‘ମୁଁ ୪ ବର୍ଷର ହୋଇଥିବା ବେଳେ ଏକ ଦୁର୍ଘଟଣାରେ ବାପା ଚାଲିଗଲେ। ମୁଁ ଓ ମୋର ୩ ଭାଇ କୋରାପୁଟରୁ ମାମୁଘର କଟକ ପଳାଇ ଆସିଲୁ। ଆମେ ଆସିବାର ମାସକ ପରେ ମୋର ଆଉ ଜଣେ ସାନଭାଇ ଜନ୍ମହେଲା। ମାଆ ଜୟପୁରରେ ଶିକ୍ଷୟିତ୍ରୀ ଥାଆନ୍ତି। ସେ ତାଙ୍କ ପାଖରେ ନବଜନ୍ମିତ ସାନଭାଇକୁ ରଖିଲେ ଓ ଆମେ ୩ଭାଇ ଅଜାଙ୍କ ଘରେ କଟକରେ ରହିଲୁ।
ପ୍ରତ୍ୟେକ ଖରାଛୁଟି ଓ ପୂଜାଛୁଟିରେ ମାଆ କଟକ ଆସନ୍ତି। ଆମେ ସମସ୍ତେ ଆଗରୁ ଜାଣିଥାଉ ଯେ ମାଆ ଆସିବେ ବୋଲି। ମାଆଙ୍କ ଆସିବାର ୨-୩ ଦିନ ପୂର୍ବରୁ ମୋତେ ଆଉ ନିଦ ହୁଏନି। ସବୁବେଳେ ମନରେ ସେଇ ଗୋଟାଏ କଥା, ମାଆ ଆଉ କେତେ ସମୟ ପରେ ଆସିବେ! ଯେଉଁଦିନ ମାଆ ଅାସନ୍ତି ଆମେ ସମସ୍ତେ ତାଙ୍କୁ ଆଣିବା ପାଇଁ ମାମୁଙ୍କ ସଙ୍ଗରେ ଷ୍ଟେସନ୍ ଯାଉ। ମୁଁ ପ୍ଲାଟ୍‌ଫର୍ମରେ ଅପେକ୍ଷା କରିଥାଏ କେତେବେଳେ ମା’ଙ୍କ ଟ୍ରେନ୍‌ ଲାଗିବ। ବହୁ ଦୂରରୁ ଗୋଟାଏ ଆଲୋକ ଦିଶେ। ସେଇ ଧାରେ ଆଲୁଅ ଦେଖିଦେଲେ ମୋ ମନରେ ଶିହରଣ ଖେଳିଯାଏ। ଧୀରେ ଧୀରେ ଟ୍ରେନ୍‌ର ସେ ଲାଇଟ୍ ପାଖକୁ ପାଖକୁ ଆସେ। ସେଇ ମୁହୂର୍ତ୍ତରେ ମନ ଭିତରେ ଯେଉଁ ଉଦ୍‌ବେଳନ ହୁଏ, ତାହା ଭାଷାରେ ବର୍ଣ୍ଣନା କରି ହେବନି। ମାଆ ଆସି ଓହ୍ଲେଇ ପଡ଼ନ୍ତି। ମୁଁ ଦୌଡ଼ିଯାଇ କେବେ କୁଣ୍ଢେଇ ପକେଇନି ସତ, ହେଲେ ତାଙ୍କୁ ଦେଖି ଦେବା ମାତ୍ରକେ ମୋ ମନ ଆନନ୍ଦରେ ଭରିଯାଏ।
ମାଆ ଯେଉଁ ୭-୮ ଦିନ ରହନ୍ତି ମୁଁ ତାଙ୍କ ପାଖ ଛାଡ଼େନି। ତାଙ୍କ ଚାରିପାଖରେ ଘୂରିବୁଲୁଥାଏ। ହେଲେ ଯେଉଁଦିନ ତାଙ୍କ ଫେରିଯିବା କଥା ଉଠେ, ମୋ ଦେହରୁ ଯେମିତି ଜୀବନ ଚାଲିଯାଏ। ମୁଁ ବିବ୍ରତ ହୋଇଉଠେ। ମୋତେ ସମସ୍ତେ ବହୁତ ବୁଝାନ୍ତି। ହେଲେ ମୋ ମନ ଜମା ବୁଝେନି। ଯେମିତି ମାଆଙ୍କୁ ଆଣିବା ପାଇଁ ଷ୍ଟେସନ୍ ଯାଇଥାଏ, ସେମିତି ତାଙ୍କୁ ଛାଡ଼ିବା ପାଇଁ ବି ଷ୍ଟେସନ୍ ଯାଏ। ପ୍ଲାଟ୍‌ଫର୍ମରେ ଟ୍ରେନ୍‌କୁ ଅପେକ୍ଷା କରେ। ପୁଣି ଦୂରରୁ ଏକ ଆଲୋକ ଦିଶେ। ଏ ଆଲୋକ କିନ୍ତୁ ସେ ଆଲୋକ ପରି ହୋଇ ନଥାଏ। ସେ ଆଲୋକ ଦେଖି ଖୁସିରେ ଦେହରେ ଶିହରଣ ଖେଳେ ସିନା, ଏ ଆଲୋକ କିନ୍ତୁ ଛାତିରୁ ଅତଡ଼ା ଖସାଇଦିଏ।
ଟ୍ରେନ୍ ଆସି ପ୍ଲାଟ୍‌ଫର୍ମରେ ଲାଗେ। ମାଆ ଟ୍ରେନ୍‌ରେ ବସନ୍ତି। ନିଜିଷପତ୍ର ଟ୍ରେନ୍‌କୁ ଉଠିବା ଭିତରେ ମୁଁ ଯାଇ ଡବା ଭିତରେ ତାଙ୍କ ପାଖରେ ବସି ଯାଇଥାଏ। ଟ୍ରେନ୍ ଛାଡ଼ିବା ସମୟ ହେଉଥିଲେ ବି ମୁଁ  ଜମାରୁ ସେଠୁ ଉଠେନି। ମୋତେ ଯେତେ ବି ଟଣାଓଟରା କରନ୍ତି, ମୁଁ  କିନ୍ତୁ ଟ୍ରେନ୍‌ର ରେଲିଂ ଛାଡ଼େନି। ଶେଷରେ ମୋତେ ଟ୍ରେନ୍‌ରୁ ଟେକି ଟେକି ବାହାରକୁ ନେଇ ଆସନ୍ତି। ମୋ ମାଆ ବସିଥିବା ଟ୍ରେନ୍‌ଟି ଧୀରେ ଧୀରେ ମୋ ଆଖି ସାମ୍ନାରୁ ଉଭେଇଯାଏ।
ଇଏ ପଚାଶ ବର୍ଷ ତଳର କଥା। ଇତିମଧ୍ୟରେ‌ ମୋ ମା’ଙ୍କର ଦେହାନ୍ତ ବି ହୋଇଗଲାଣି। ହେଲେ ଆଜି ଏ ସ୍ମୃତି ମୋ ଆଖି ଆଗରେ ଏମିତି ଝଲସୁଛି; ଯେମିତି ଗତକାଲି ଘଟିଛି।’’