ବିବାହ ବହିର୍ଭୂତ ସନ୍ତାନ ଜନ୍ମକୁ ଭାରତୀୟ ସମାଜରେ ସ୍ବୀକୃତି ମିଳେ ନାହିଁ। ତେଣୁ ଜଣେ ମହିଳା ଦୁଇଜଣ ପୁରୁଷଙ୍କ ଯମଜ ସନ୍ତାନଙ୍କୁ ଏକାସମୟରେ ଗର୍ଭରେ ଧାରଣ କରିବା ବିଷୟକୁ ନେଇ ନିର୍ମିତ ‘ବ୍ୟାଡ୍ ନ୍ୟୁଜ୍’ ଏକାବେଳେ ଦୁଇଟି ସ୍ପର୍ଶକାତର ପ୍ରସଙ୍ଗକୁ ଉତ୍ଥାପନ କରିଛି। ଅସାମାନ୍ୟ ପରିସ୍ଥିତିରେ ଜଣେ ମହିଳା ଦୁଇ ଜଣ ପିତାଙ୍କ ସନ୍ତାନକୁ ଗର୍ଭରେ ଧାରଣ କରିପାରନ୍ତି- ଏହି ସମ୍ଭାବନାକୁ ଏକ ଚରମ ଉଦାହରଣ ରୂପେ ନେଇ ନିର୍ମାତାମାନେ ପ୍ରେମସମ୍ପର୍କ, ପିତୃତ୍ବ ଓ ମାତୃତ୍ବର ସଂଜ୍ଞାକୁ ପରିବ୍ୟାପ୍ତ କରି ଅଣପାରମ୍ପରିକ ଦାମ୍ପତ୍ୟ ସମ୍ପର୍କକୁ ଅପବାଦମୁକ୍ତ କରିବାକୁ ଉଦ୍ୟମ କରିଛନ୍ତି। ଏତକ ଛଡ଼ା ଏହି କାହାଣୀରୁ ଅଭିନବତ୍ବ ଆଶା କରିବା ବୃଥା। ସଂଳାପମାନଙ୍କରେ ‘ପପ୍ କଲ୍ଚର୍’ ବା ଲୋକପ୍ରିୟ ସଂସ୍କୃତିର ଉଦ୍ଧୃତିର ମିଶ୍ରଣ ଦ୍ବାରା ଯୁବପିଢ଼ିକୁ ଆକୃଷ୍ଟ କରିବାକୁ ଚେଷ୍ଟା କରାଯାଇଛି। କିନ୍ତୁ ପ୍ରାୟ ପ୍ରତିଟି ଦୃଶ୍ୟରେ ଏହାର ଅତିରିକ୍ତ ପ୍ରୟୋଗ ହାସ୍ୟରସକୁ ବିରକ୍ତିକର ସ୍ତରକୁ ନେଇଯାଇଛି।
ଦୁଇ ମୁଖ୍ୟ ଚରିତ୍ରଙ୍କ ବିବାହ ପ୍ରସଙ୍ଗ ଦୃଷ୍ଟିରୁ ‘ବ୍ୟାଡ୍ ନ୍ୟୁଜ୍’ ‘ଧର୍ମା ପ୍ରଡକ୍ସନ୍ସ’ ପ୍ରଯୋଜିତ ‘ରକି ଔର୍ ରାନୀ କି ପ୍ରେମ କାହାନୀ’ଠାରୁ ବେଶୀ ଅଲଗା ନୁହେଁ। ଭିନ୍ନ ଆଦର୍ଶ, ସଂସ୍କୃତି ଓ ସ୍ବପ୍ନ ନେଇ ବଞ୍ଚୁଥିବା ଦୁଇଜଣ ମଣିଷଙ୍କ ମଧ୍ୟରେ ବିବାହର ପରିଣାମ କ’ଣ ହୋଇପାରେ ଏବଂ ଭଙ୍ଗା ସମ୍ପର୍କକୁ ଯୋଡ଼ିବା ଲାଗି ପୁରୁଷଙ୍କୁ କିଭଳି ଆତ୍ମସମୀକ୍ଷା କରିବାକୁ ହୋଇଥାଏ ‘ରକି ଔର୍ ରାନୀ...’ରେ ତାହାର ଅବତାରଣା ଅଧିକ ଅପ୍ରତ୍ୟାଶିତ ଓ ଉପଭୋଗ୍ୟ ହୋଇଥିଲା। କିନ୍ତୁ ‘ବ୍ୟାଡ୍ ନ୍ୟୁଜ୍’ରେ ଭିକି ଓ ତୃପ୍ତିଙ୍କୁ ଦକ୍ଷତା ପ୍ରଦର୍ଶନର ସେଭଳି ଅବସର ମିଳିନାହିଁ। ଏ ଚଳଚ୍ଚିତ୍ରର ନାୟକ ଅଖିଳ ଚଢ଼ା (ଭିକି) ସଗର୍ବ ନିଜକୁ ଶ୍ରେଷ୍ଠ କହୁଥିବା ବେଳେ ପତ୍ନୀ ସଲୋନୀ ବଗ୍ଗା (ତୃପ୍ତି)ଙ୍କ ପ୍ରତିଷ୍ଠିତ ସେଫ୍ ହେବାର ସ୍ବପ୍ନକୁ ହତାଦର କରେ ଏବଂ ବାହୁବଳ ଦ୍ବାରା ସବୁକିଛିର ସମାଧାନ ସମ୍ଭବ ବୋଲି ବିଶ୍ବାସ କରେ। ତେଣୁ କ୍ୟାରିଅର୍ମନସ୍କ ସଲୋନୀ ଅଖିଳକୁ ଛାଡ଼ପତ୍ର ଦେବା ନିଧାର୍ଯ୍ୟ ବୋଲି ଶୀଘ୍ର ଜଣାପଡ଼େ। ଶେଷ ଆଡ଼କୁ ଅଖିଳ ସ୍ବୀକାର କରେ ଯେ ସେ ସଲୋନୀକୁ ପୂର୍ବରୁ ଭଲ ପାଉନଥିଲା, ବରଂ ସ୍ବାର୍ଥପର ଭାବେ ନିଜ ଖୁସି ଲାଗି ତାକୁ ବ୍ୟବହାର କରୁଥିଲା। ଏବେ ତା’ ଭଲପାଇବା ଯେ ବାସ୍ତବ ତାହା ଦର୍ଶାଇବା ପାଇଁ ଏକ ଚତୁର ଦୃଶ୍ୟାନ୍ତରର ସାହାଯ୍ୟ ନିଆଯାଇଛି। ଅଖିଳ ନିଜ ପିତାଙ୍କ ମୃତ୍ୟୁ ପରଠୁ ଫୋନ୍ରୁ ଦୂରେଇଯିବାର ଭୟ ବା ‘ନୋମୋଫୋବିୟା’ ଦ୍ବାରା ଆକ୍ରାନ୍ତ ଥାଏ, ତେବେ ଡାକ୍ତରଖାନାରେ ଯମଜ ସନ୍ତାନଙ୍କ ଜନ୍ମ ପରେ ସେ ନିଜ ଫୋନ୍ଟିକୁ ନିର୍ଭୟରେ ସଲୋନୀ ପାଖରେ ଛାଡ଼ି ବାହାରକୁ ଚାଲିଯାଏ। ଅସଲ ପ୍ରେମ ଆମକୁ ନିର୍ଭୀକ କରିଦିଏ- ବୋଧହୁଏ କାହାଣୀ ରଚୟିତା ତାହା ହିଁ ବୁଝାଇବାକୁ ଚେଷ୍ଟା କରିଛନ୍ତି।
କୋରିଅଗ୍ରାଫର୍ ଯୋଡ଼ି ‘ବସ୍କୋ-ସିଜର୍’ ଏହି ସିନେମାର ଭାଇରାଲ୍ ଗୀତ ‘ତୌବା ତୌବା’ ଜରିଆରେ ଭିକିଙ୍କୁ ଜଣେ ପ୍ରବୀଣ ନୃତ୍ୟଶିଳ୍ପୀର ପରିଚୟ ଦେଇଛନ୍ତି। ଏ ଗୀତରେ ଭିକିଙ୍କ କଠିନ ‘ହୁକ୍ ଷ୍ଟେପ୍’ ଅନୁକରଣ ଉଦ୍ୟମ କରି ନ ଥିବା ନୃତ୍ୟପ୍ରେମୀଙ୍କ ସଂଖ୍ୟା ନଗଣ୍ୟ। ଅଢ଼େଇ ଘଣ୍ଟାର ଏହି ସିନେମା ଦେଖି ନିରାଶ ହୋଇଥିବା ଦର୍ଶକ ବଡ଼ ପରଦାରେ ‘ତୌବା ତୌବା’ ଦେଖି ହୁଏତ ଅରୁଚିକର ଡିନର୍ ଶେଷରେ ସ୍ବାଦିଷ୍ଠ ମିଷ୍ଟାନ୍ନ ଖାଇବା ଅନୁରୂପ ଆଶ୍ବସ୍ତି ଅନୁଭବ କରିବେ।