ମୁମ୍ବାଇରେ ପୁଣି ଜଣେ ବିହାରୀ ଅଭିନେତାଙ୍କ ଆତ୍ମହତ୍ୟା

ମୁମ୍ବାଇ: ମୁମ୍ବାଇରେ ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା । ମୁମ୍ବାଇସ୍ଥିତ ନିଜ ଭଡା ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ୨୬ ବର୍ଷିୟ ଅଭିନେତା ଅକ୍ଷତ ଉତ୍କର୍ଷ । ତାଙ୍କ ମୃତ୍ୟୁ ପଛରେ ଜଣେ ଅଭିନେତ୍ରୀଙ୍କୁ ଦାୟୀ କରାଯାଉଛି । ଏହାସହ ପୁଲିସ ମଧ୍ୟ ଠିକ ସମୟରେ ତଦନ୍ତ କରି ନଥିବା ଉତ୍କର୍ଷଙ୍କ ପରିବାର ଅଭିଯୋଗ କରିଛନ୍ତି ।

ଉତ୍କର୍ଷଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ପରିବାର ଲୋକ ଏହାକୁ ଗ୍ରହଣ କରିପାରୁ ନାହାନ୍ତି । ଉତ୍କର୍ଷଙ୍କ ମୃତ୍ୟୁ ପଛରେ କିଛି ବଡ ଷଡଯନ୍ତ୍ର ଥାଇପାରେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ କହିବା ମୁତାବକ ଉତ୍କର୍ଷ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ତାଙ୍କ ବାପାଙ୍କ ସହ ଫୋନରେ କଥା ହୋଇଥିଲେ ।

ଉତ୍କର୍ଷ ବିହାର ମୁଜାଫର ନଗର ଅଞ୍ଚଳର ବାସିନ୍ଦା । ସେ ଲ‌କ୍ଷ୍ମୌ ଏମବିଏ ପଢିବା ପାଇଁ ଆସିଥିଲେ । ହେଲେ ଅଭିନେତା ହେବାର ନିଶା ତାଙ୍କୁ ମୁମ୍ବାଇ ନେଇ ଆସିଥିଲା । ସେଠାରେ ସେ ଭୋଜପୁରୀ ଫିଲ୍ମ ପାଇଁ ନିଜ ଭାଗ୍ୟ ପରୀକ୍ଷା କରୁଥିଲେ । ଗତ ଦୁଇ ବର୍ଷ ହେବ ସେ ଅନ୍ଧେରୀର ସୁରେଶ ନଗର ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ ।

ଉତ୍କର୍ଷଙ୍କ ବାନ୍ଧବୀ ତାଙ୍କ ମୃତ୍ୟୁ ନେଇ ପୁଲିସକୁ ସୂଚନା ଦେଇଥିଲେ । ତାଙ୍କ କହିବାନୁସାରେ ଉତ୍କର୍ଷ ମୁମ୍ବାଇରେ ଏକ ଘରୋଇ କମ୍ପାନିରେ ଚାକିରି କରିବା ସହ ଅଭିନୟ ମଧ୍ୟ କରୁଥିଲେ । ସେ ଆଗାମୀ ଚଳଚ୍ଚିତ୍ର ‘ଲିଟି ଚୋଖା’ରେ ମଧ୍ୟ ଅଭିନୟ କରିଛନ୍ତି ।

ତେବେ ପୁଲିସ କହିବା ମୁତାବିକ ଉତ୍କର୍ଷ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ । ହେଲେ ତାଙ୍କ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । କ’ଣ ରହିଛି ଅଭିନେତା ଉତ୍କର୍ଷଙ୍କ ମୃତ୍ୟୁର କାରଣ । ଏଥିପାଇଁ ବାନ୍ଧବୀ ଦାୟୀ ନା ଆଉ କିଛି ଅନ୍ୟ କାରଣ । ଏନେଇ ତନାଘନା ଚଲାଇଛି ପୁଲିସ ।

ସମ୍ବନ୍ଧିତ ଖବର