ମୁମ୍ବାଇ: ସମୟ ରାଇନାଙ୍କ ବିବାଦୀୟ ସୋ’ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏବେ ବଲିଉଡର ଡ୍ରାମା କୁଇନ୍ ରାଖି ସାୱନ୍ତ, ଯିଏ ଏହି ସୋ’ର ଏକ ଅଧ୍ୟାୟରେ ପ୍ୟାନେଲିଷ୍ଟ ଥିଲେ, ତାଙ୍କୁ ପୁଲିସ ପଚରାଉଚରା ପାଇଁ ସମନ କରିଛି। ରାଖିଙ୍କୁ ତାଙ୍କ ବୟାନ ରେକର୍ଡ କରିବା ପାଇଁ ମହାରାଷ୍ଟ୍ର ସାଇବର ସେଲ୍ ଡକାଇଛି। ସମନ ପାଇବା ପରେ, ସାୱନ୍ତ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରି ପ୍ରତିକ୍ରିୟା ଦେଇଛନ୍ତି।
ଭିଡିଓରେ, ରାଖି ସାୱନ୍ତ ମହାରାଷ୍ଟ୍ର ସାଇବର ସେଲରୁ ସମନ ପାଇ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି । ସେ କହିଛନ୍ତି ଯେ, "ବନ୍ଧୁଗଣ, ମୋତେ ଡକାଇବାର କୌଣସି ଅର୍ଥ ନାହିଁ। ଆପଣ ମୋତେ ଭିଡିଓ କଲ୍ କରିପାରିବେ, ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ। ମୁଁ ଜଣେ କଳାକାର। ମୋତେ ଟଙ୍କା ଦେଇ ସାକ୍ଷାତକାର ପାଇଁ ଡକାଯାଇଥିଲା। ମୁଁ ସାକ୍ଷାତକାର ଦେଇଥିଲି, ମୁଁ କାହାକୁ ଦୁର୍ବ୍ୟବହାର କରିନାହିଁ। ତେଣୁ ମୋତେ ଡକାଇବାର ଅର୍ଥ କ'ଣ?" ପ୍ରଥମେ, ବିଚାରାଧୀନ ଥିବା ଦୁଷ୍କର୍ମ ମାମଲାଗୁଡ଼ିକର ସମାଧାନ କର। ମୁଁ ଭିକାରୀ, ମୋ ପାଖରେ ଗୋଟିଏ ଟଙ୍କା ମଧ୍ୟ ନାହିଁ। ମୁଁ ଦୁବାଇରେ ରହେ ସତ, ହେଲେ ମୋର ଚାକିରି ନାହିଁ। ଝିଅମାନେ ପ୍ରତିଦିନ ଦୁଷ୍କର୍ମର ଶିକାର ହେଉଛନ୍ତି, ସେମାନଙ୍କ ପରିବାର ପାଇଁ କିଛି କର। ପ୍ରଥମେ ସେମାନଙ୍କର ଦୋଷୀଙ୍କୁ ଦଣ୍ଡ ଦିଅ। ଆମେ କୌଣସି ଅପରାଧ କରିନାହୁଁ।"
ଉଲ୍ଲେଖଯୋଗ୍ୟ, ରାଖି ସାୱନ୍ତଙ୍କୁ ଫେବ୍ରୁଆରି ୨୪ତାରିଖରେ ସାଇବର ସେଲ୍ ସମ୍ମୁଖରେ ହାଜର ହୋଇ ତାଙ୍କର ବୟାନ ରେକର୍ଡ କରିବାକୁ କୁହାଯାଇଛି।