ନୂଆଦିଲ୍ଲୀ: ଅଭିନେତା ବିକ୍ରମ୍ ଗୋଖ୍ଲେଙ୍କର ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ତାଙ୍କୁ ଲାଇଫ୍ ସପୋର୍ଟରେ ଦିନାନାଥ ମଙ୍ଗେସକର ହସ୍ପିଟାଲରେ ରଖାଯାଇଛି। ସେଠାରେ ସେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ତାଙ୍କ ପରିବାର ସଦସ୍ୟଙ୍କ ସହିତ ଅନ୍ୟ ଲୋକ ବି ହସ୍ପିଟାଲରେ ଉପସ୍ଥିତ ଅଛନ୍ତି। ଲୋକେ ବିକ୍ରମ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି।
ସୂଚନାଯୋଗ୍ୟ, ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ, ତାଙ୍କର ଅସୁସ୍ଥତା ବିଷୟରେ ସବିଶେଷ ବିବରଣ ମିଳିନାହିଁ। ତାଙ୍କ ପରିବାର ଅଥବା ଡାକ୍ତରଖାନା ମଧ୍ୟ ଏଯାବତ୍ ତାଙ୍କ ସ୍ବାସ୍ଥାବସ୍ଥା ବିଷୟରେ କୌଣସି ଔପଚାରିକ ବିବୃତି ଜାରି କରିନାହାନ୍ତି।
ତେବେ ସୋସିଆଲ ମିଡିଆରେ ବରିଷ୍ଠ ବଲିଉଡ୍, ମରାଠୀ ମଞ୍ଚ, ଚଳଚ୍ଚିତ୍ର ଓ ଟେଲିଭିଜନ୍ ଅଭିନେତା ବିକ୍ରମ୍ ଗୋଖ୍ଲେଙ୍କର ମୃତ୍ୟୁ ଘଟିଥିବା କଥା ‘ଅନ୍ଲାଇନ୍’ରେ ପ୍ରସାରିତ ହୋଇଥିଲା। ଏହାପରେ ଅଜୟ ଦେବଗନ, ରିତେଶ ଦେଶମୁଖ, ଅଲି ଗନି, ଜାୱେଦ୍ ଜାଫେରିଙ୍କ ସମେତ କେତେକ ବଲିଉଡ୍ ସେଲିବ୍ରିଟି ମଧ୍ୟ ତାଙ୍କ ମୃତ୍ୟୁ ହୋଇଥିବା ଖବର ଶୁଣି ଟୁଇଟର୍ରେ ଶୋକବ୍ୟକ୍ତ କରିଥିଲେ।
ଏହାକୁ ନେଇ ବିକ୍ରମ ଗୋଖଲେଙ୍କ ଝିଅ କହିଛନ୍ତି, ତାଙ୍କର ମୃତ୍ୟୁ ଘଟିନାହିଁ, ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ତାଙ୍କୁ ‘ଲାଇଫ୍ ସପୋର୍ଟ’ରେ ରଖାଯାଇଛି।
ଏହି କ୍ରମରେ ଅନୁପମ ଖେର ବିକ୍ରମ ଗୋଖଲେଙ୍କ ଏକ ୧୨ଦିନ ପୁରୁଣା ଭିଡିଓ ସେୟାର କରିଛନ୍ତି, ‘ଯେଉଁଥିରେ ବରିଷ୍ଠ ଅଭିନେତା ଏକ କବିତା ପଢ଼ୁଥିବା ନଜରକୁ ଆସିଛି। ତେବେ ଅନୁପମ ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ମୋତେ ଏହି ମେସେଜ ମୋର ଅତି ନିକଟ ବନ୍ଧୁ ବିକ୍ରମ ଗୋଖଲେଙ୍କ ଠାରୁ ୧୨ଦିନ ପୂର୍ବରୁ ମିଳିଛି। ଏହି ମେସେଜ ପାଇବା ପରେ ମୁଁ ତାଙ୍କୁ ଫୋନ କରି କହିଥିଲି, ଆପଣ ଯେଉଁ କବିତା ମୋତେ ପଠାଇଛନ୍ତି ତାହା ଅଧା ରହି ଯାଇଛି। ସେ ମୋତେ କହିଥିଲେ, ‘ଜୀବନ ତ ଅଧୁରା ମୋର ସାଙ୍ଗ। ଏହା କହି ସେ ଠୋ ଠୋ ହୋଇ ହସିବାକୁ ଲାଗିଲେ।’