ଉଷସୀଙ୍କୁ ଆକ୍ରମଣ ଘଟଣା ନେଲା ନୂଆ ମୋଡ଼: ପାଲଟା ଅଭିଯୋଗ ଆଣିଲେ ଅଭିଯୁକ୍ତ ଇନ୍ଦ୍ରମଣି ସାହୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁରେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ମାଡ଼ ମରାଯିବା ଘଟଣାକୁ ୪ ଦିନ ହୋଇଗଲାଣି। ଉଷସୀ ଏନେଇ ଥାନାରେ ଅଭିଯୋଗ କରିବା ସହ ବୁଧବାର ରାଜ୍ୟ ସିନେକଳାକାର ସଂଘ ଏକ ସାମ୍ବାଦିକ ସମ୍ମଳନୀ ମଧ୍ୟ ଡାକିଥିଲେ। ମାତ୍ର ଗୁରୁବାର ଏହି ଘଟଣା ନୂଆମୋଡ଼ ନେଇଛି। ଅଭିଯୁକ୍ତ ଇନ୍ଦ୍ରମଣି ସାହୁ ଉଷସୀଙ୍କ ବିରୋଧରେ ତାଳଚେର ଏସ୍‌ଡିଜେଏମ୍‌ କୋର୍ଟରେ ପାଲଟା ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ‘ ଗାଁରେ ଏକ ପ୍ରସେସନ୍‌ ଚାଲିଥିଲା । ସେହି ସମୟରେ ଉଷସୀ ଗାଡ଼ି ନେଇ ଆସିଲେ। ଭିଡ଼ ଭିତରେ ଗାଡ଼ି ନ ପୂରାଇବା ପାଇଁ ଗ୍ରାମବାସୀ ତାଙ୍କୁ କହିବା ସତ୍ତ୍ୱେ ସେ କାହା କଥା ଶୁଣିଲେ ନାହିଁ। ଉଷସୀ ଗାଡ଼ିକୁ ଭିଡ଼ ଭିତରେ ପୂରାଇ ଦେବାରୁ ଉଭୟ ପକ୍ଷରୁ ଯୁକ୍ତତର୍କ ଆରମ୍ଭ ହୋଇଥିଲା। ସେ ପ୍ରଥମେ ତାଙ୍କ ପକ୍ଷରୁ ହିଁ ଗଣ୍ଡଗୋଳ ଆରମ୍ଭ କରିଥିଲେ। ଉଷସୀ ଗାଳିଗୁଲଜ ଦେଇ  ହାତ ବି ଉଠାଇଥିଲେ। ଏପରିକି ତଳେ ପକାଇ ଜୀବନରୁ ମାରି ଦେବା ଉଦ୍ୟମ ମଧ୍ୟ କରିଥିଲେ।’

ଉଲ୍ଳେଖଯୋଗ୍ୟ, ଯାତ୍ରା ନାଟକରେ ଅଭିନୟ କରିବା ପାଇଁ ଅନୁଗୁଳର ଡେରଙ୍ଗ ଯାଇଥିଲେ ଉଷସୀ ମିଶ୍ର। ସେଠାରେ ତାଙ୍କ ଗାଡ଼ିକୁ ନେଇ ବିବାଦ ଉପୁଜିଥିଲା। ଜନଗହଳିରେ ତାଙ୍କ ଡ୍ରାଇଭର ଗାଡ଼ି ପୁରାଇ ଦେଇଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ବିରୋଧ କରି ଆକ୍ରମଣ କରିଥିଲେ ବୋଲି ଜାଣିବାକୁ ମିଳିଛି। ମାତ୍ର ଉଷସୀଙ୍କ କହିବା ମୁତାବକ ତାଙ୍କ ଗାଡ଼ିର ଚାବି ହଜିଯାଇଥିଲା। ହଠାତ କିଛି ଲୋକ ଆସି ତାଙ୍କ ଚାଳକଙ୍କୁ ଚାବି ମାଗିଥିଲେ। ଚାଳକ ଚାବି ଦେଇ ନ ପାରିବାରୁ ସେମାନେ ଗାଡ଼ି ଭାଙ୍ଗି ଦେବେ ବୋଲି ଧମକ ଦେବା ସହ ଉଷସୀଙ୍କୁ ଗାଳିଗୁଲଜ କରିବା ସହ ମାରଧର କରିଥିଲେ। ଏ ନେଇ ଉଷସୀ କଣିହାଁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗର ୩ ଦିନ ପରେ ବି କାହାରିୁ ଗିରଫ କରାଯାଇନଥିବା ନେଇ ଉଷସୀଙ୍କ ସମର୍ଥନରେ ରାଜ୍ୟ ସିନେକଳାକାର ସଂଘ ସାମ୍ବାଦିକ ସମ୍ମିଳନୀ ଡାକିବା ସହ ଦୋଷୀକୁ ଗିରଫ ଦାବି କରିଥିଲେ।

ସମ୍ମିଳନୀରେ ଉଷସୀ ବକ୍ତବ୍ୟ ଦେଇ କହିଥିଲେ, ‘ପୁଲିସ ପ୍ରଶାସନ ଉପରୁ ଭରସା ଉଠିଗଲାଣି। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ଡିଜିଙ୍କୁ ଭେଟିବି।’ ସେଦିନର ସମସ୍ତ ଘଟଣାକୁ ସ୍ପଷ୍ଟ ଭାବେ ଗଣମାଧ୍ୟମ ସମ୍ମୁଖରେ ସେ ଉପସ୍ଥାପନ କରିଥିଲେ । ଘଟଣା ସମୟରେ ଯାତ୍ରାକମିଟିର କେହି ତାଙ୍କୁ ସାଥ ଦେଇ ନ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର