ମୁମ୍ବାଇ: ୨୦୧୨ ମସିହାରେ ଅନୁରାଗ କାଶ୍ୟପଙ୍କ ଚଳଚ୍ଚିତ୍ର ‘ବର୍ଫି’ରେ ରଣବୀର କପୁର ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହ ନଜର ଆସି ବେଶ୍ ଲୋକପ୍ରିୟତା ସାଉଁଟିଥିଲେ ଇଲିଆନା ଡି’କ୍ରୁଜ। ସେ ଏବେ ଗର୍ଭବତୀ ଅଛନ୍ତି। ତେବେ ଏହି କଥା ଏଥିପାଇଁ ଅଧିକ ଚର୍ଚ୍ଚା ହେଉଛି ଯେ ସେ ବିବାହ ନକରି ମଧ୍ୟ ବିନ ଦ୍ବିଧାରେ ନିଜର ଗର୍ଭଧାରଣ କଥା ଘୋଷଣା କରିଛନ୍ତି। ଏପରିକି ନିକଟରେ ସେ ସୋସିଆଲ୍ ମିଡିଆରେ ତାଙ୍କର ବେବି-ବମ୍ପ୍ ଦେଖାଇ କିଛି ଫଟୋ ବି ପୋଷ୍ଟ୍ କରିଥିଲେ। ତେବେ ଏବେ ସେ ‘ବେବିମୁନ୍’ରେ ଯାଇଥିବା ବେଳେ ଏହି ବିଶେଷ ମୁହୂର୍ତ୍ତର କିଛି ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି।
ତେବେ ଇଲିଆନା କାହା ପିଲାର ମାଆ ହେବାକୁ ଯାଉଛନ୍ତି ତାହା ଏପର୍ଯ୍ୟନ୍ତ ସେ କହିନାହାନ୍ତି। ତେବେ ତାଙ୍କ ସାଥୀ କିଏ ବୋଲି ଜାଣିବାର ଉତ୍ସୁକତା ସମସ୍ତଙ୍କ ଭିତରେ ରହିଥିବା ବେଳେ ଅଭିନେତ୍ରୀ ପ୍ରଥମ ଥର ପାଇଁ ତାଙ୍କ ପୁରୁଷ ବନ୍ଧୁଙ୍କର ଏକ ଝଲକ ସେୟାର୍ କରିଛନ୍ତି।
ସେ ଏବେ ‘ବେବିମୁନ୍’ରେ ଯାଇ ସମୁଦ୍ରକୂଳରେ କିଛି ମୁହୂର୍ତ୍ତ ବିତାଉଥିବା ବେଳେ ସେ ସମୟର ଫଟୋ ସବୁକୁ ଇନ୍ଷ୍ଟାଗ୍ରାମ୍ ଷ୍ଟୋରିରେ ସେୟାର୍ କରିଛନ୍ତି। ତାଙ୍କର ସେହି ପୋଷ୍ଟ୍ ମଧ୍ୟରୁ ଗୋଟିକରେ ତାଙ୍କ ରହସ୍ୟମୟ ପୁରୁଷ ବନ୍ଧୁଙ୍କ ହାତ ଦେଖିବାକୁ ମିଳିଛି। ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଡିନର୍ ଡେଟ୍ରେ ଯାଇଥିବା ବେଳେ ତାଙ୍କ ହାତ ଉପରେ ନିଜ ହାତ ରଖିଛନ୍ତି। ତେବେ ଉକ୍ତ ବ୍ୟକ୍ତିଙ୍କ ମୁହଁ ଦେଖିବାକୁ ମିଳିନାହିଁ। ତେବେ ସେ ଦୁହିଁଙ୍କ ମୁଦିକୁ ଦେଖି ସେମାନେ ନିର୍ବନ୍ଧ କରି ଆସିଛନ୍ତି ବୋଲି ଅନୁମାନ କରାଯାଇପାରେ।