ମୁମ୍ବାଇ: ତାମିଲ ଅଭିନେତା ଆର୍ଯ୍ୟ ତାଙ୍କ ଅଭିନୟ ପାଇଁ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ବୁଧବାର ଆର୍ଯ୍ୟ ଏକ ଲୋକପ୍ରିୟ ଫୁଡ଼ ଚେନ ସହିତ ଜଡିତ ଥିବା ହେତୁ ଆୟକର ବିଭାଗର ଯାଞ୍ଚ ପରିସରକୁ ଆସିଥିବା ଖବର ମିଳିଛି।
ବୁଧବାର ସକାଳେ ଆଇଟି ବିଭାଗ ଚେନ୍ନାଇର ଅନ୍ନା ନଗର, ଭେଲାଚେରୀ ଏବଂ ଦୁରଇପକ୍କମରେ ଥିବା ଅଭିନେତାଙ୍କ ଲୋକପ୍ରିୟ ରେସ୍ତୋରାଁ ଚେନ 'ସି ସେଲ୍' ଉପରେ ଚଢାଉ କରିଛି। ଆର୍ଯ୍ୟଙ୍କ ଏହି ରେସ୍ତୋରାଁ ଆରବିକ୍ ଖାଦ୍ୟ ପାଇଁ ଖୁବ ଲୋକପ୍ରିୟ। ସହରର ଅନେକ ସ୍ଥାନରେ ଏହି ରେସ୍ତୋରାଁର ଶାଖା ମଧ୍ୟ ଅଛି।
ଆୟକର ବିଭାଗର ଅଧିକାରୀମାନେ କେରଳର କୋଚିରେ କର ଫାଙ୍କିବା ମାମଲାର ତଦନ୍ତ ଆରମ୍ଭ କରିଥିଲେ।ଅଭିଯୋଗ ହୋଇଛି କି, ଏହି ରେସ୍ତୋରାଁଗୁଡ଼ିକରେ ଦୁବାଇ କମ୍ପାନି ଦ୍ୱାରା କରାଯାଇଥିବା ନିବେଶରେ ଆୟକର ନିୟମ ଉଲ୍ଲଂଘନ କରାଯାଇଥିଲା। ଅଭିଯୋଗ ପରେ ଚେନ୍ନାଇର ସି-ସେଲ୍ ରେସ୍ତୋରାଁର ଅନେକ ଶାଖାରେ ଆୟକର ବିଭାଗ ଚଢାଉ କରିଛି।
ଅଭିନେତା ଆର୍ଯ୍ୟ ଏହି ରେସ୍ତୋରାଁ ଚେନର କିଛି ଶାଖା କିଣି ସେଗୁଡ଼ିକୁ ପରିଚାଳନା କରିବା ଆରମ୍ଭ କରିଥିଲେ। ବୁଧବାର ସକାଳେ ଆୟକର ବିଭାଗର ଅଧିକାରୀମାନେ ତିନୋଟି ଗାଡ଼ିରେ ଆନ୍ନା ନଗରର ସି-ସେଲ୍ ରେସ୍ତୋରାଁରେ ପହଞ୍ଚି କାଗଜପତ୍ର ଯାଞ୍ଚ କରିବା ଆରମ୍ଭ କରିଥିଲେ। ଅଧିକାରୀମାନେ ନିଜକୁ ଆଠଟି ଦଳରେ ବିଭକ୍ତ କରି ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିବା ଜଣାପଡ଼ିଛି।
ଅଧିକାରୀମାନେ ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି। ତଦନ୍ତ ସମାପ୍ତ ହେବା ପରେ ହିଁ ସ୍ପଷ୍ଟ ହେବ ଯେ ଚଢାଉରେ କଣ ପ୍ରମାଣ ମିଳିଛି ଏବଂ ଟିକସ ଫାଙ୍କିବା ଅଭିଯୋଗର ସତ୍ୟତା କ’ଣ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/18/1fda0948-6dca-4d32-97c8-2afde74dd5ba-9ed00a39.jpg)