ଦୁଇଟି ଭିନ୍ନ ଭିନ୍ନ ‘କ୍ଲାଇମାକ୍ସ’ ବା ଉପସଂହାର ସହ ଗୋଟିଏ ସିନେମା ରିଲିଜ୍‌ କରିବାର ଅଭିନବ ପରିକଳ୍ପନା ସହିତ ଏକାବେଳେ ଏତେ ସଂଖ୍ୟକ ପ୍ରବୀଣ ଅଭିନେତାଙ୍କୁ ଦେଖିବାର ଦୁର୍ବାର ଆକର୍ଷଣ- ଏ ଯୋଗସୂତ୍ର ଯେକୌଣସି ହାଲୁକା ମନୋରଂଜନଧର୍ମୀ ସିନେପ୍ରେମୀଙ୍କୁ ଆକୃଷ୍ଟ କରିବା ସ୍ବାଭାବିକ। ତେବେ କିଛି ଆଶା ନ ରଖି ‘ହାଉସ୍‌ଫୁଲ୍ ୫’ ଦେଖିବାକୁ ଯାଇଥିବା ଦର୍ଶକଙ୍କୁ ମଧ୍ୟ ଏହି ସିନେମା ହତାଶ କରିବ। ହାସ୍ୟରସାତ୍ମକ ଚରିତ୍ରରେ ଅଭିନୟ କରିବାରେ ପାରଙ୍ଗମ ଏତେଜଣ ତାରକାଙ୍କ ଅଭିଜ୍ଞତା ଓ ଦକ୍ଷତାକୁ ଏହାର ନିର୍ମାତା କେବଳ ଉପେକ୍ଷା କରିନାହାନ୍ତି, ଅପମାନିତ ମଧ୍ୟ କରିଛନ୍ତି।
ନିକଟ ଅତୀତରେ ଯେଉଁ ଏକ ହାସ୍ୟରସ ସିନେମା ଉଭୟ ଦର୍ଶକ ଓ ସମୀକ୍ଷକଙ୍କ ଦ୍ବାରା ସର୍ବାଧିକ ପ୍ରଶଂସିତ ହୋଇଛି, ତାହା ହେଉଛି ଗତ ବର୍ଷର ‘ମାଡ଼ଗାଓଁ ଏକ୍‌ସପ୍ରେସ୍‌’। କୁନାଲ ଖେମୁ ପ୍ରଥମ ଉଦ୍ୟମରେ ଏହି ବିଚକ୍ଷଣ ସିନେମାର ରଚନା ଓ ନିର୍ଦେଶନା ଦେଇ ଅଶ୍ଳୀଳତା ବା ନାରୀବିଦ୍ବେଷ ବିନା କେମିତି ହାସ୍ୟରୋଳ ସୃଷ୍ଟି କରାଯାଇପାରେ ତାହାର ଏକ ଉଜ୍ଜ୍ବଳ ଉଦାହରଣ ସୃଷ୍ଟି କରିଥିଲା। ତା’ ପରେ ‘କ୍ର୍ୟୁ’, ‘ବ୍ୟାଡ୍‌ ନ୍ୟୁଜ୍‌’, ‘ମୁଞ୍ଜା’, ‘ସ୍ତ୍ରୀ ୨’ ଆଦି ସିନେମା ହାସ୍ୟରସକୁ ନେଇ କିଛିକିଛି ନୂଆ ପରୀକ୍ଷାନିରୀକ୍ଷା କରିଥିଲେ, ଯେଉଁଥିରେ ଅଶ୍ଳୀଳତା ସୀମିତ ଥିଲା। 

Advertisment

ତେବେ ‘ହାଉସ୍‌ଫୁଲ୍‌’ ଫ୍ରାଞ୍ଚାଇଜ ଇତିମଧ୍ୟରେ ଚାରିଟି ସମାନ ରକମର ସିନେମା ନିର୍ମାଣ କରିସାରି ଚର୍ବିତଚର୍ବଣ ଧାରାରୁ ବାହାରି କିଛି ନୂଆ କରିବା ପରିବର୍ତ୍ତେ ଅତ୍ୟନ୍ତ ନିମ୍ନ ସ୍ତରର ଯୌନଧର୍ମୀ ଥଟ୍ଟାମଜା ଉପରେ ସଂପୂର୍ଣ୍ଣ ରୂପେ ନିର୍ଭର କରିଛି। ମହିଳାଙ୍କୁ ପଣ୍ୟଦ୍ରବ୍ୟ ଭାବେ ଉପସ୍ଥାପନ କରିବାରେ ଏ ଚଳଚ୍ଚିତ୍ର ନିକଟ ଅତୀତର ସବୁ ବଲିଉଡ୍‌ ସିନେମାକୁ ଅତିକ୍ରମ କରିଯାଇଛି। ହାସ୍ୟରସ ସିନେମାରେ କାହାଣୀ ସେତେ ଗୁରୁତ୍ବପୂର୍ଣ୍ଣ ନ ହେଲେ ବି ‘ହାଉସ୍‌ଫୁଲ୍ ୫’ ଦେଖିବା ପରେ ମନେ ହେଲା ପାଗଳାମି ଓ ଅଡୁଆ ସୂତାସମ ଗୋଳମାଳିଆ ପରିସ୍ଥିତି ସେତେବେଳେ ଉପଭୋଗ୍ୟ ହୁଏ ଯେତେବେଳେ ଚିତ୍ରନାଟ୍ୟ ଓ ସଂଳାପ ପ୍ରତି ସର୍ବନିମ୍ନ ଧ୍ୟାନ ଦିଆଯାଇଥାଏ। ଏହାର କାହାଣୀରେ ବାସ୍ତବରେ କିଛି ବି ଉଲ୍ଲେଖନୀୟ ନାହିଁ। ବରଂ ଜନି ଲିଭର, ନାନା ପାଟେକର, ସଞ୍ଜୟ ଦତ୍ତ, ଶ୍ରେୟସ ତଲପଡ଼େ, ଚଙ୍କି ପାଣ୍ଡେଙ୍କ ପରି ଅଭିଜ୍ଞ ହାସ୍ୟ ଅଭିନେତା ଏହାର ଅବାନ୍ତର କାହାଣୀ ସହିତ ଦୟନୀୟ ଭାବେ ସଂଘର୍ଷ କରିଛନ୍ତି। 

ବୋପା ରାଣ ଢିଙ୍କି ଗିଳ ନ୍ୟାୟରେ ଯଦି ଏହି ସିନେମାର କୌଣସି ଦିଗକୁ ପ୍ରଶଂସା କରିବାକୁ କୁହାଯାଏ ତେବେ କହିହେବ- ଦର୍ଶକଙ୍କ ମୁହଁରେ ହସ ଫୁଟାଇବାକୁ ଅକ୍ଷୟ କୁମାରଙ୍କ ଆପ୍ରାଣ ଉଦ୍ୟମ; ସୋନମ ବାଜଵାଙ୍କ ଏକ ଚମତ୍କାର ପଞ୍ଜାବୀ ସଂଳାପ ଦୃଶ୍ୟ ଓ ଜାକ୍‌ଲିନ୍‌ଙ୍କ ନୃତ୍ୟ କିଛି ମୁହୂର୍ତ୍ତ ଲାଗି ସିନେମାଟିକୁ ଉପଭୋଗ୍ୟ କରିଛି। ଏହି ସିନେମାରେ ଅଭିଷେକ ବଚ୍ଚନଙ୍କ ଚରିତ୍ର ‘ନାର୍କୋଲେପ୍‌ସି’ ରୋଗରେ ପୀଡ଼ିତ, ଯେଉଁଥିରେ ରୋଗୀ ଆକସ୍ମିକ ଭାବେ ଶୋଇପଡ଼େ। ଏହି ସିନେମା ଦେଖିବା ବେଳେ ଦର୍ଶକ ଯଦି ନିଜଠାରେ ପ୍ରଥମ ଥର ନାର୍କୋଲେପ୍‌ସିର ଲକ୍ଷଣ ଅନୁଭବ କରନ୍ତି ତେବେ ବ୍ୟସ୍ତ ହେବାର କିଛି ନାହିଁ। କାରଣ ଏହି ସିନେମାର ଅସହନୀୟ ତିନି ଘଣ୍ଟାର ଦୈର୍ଘ୍ୟ ହିଁ ସେଥିପାଇଁ ଦାୟୀ।