‘ୟେହୈ ମୋହବତେ’ ଧାରାବାହିକରେ ସଗୁନ୍ ଚରିତ୍ରରେ ଘରେ ଘରେ ପରିଚିତ ପାଲଟିଥିଲେ ଅନିତା ହସନନ୍ଦନୀ। ନିଜ ଅଭିନୟ ଦକ୍ଷତା ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ବେଶ୍ ଜଣାଶୁଣା ସେ। ଏକ ସମୟରେ ଅନିତା ଓ ଟେଲିଭିଜନ୍ ଅଭିନେତା ଏଜାଜ୍ ଖାଁଙ୍କ ସହ ପ୍ରେମ ସଂପର୍କ ବେଶ୍ ଚର୍ଚ୍ଚାରେ ଥିଲା। ନିକଟରେ ଏକ ସାକ୍ଷାତ୍କାରରେ ସେ ତାଙ୍କ ପୂର୍ବ ପ୍ରେମିକଙ୍କ ସଂପର୍କରେ ଏମିତି କିଛି କଥା କହିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଅନିତାଙ୍କ କହିବା ଅନୁଯାୟୀ, ଏଜାଜ୍ଙ୍କ ସହ ତାଙ୍କର ଦୀର୍ଘଦିନର ସଂପର୍କ ହୋଇଥିଲେ ହେଁ ବିବାହରେ ତାହା ରୂପାନ୍ତରିତ ହୋଇପାରି ନଥିଲା। କାରଣ ତାଙ୍କ ମାଆ ଏହି ସଂପର୍କର ବିରୋଧୀ ଥିଲେ। ଏଜାଜ୍ ଥିଲେ ଭିନ୍ନ ଧର୍ମୀ। ତେବେ ଅନିତା ଆହୁରି ବି କହିଛନ୍ତି ଯେ ଏଜାଜ୍ ତାଙ୍କ ଧର୍ମ ପରିବର୍ତ୍ତନ କରିବାକୁ ଚାହୁଥିଲେ, ଯାହାକି ତାଙ୍କ ପାଇଁ ଖୁବ୍ କଠିନ ଥିଲା। ଏପଟେ ସେ ସଂପର୍କ ଭାଙ୍ଗିବା ମାନସିକତାରେ ବି ନଥିଲେ। ଏଭଳି ଏକ ସ୍ଥିତିରୁ ବାହାରିବା ପାଇଁ ତାଙ୍କୁ ବର୍ଷ ବର୍ଷ ସମୟ ଲାଗିଗଲା। ଅନିତାଙ୍କ ମତରେ, ‘‘ଯଦି କେହି ଆପଣଙ୍କୁ ବଦଳାଇବାକୁ ଚାହେ, ତ ତାହା ପ୍ରେମ ନୁହେଁ। ମାତ୍ର ସେ ସମୟରେ ମୁଁ ଏହାକୁ ବୁଝିପାରୁ ନଥିଲି ଓ ଭଲପାଇବା ପାଇଁ ନିଜକୁ ବଦଳାଇବାକୁ ବି ପ୍ରସ୍ତୁତ ହୋଇ ଯାଇଥିଲି। ଆମେ ଦୁହେଁ ବ୍ୟକ୍ତିଗତ ଭାବେ ମଣିଷ ହିସାବରେ ଖୁବ୍ ଭଲ, ମାତ୍ର କେହି କାହା ପାଇଁ ଭଲ ସାଥୀ ନଥିଲୁ। ତେବେ ଏବେ ମୁଁ ପଶ୍ଚାତାପ କରୁଛି ଯେ ସେ ଅସଫଳ ସଂପର୍କ ଲାଗି ମୁଁ ବହୁତ ଭଲ ସୁଯୋଗ ଛାଡ଼ିଦେଇଛି।’’
ସୂଚନାଯୋଗ୍ୟ ଯେ ଅନିତା ୨୦୧୩ ମସିହାରେ ରୋହିତ ରେଡ୍ଡିଙ୍କୁ ବିବାହ କରିଛନ୍ତି।