ଭାରତର ପୂର୍ବତନ ତଥା ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବାୟୋପିକ୍ରେ ଅଭିନୟ କରିବା ପାଇଁ ବିଦ୍ୟା ବାଲନଙ୍କ ଉତ୍ସାହ ଶୀର୍ଷ ଛୁଇଁ ସାରିଥିଲା। ବିଦ୍ୟାଙ୍କ ସ୍ବାମୀ ସିଦ୍ଧାର୍ଥ ରୟ କପୁର ଉକ୍ତ ୱେବ୍ ଧାରାବାହିକର ପ୍ରଯୋଜକ ହେବାକୁ ମଧ୍ୟ ପ୍ରସ୍ତୁତ ଥିଲେ। ଭାରତର ଜଣାଶୁଣା ଟିଭି ସାମ୍ବାଦିକା ସାଗରିକା ଘୋଷଙ୍କ ଦ୍ବାରା ରଚିତ ‘ଇନ୍ଦିରା: ଇଣ୍ଡିଆସ୍ ମୋଷ୍ଟ ପାଵରଫୁଲ୍ ପ୍ରାଇମ୍ ମିନିଷ୍ଟର୍’ ଶୀର୍ଷକ ପୁସ୍ତକକୁ ଭିତ୍ତି କରି ସେହି ୱେବ୍ ଧାରାବାହିକ ଗତିଶୀଳ ହୋଇଥାନ୍ତା। କିନ୍ତୁ ଏହି ମହତ୍ତ୍ବାକାଂକ୍ଷୀ ଧାରାବାହିକ ନିର୍ମାଣ କରିବା ନେଇ ଘୋଷଣା ହେବାର ତିନି ବର୍ଷ ପରେ ଉକ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି। ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜଣେ ବିବାଦୀୟ ରାଜନୈତିକ ବ୍ୟକ୍ତିତ୍ବଙ୍କର ବାୟୋପିକ୍ ନିର୍ମାଣ କରିବା ଲାଗି ବର୍ତ୍ତମାନର ରାଜନୈତିକ ପରିବେଶ ଅନୁକୂଳ ନୁହେଁ ବୋଲି ଏହାର ନିର୍ମାତାମାନେ ଅନୁଭବ କରୁଛନ୍ତି। ଗୋଟିଏ ପଟେ କଙ୍ଗନା ରାଣାଵତ ଇନ୍ଦିରାଙ୍କ ଭୂମିକାରେ ଅଭିନୟ କରୁଥିବା ବେଳେ ବିଦ୍ୟା ବାଲନ ସେହି ବିପଜ୍ଜନକ ପଥ ଅନୁକରଣ କରିବାର କୌଣସି କାରଣ ନାହିଁ।
ତେବେ ଇନ୍ଦିରାଙ୍କ ବାୟୋପିକ୍ ବାତିଲା ହେବାର ଏହା ପ୍ରଥମ ଘଟଣା ନୁହେଁ। ମନୀଷା କୋଇରାଲା ମଧ୍ୟ ଇନ୍ଦିରାଙ୍କ ଚରିତ୍ରରେ ଅଭିନୟ କରିବାର ଥିଲା। ୨୦୦୨ରେ ଇନ୍ଦିରା ଗାନ୍ଧୀଙ୍କ ୮୫ତମ ଜନ୍ମବାର୍ଷିକୀରେ ଏ ଚଳଚ୍ଚିତ୍ରର ପ୍ରକଳ୍ପ ଉନ୍ମୋଚିତ ହୋଇଥିଲା। ଏଥିରେ ଇନ୍ଦିରାଙ୍କ ରାଜନୈତିକ ଜୀବନ ସମେତ ବ୍ୟକ୍ତିଗତ ଜୀବନର କାହାଣୀ ମଧ୍ୟ ପ୍ରଦର୍ଶିତ କରିବାର ଯୋଜନା ରଖାଯାଇଥିଲା। ମନୀଷା ସେତେବେଳେ ଇନ୍ଦିରାଙ୍କ ବେଶରେ ଦେଖାଦେବା ଲାଗି ଏତେ ଉତ୍ସାହିତ ହୋଇପଡ଼ିଥିଲେ ଯେ ସେ ନିଜର ନାକର ଆକାର ବଦଳାଇବା ଲାଗି ମଧ୍ୟ ପ୍ରସ୍ତୁତ ଥିଲେ। ତେବେ ତାହା ମଧ୍ୟ କୌଣସି କାରଣବଶତଃ ବାତିଲ ହୋଇଯାଇଥିଲା। ସେହିପରି ୨୦୦୯ରେ ସିନେନିର୍ମାତା କୃଷ୍ଣା ଶାହ ମାଧୁରୀ ଦୀକ୍ଷିତଙ୍କୁ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିବା ଲାଗି ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହାର ନିର୍ମାଣ କାର୍ଯ୍ୟ କେବେହେଲେ ଆରମ୍ଭ ହୋଇପାରି ନ ଥିଲା। ଆସନ୍ତା ବର୍ଷ ମୁକ୍ତିଲାଭ କରିବାକୁ ଥିବା କଙ୍ଗନାଙ୍କ ଅଭିନୀତ ‘ଇମର୍ଜେନ୍ସି’ ଚଳଚ୍ଚିତ୍ରରେ ଇନ୍ଦିରାଙ୍କ ଜୀବନ କାହାଣୀ ଦେଖିବାକୁ ମିଳିବ।