ନୂଆଦିଲ୍ଲୀ: ସୁପର୍ଷ୍ଟାର୍ ଶାହରୁଖ ଖାନ ତାଙ୍କ କ୍ୟାରିୟର୍ରେ ଅନେକ ପୁରସ୍କାର ଜିତିଛନ୍ତି। ଫିଲ୍ମଫେୟାର ପୁରସ୍କାର ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରମୁଖ ପୁରସ୍କାର ପର୍ଯ୍ୟନ୍ତ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କିଙ୍ଗ ଖାନ ତାଙ୍କର କୌଣସି ଫିଲ୍ମ ପାଇଁ ଜାତୀୟ ପୁରସ୍କାର ପାଇ ନାହାଁନ୍ତି। ତାଙ୍କର ସେ ଅପେକ୍ଷା ଏବେ ଶେଷ ହୋଇଛି। ତାଙ୍କର କ୍ୟାରିଅର ତିନି ଦଶନ୍ଧିରୁ ଅଧିକ ସମୟର ହୋଇଥିବା ବେଳେ ଏବେ ସେ ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।
ହେଲେ ବିଡ଼ମ୍ବନାର ବିଷୟ ହେଉଛି, ଏଥର ବି ଶାହରୁଖ ପୂର୍ଣ୍ଣ ଭାବରେ ଜାତୀୟ ପୁରସ୍କାର ପାଇପାରିଲେ ନାହିଁ। ତାଙ୍କୁ ଦୁଇ ଲକ୍ଷ ଟଙ୍କା ବଦଳରେ କେବଳ ଏକ ଲକ୍ଷ ଟଙ୍କା ମିଳିବ। କିନ୍ତୁ ଆସନ୍ତୁ ଜାଣିବା କାହିଁକି।
ଶାହରୁଖ ଖାନ ତିନି ଦଶନ୍ଧି ଧରି ହିନ୍ଦୀ ସିନେମାରେ ରାଜତ୍ୱ କରିଛନ୍ତି, କିନ୍ତୁ ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର। ତାଙ୍କୁ ଏହି ପୁରସ୍କାର ‘ଯବାନ’ ଫିଲ୍ମ ପାଇଁ ମିଳିଛି। ‘ଯବାନ’ ବକ୍ସ ଅଫିସରେ ୬୪୦ କୋଟି ଟଙ୍କାରୁ ଅଧିକ ଆୟ କରିଥିଲା। ତଥାପି, ସେ ଏହି ପୁରସ୍କାର ଏକା ପାଇ ନାହାନ୍ତି। ସେ ଏହାକୁ ବିକ୍ରାନ୍ତ ମେସିଙ୍କ ସହିତ ସେୟାର କରିଛନ୍ତି। ବିକ୍ରାନ୍ତ ମେସିଙ୍କୁ "ଟ୍ବିଏଲଥ୍ ଫେଲ୍" ଚଳଚ୍ଚିତ୍ର ପାଇଁ ପୁରସ୍କାର ମିଳିଛି। ଯାହା ଏକ ବାସ୍ତବ ଜୀବନ ଏବଂ ପ୍ରେରଣାଦାୟକ କାହାଣୀ ଉପରେ ଆଧାରିତ।
ଉଭୟ ଅଭିନେତାଙ୍କୁ ପୃଥକ ଭାବରେ ପଦକ ଏବଂ ପ୍ରମାଣପତ୍ର ମିଳିବ। ତଥାପି, ନିୟମ ଅନୁଯାୟୀ, ୨ ଲକ୍ଷ ଟଙ୍କାର ନଗଦ ପୁରସ୍କାର ସମାନ ଭାବରେ ବାଣ୍ଟି ଦିଆଯିବ। ଏହାର ଅର୍ଥ ହେଉଛି ପ୍ରତ୍ୟେକଙ୍କୁ ୧ ଲକ୍ଷରେ ବାଣ୍ଟି ଦିଆଯିବ।