ ଓଲିଉଡ୍ର ସୋବର୍ ବୟ ସବ୍ୟସାଚୀଙ୍କ ଅଭିନୀତ ସିନେମା ରିଲିଜ୍ ହୋଇନାହିଁ। ଅର୍ଥାତ, ୨୦୧୭ରୁ ୨୦୨୫ ମଧ୍ୟରେ ଦଶହରାରେ ମୁକ୍ତିଲାଭ କରିଥିବା ଛବିଗୁଡ଼ିକ ମଧ୍ୟରେ ସବ୍ୟସାଚୀଙ୍କ କୌଣସି ଫିଲ୍ମ ନାହିଁ। ଶେଷ ଥର ପାଇଁ ୨୦୧୬ ପୂଜା ବଜାରରେ ସବ୍ୟସାଚୀଙ୍କୁ ଦର୍ଶକ ମଞ୍ଜରୀ ମୁଭିଜ୍ ପ୍ରଯୋଜିତ ତଥା ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ‘ଛାତି ତଳେ ଡିଂ ଡଙ୍ଗ୍’ରେ ଦର୍ଶକ ଦେଖିବାକୁ ପାଇଥିଲେ। ଏହି ଫିଲ୍ମରେ ସମ୍ବିତ୍, ବର୍ଷା ପ୍ରିୟଦର୍ଶିନୀ, ଅର୍ଚ୍ଚିତା ଓ ଶକ୍ତି କପୁରଙ୍କ ଭଳି ନାମୀ ତାରକା ମଧ୍ୟ ଥିଲେ। ତେବେ ସବ୍ୟସାଚୀ ଆଗରୁ ଅନେକ ଥର ପୂଜା ବଜାରର ସିନେମାରେ ନଜର ଆସିଛନ୍ତି। ତାଙ୍କ ଅଭିନୀତ ‘ମତେ ଆଣି ଦେଲ ଲକ୍ଷେ ଫଗୁଣ’, ‘ବନ୍ଦେ ଉତ୍କଳ ଜନନୀ’, ‘ଲଭ୍ ଡଟ୍ କମ୍’ ଓ ‘ଚାନ୍ଦିନୀ ଆଇ ମିସ୍ ୟୁ’ ପୂଜା ବଜାରରେ ମୁକ୍ତିଲାଭ କରିଥିଲା।
ନଅ ବର୍ଷ ହେଲା ପୂଜାରେ ମୁକ୍ତିଲାଭ କରିଥିବା କୌଣସି ଓଡ଼ିଆ ଛବିରେ ନଜର ଆସିନାହାନ୍ତି ଓଲିଉଡ୍ର ଆଗଧାଡ଼ିର ନାୟକ ସବ୍ୟସାଚୀ ଓ ନାୟିକା ବର୍ଷା ପ୍ରିୟଦର୍ଶିନୀ।
ଠିକ୍ ସେହିପରି ଓଲିଉଡ୍ର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କର ବି ୯ ବର୍ଷ ହେଲା ପୂଜା ବଜାରରେ କୌଣସି ଓଡ଼ିଆ ଛବି ମୁକ୍ତିଲାଭ କରିନାହିଁ। ତାଙ୍କୁ ଶେଷ ପୂଜା ଛବି ଥିଲା ୨୦୧୬ର ‘ଛାତି ତଳେ ଡିଂ ଡଙ୍ଗ୍’। ପ୍ରଖ୍ୟାତ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ‘ସାବତ ମା’ ଥିଲା ବର୍ଷା ପ୍ରିୟଦର୍ଶିନୀଙ୍କର ପ୍ରଥମ ପୂଜା ସିନେମା। ଏହାପରେ ତାଙ୍କୁ ‘ନେଇ ଯାରେ ମେଘ ମତେ’, ‘ପର୍ଶୁରାମ’ , ‘କେହି ଜଣେ ଭଲ ଲାଗେରେ’ ଓ ‘ମେଣ୍ଟାଲ୍’ ଆଦି ପୂଜାରେ ମୁକ୍ତିପ୍ରାପ୍ତ ସିନେମାରେ ଦେଖିବାକୁ ପାଇଥିଲେ ଦର୍ଶକ।-ଶିବଶଙ୍କର ଓଝା