ଜଗାବଳିଆ’ରୁ ଓଲିଉଡ୍ରେ ଅଭିନୟ ଯାତ୍ରା ଆରମ୍ଭକରି ପରବର୍ତ୍ତୀ ସମୟରେ ବହୁ ଛବିରେ ଭିନ୍ନ ଭିନ୍ନ ଚରିତ୍ରରେ ପରଦାକୁ ଆସି ଦର୍ଶକଙ୍କ ମନ ଛୁଇଁଛନ୍ତି ଶଙ୍କର ବସୁମଲ୍ଲିକ। କେବଳ ସିନେପରଦା ନୁହେଁ, ମୋଗଲ୍ ତାମ୍ସା ଭଳି ଲୋକନାଟ୍ୟରୁ ନେଇ ଟେଲିଧାରାବାହିକ ପର୍ଯ୍ୟନ୍ତ ବିଭିନ୍ନ ମଞ୍ଚରେ ୪୦ବର୍ଷରୁ ଅଧିକ କାଳ ଧରି ସକ୍ରିୟ ରହି ଦର୍ଶକଙ୍କ ମନ ଜିଣିଛନ୍ତି ସେ। ଏଥର ପାଠକମାନଙ୍କ ସହ ନିଜ ଜୀବନର ଏକ ମଜାଦାର ସ୍ମୃତି ବାଣ୍ଟିଛନ୍ତି ଶଙ୍କରଦା’।
‘‘ସ୍ମୃତି; ସେ ଯେ ଅତୀତକୁ କରେ ତାଜା, ସ୍ମୃତି; ଯହିଁ ପିଲାଦିନ ପଡ଼େ ଖୋଜା। ଜୀବନ ପଥରେ ଆଗକୁ ବଢ଼ିବାର ରାସ୍ତା ଅଛି, ହେଲେ ପଛକୁ ଫେରିବାର ନାହିଁ। ଯଦି ଆମକୁ କେହି ପଛକୁ ଫେରେଇ ନେଇପାରେ; ତାହା ହେଉଛି ସ୍ମୃତି। ଛୋଟବେଳର କଥା। ଘରେ ମଟନ୍ ରନ୍ଧାହେଲେ ମୋ ମନ ଖୁସିରେ ଚହଲିଯାଏ! ସେ ସମୟର ମଟନ୍ ବାସ୍ନା ଏବେକା ପିଲା ଜାଣନ୍ତିନାହିଁ। ଜଣଙ୍କ ଘରେ ରନ୍ଧାହେଲେ ପଡ଼ିଶା ଘର ମହକି ଉଠେ। ମୋ ମାଆ ପ୍ରଖ୍ୟାତ ଔପନ୍ୟାସିକା ଗାୟତ୍ରୀ ବସୁମଲ୍ଲିକ ଲେଖାଲେଖିରେ ଯେମିତି, ରାନ୍ଧଣାରେ ବି ସେମିତି। ସେ ଯେବେ ମଟନ୍ ରୋଷଇ କରନ୍ତି; ମୋତେ ଉତ୍ସବ ଉତ୍ସବ ଲାଗେ। ମଟନ୍ ହାଣ୍ଡିରୁ ଭାସି ଆସୁଥିବା ବାସ୍ନା ମୋ ମନର
ଚୋରପଣିଆକୁ ଉସୁକାଏ। ମୁଁ ଜଗିଥାଏ, ମାଆ କେତେବେଳେ ଚୁଲି ଛାଡ଼ି ଦୂରକୁ ଯିବେ! ସେ ବାହାରକୁ ଯିବା ମାତ୍ରକେ ମୁଁ ହାଣ୍ଡିରେ ଥିବା ଦରସିଝା ମଟନ୍ରୁ ଖଣ୍ଡେ, ଦି’ଖଣ୍ଡ ଝାମ୍ପିନେଇ ଦୌଡ଼ିପଳାଏ। ଅନେକଥର ମାଆଙ୍କ ହାତରେ ଧରା ବି ପଡ଼ିଛି। ମାଆ ହସିଦେଇ ମୋ ମୁଣ୍ଡକୁ ଥାପୁଡ଼େଇ ଦିଅନ୍ତି। ହେଲେ ମୋତେ ଭାରି ଲାଜଲାଗେ। ଚୋରିକରି ଧରାପଡ଼ିବା ପରେ ଚୋରକୁ ଯେମିତି ଅନୁଭବ ହୁଏ, ମୁଁ ସେମିତି ହିଁ ଅନୁଭବ କରେ। ମାଆ ଯିବା ୧୨ବର୍ଷ ହେଲାଣି, ହେଲେ ତାଙ୍କ ମଟନ୍ ତରକାରିର ବାସ୍ନା ଏବେ ବି ମୋ ନାକରେ ବାଜେ।
ଆଜି ଯେତେବେଳେ ମୋ ପତ୍ନୀ ମଟନ୍ ରୋଷେଇ କରନ୍ତି; ମୋ ମାଆଙ୍କ ମୁହଁଟି ମୋତେ ଜଳଜଳ ଦିଶେ। ପତ୍ନୀ ରୋଷେଇ କରିବା ବେଳେ କଷାରୁ ଟିକେ କାଢ଼ି ମୋତେ ଧରେଇ ଦିଅନ୍ତି। ମୋର ପିଲାଦିନ ମନେପଡ଼ିଯାଏ। ସତରେ, ଆଜିର କଷାଠାରୁ କିନ୍ତୁ ମାଆଙ୍କ ମଟନ୍ ହାଣ୍ଡିରୁ ଚୋରେଇ ନେଉଥିବା ଦରସିଝା ଖଣ୍ଡଟି ଢେର୍ ସୁଆଦିଆ। ସେକଥା ଯେବେ ବି ମନେପଡ଼େ; ମନ ଆନନ୍ଦରେ ବିଭୋର ହୁଏ, କିନ୍ତୁ ଚୋରି କରୁଥିଲି ଭାବି ଲାଜଲାଗେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/19/untitled-10-2025-10-19-05-51-07.jpg)