ମୁମ୍ବାଇ : କିଛି ମାସ ତଳେ ବଲିଉଡ୍ ଅଭିନେତା ତଥା ଆମୀର ଖାନ୍ଙ୍କ ଭଣଜା ଇମ୍ରାନ ଖାନ୍ଙ୍କ ବୈବାହିକ ଜୀବନକୁ ନେଇ ଏକ ବଡ଼ ଖବର ମିଳିଥିଲା । ଇମ୍ରାନ ନିଜ ପତ୍ନୀ ଅବନ୍ତିକାଙ୍କଠାରୁ ଛାଡ଼ପତ୍ର ନେବାକୁ ଚାହୁଁଥିବା ଖବର ସମସ୍ତଙ୍କୁ ଚମକାଇ ଦେଇଥିଲା । ଅବନ୍ତିକା ଇମ୍ରାନଙ୍କ ଘର ଛାଡ଼ି ନିଜ ମାତା-ପିତାଙ୍କ ପାଖରେ ରହୁଥିବା ନେଇ ସ୍ପଷ୍ଟ କରିଥିଲେ ଅବନ୍ତିକାଙ୍କ ମା’ । ତେବେ ଛାଡ଼ପତ୍ରର ଖବର ମଧ୍ୟରେ ଦୁହେଁ ନିଜ ସଂପର୍କ ସୁଧାରିବାକୁ ଚେଷ୍ଟା କରୁଥିବାର ଖବର ମିଳୁଥିଲା। ହେଲେ ଏବେ ମିଳୁଥିବା ଖବର ମୁତାବକ, ଦୁହେଁ ପରସ୍ପରଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇମ୍ରାନ ଓ ଅବନ୍ତିକାଙ୍କ ବନ୍ଧୁ ଏବଂ ସମ୍ପର୍କୀୟମାନେ ଦୁହିଁଙ୍କୁ ଏକାଠି କରିବାକୁ ଚେଷ୍ଟା କରିଥିଲେ। ଅବନ୍ତିକା ମଧ୍ୟ ନିଜ ବିବାହ ବିଚ୍ଛେଦ ନହେବା ପାଇଁ ଅନେକ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କର ଏହି ପ୍ରୟାସ ଫଳପ୍ରଦ ହେଲା ନାହିଁ। ଅନେକ ଚେଷ୍ଟା ପରେ ବି ଇମ୍ରାନ ଖାନ ଅବନ୍ତିକାଙ୍କ ସହ ରହିବାକୁ ରାଜି ନଥିବା କୁହାଯାଉଛି। ବିଶେଷ କରି ଅବନ୍ତିକାଙ୍କ ସହିତ ସେ ତାଙ୍କ ଦାମ୍ପତ୍ୟ ଜୀବନକୁ ଆଉ ଏକ ସୁଯୋଗ ଦେବାକୁ ଚାହାଁନ୍ତି ନାହିଁ ବୋଲି ସୂଚନା ମିଳିଛି।
ଅବନ୍ତିକା ନିଜକୁ ମାନସିକ ଅବସାଦରୁ ଦୂରେଇ ରଖିବା ପାଇଁ ଇମ୍ରାନଙ୍କ ଘର ଛାଡ଼ି ବାପ ଘରକୁ ଚାଲି ଆସିଥିଲେ । ଏହି ସମୟରେ ଦୁହେଁ ପରସ୍ପର ସହ କଥା ହୋଇ ନ ଥିଲେ । ହେଲେ ପରେ ଅବନ୍ତିକା ସମ୍ପର୍କକୁ ସୁଧାରିବାକୁ ଚେଷ୍ଟା କରିଥିଲେ ବି ତାହା ସମ୍ଭବ ହୋଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/ସ-165.jpg)