ଶ୍ରଦ୍ଧାଙ୍କୁ ମିଳିଲା ରଣବୀର କପୁରଙ୍କ ସାଥ୍

ମୁମ୍ବାଇ: ନିଜର ମନସ୍କାମନା ପୂରଣ କରିବାରେ ଭାଗ୍ୟ ସାଥିରେ ନିଜ ପାରିବାରିକ ଭିତ୍ତିଭୂମି କିପରି ସହଯୋଗ କରିଥାଏ, ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର। ରୁପେଲି ପରଦାର ମହାନ୍‌ ଖଳନାୟକ ଶକ୍ତି କପୁରଙ୍କ ଦୁହିତା ହେବାର ପରମ ସୌଭାଗ୍ୟକୁ ପୁଞ୍ଜି କରି ଶ୍ରଦ୍ଧା ଜଣେ ନାମୀ ଅଭିନେତ୍ରୀ ହେବାର ସ୍ବପ୍ନ ସାର୍ଥକ କରି ପାରିଛନ୍ତି। ଅଦ୍ୟାବଧି ନିଜ ବାର ବର୍ଷର ଅଭିନୟ ଜୀବନରେ ୨୧ଟି ହିନ୍ଦୀ ସିନେମାରେ ଅଭିନୟ କରିଥିବା ଶକ୍ତି ତନୟା ପାଞ୍ଚ ଥର ଜାତୀୟ ସ୍ତରୀୟ ପୁରସ୍କାର ହାସଲ କରିବା କିଛି କମ୍‌ କଥା ନୁହେଁ।

ମୁମ୍ବାଇରେ ଏକ ଖ୍ୟାତନାମା କଳାକାର ପରିବାରରେ ୧୯୮୭ ମାର୍ଚ୍ଚ ୩ରେ ଜନ୍ମିତ ଶ୍ରଦ୍ଧାଙ୍କର ପିଲାଟି ବେଳୁ ଅଭିନୟ ପ୍ରତି ଏକ ଅହେତୁକ ଦୁର୍ବଳତା ଜାଗି ରହିଥିଲା ଏବଂ ତାଙ୍କ ପାରିବାରିକ ପୃଷ୍ଟଭୂମି ତାଙ୍କୁ ସେ ଦିଗରେ ପ୍ରତିଷ୍ଠିତ ହେବା ଲାଗି ଆଗେଇ ନେଇଥିଲା। ନିଜର ମାତା ଜଣେ କଣ୍ଠଶିଳ୍ପୀ ଥିବାରୁ ଶୈଶବରୁ ସେ କଣ୍ଠସଂଗୀତରେ ଶିକ୍ଷା ଲାଭ କରିଥିଲେ। ତେଣୁ ବିଦ୍ୟାଳୟ ଶିକ୍ଷା ବେଳେ ବିଭିନ୍ନ ନୃତ୍ୟଗୀତ ପ୍ରତିଯୋଗିତାରେ ଶ୍ରଦ୍ଧା ଭାଗ ନେଉଥିଲେ। ତାଙ୍କ ପ୍ରଦର୍ଶନରେ ମୁଗ୍ଧ ହୋଇ ସଲମାନ୍‌ ଖାଁ ତାଙ୍କୁ ‘ଲକି: ନୋ ଟାଇମ୍‌ ଫର ଲଭ୍‌’ ଫିଲ୍ମରେ ଅଭିନୟ ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର ମନସ୍ତତ୍ତ୍ବ ବିଜ୍ଞାନରେ ସ୍ନାତକ ଶିକ୍ଷା ସାରିବାକୁ ଝୁଙ୍କ୍‌ ରଖିଥିବା ଷୋଳ ବର୍ଷୀୟା ଶ୍ରଦ୍ଧା ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ତେବେ ୨୦୧୦ରେ ଅମିତାଭ ବଚନ, ବେନ୍‌ କିଙ୍ଗସ୍ଲେଙ୍କ ପରି ମହାନ୍‌ ଅଭିନେତା ଅଭିନୟ କରିଥିବା ସିନେମା ‘ତିନ ପତ୍ତି’ରେ ପ୍ରଥମ ପଦାର୍ପଣ ସ୍ବରୂପ ଏକ ସଂକ୍ଷିପ୍ତ ଭୂମିକାରେ ଅବତୀର୍ଣ୍ଣ ହେବାକୁ ତାଙ୍କୁ ସୁଯୋଗ ମିଳିଥିଲା। ଫିଲ୍ମଟି ବକ୍ସ ଅଫିସରେ ସେଭଳି ସଫଳ ହୋଇନଥିଲେ ହେଁ ଶ୍ରଦ୍ଧାଙ୍କୁ ଶ୍ରେଷ୍ଠ ନବାଗତା ଭାବେ ଫିଲ୍ମଫେୟାର ସମ୍ମାନ ପାଇଁ ସୁପାରିସ କରାଯାଇଥିଲା। ଏହାପରେ ଶ୍ରଦ୍ଧାଙ୍କର ପ୍ରକୃତ ନାୟିକା ଅବତାର ଦେଖିବାକୁ ମିଳିଥିଲା ହାସ୍ୟରସାତ୍ମକ ଫିଲ୍ମ ‘ଲଭ୍‌ କା ଦି ଏଣ୍ଡ୍‌’ରେ। ଏହି ଫିଲ୍ମଟି ମଧ୍ୟ ଅନୁରୂପ ଭାବେ ବିଫଳ ହୋଇଥିଲେ ହେଁ ଶ୍ରଦ୍ଧାଙ୍କ ଭୂମିକାକୁ ସମୀକ୍ଷକମାନେ ଖୁବ୍‌ ପ୍ରଶଂସା କରିଥିଲେ। ତେବେ ତା’ ପରବର୍ତ୍ତୀ ଫିଲ୍ମ ‘ଆସିକି-୨’ ହିଁ ତାଙ୍କ ପାଇଁ ଉଭୟ ଖ୍ୟାତି ଓ ପ୍ରତିଷ୍ଠା ଆଣିଦେଇଥିଲା।

ଏଥିପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ତିନିଟି ଜାତୀୟ ସ୍ତରୀୟ ସମ୍ମାନ ମିଳିବା ସହ ଆଉ ଛଅଟି ପାଇଁ ମଧ୍ୟ ତାଙ୍କ ନାମକୁ ସୁପାରିସ କରାଯାଇଥିଲା। ତା’ ପଛକୁ ପଛ ‘ଗୋରୀ ତେରେ ପ୍ୟାର ମେଁ’, ‘ଏକ ଭିଲେନ୍‌’, ‘ଏବିସିଡି-୨’ ଓ ‘ଛିଛୋରେ’ ଆଦି ଫିଲ୍ମ ମଧ୍ୟ ତାଙ୍କ ପାଇଁ ଆଶାତୀତ ସଫଳତା ଓ କଳ୍ପନାତୀତ ଲୋକପ୍ରିୟତା ବରଷିଯାଇଥିଲା। ଅତୀତରେ ଶ୍ରଦ୍ଧା ଅଭିନୟ ବ୍ୟତୀତ ଅନେକ ଫିଲ୍ମରେ ଗାୟିକା ସାଜିଛନ୍ତି। ଏଥି ସହିତ ‘କିଲ ଚୋରି’ ନାମକ ଏକ ସଂଗୀତ ଭିଡିଓ ମଧ୍ୟ ତାଙ୍କର ଅନ୍ୟତମ କୃତି। ଶ୍ରଦ୍ଧା ଏବେ ସ୍ପେନ୍‌ରେ ରଣବୀର କପୁରଙ୍କ ସହିତ ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ଏକ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି।

ସମ୍ବନ୍ଧିତ ଖବର