ବରୁଣ ଧଓ୍ୱନ ଓ ଜାହ୍ନବୀ କପୁରଙ୍କ ଅଭିନୀତ ‘ବଓ୍ୱାଲ୍’ ଚଳଚ୍ଚିତ୍ରର ମୁକ୍ତିଲାଭ ପରେ କିଛି ଦର୍ଶକ ଏହାର ଏକ ଦୃଶ୍ୟକୁ ନେଇ ଆପତ୍ତି ପ୍ରକାଶ କରିଆସୁଥିଲେ। ଗତ ୧୮ ତାରିଖରୁ ଓଟିଟି ମଞ୍ଚ ‘ଆମାଜନ୍ ପ୍ରାଇମ୍ ଭିଡିଓ’ରେ ପ୍ରସାରିତ ହେଉଥିବା ଏହି ସିନେମାଟି ଏବେ ଅନ୍ତର୍ଜାତୀୟ ସ୍ତରରେ ବିବାଦୀୟ ହୋଇପଡ଼ିଛି। ଇହୁଦୀ ମାନବାଧିକାର ସଂଗଠନ ‘ସିମନ୍ ଓ୍ୱାଇସେନ୍‌ଥାଲ୍ ସେଣ୍ଟର୍’ ଏହି ଚଳଚ୍ଚିତ୍ରକୁ ‘ଆମାଜନ୍ ପ୍ରାଇମ୍ ଭିଡିଓ’ରୁ ହଟାଇଦେବା ପାଇଁ ଦାବି କରିଛି। ଏପରି ଦାବି ପଛର କାରଣ ହେଉଛି ‘ବଓ୍ୱାଲ୍’ର ଏକ ବିବାଦୀୟ କାଳ୍ପନିକ ଦୃଶ୍ୟ ଯେଉଁଥିରେ ଦୁଇ ମୁଖ୍ୟ ଚରିତ୍ର ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟର ଐତିହାସିକ ଅସ୍‌ଓ୍ୱିଚ୍ ଗ୍ୟାସ୍‌ ଚାମ୍ବର୍‌କୁ ଭ୍ରମଣ କରିଛନ୍ତି। ସେଠାରେ ବରୁଣ ଓ ଜାହ୍ନବୀଙ୍କ ଚରିତ୍ର ମଧ୍ୟରେ ହେଉଥିବା ବାର୍ତ୍ତାଳାପରେ ନାଜିମାନଙ୍କ ଦ୍ବାରା ୬୦ ଲକ୍ଷ ଇହୁଦୀଙ୍କ ଗଣହତ୍ୟାକୁ ତାଚ୍ଛଲ୍ୟ କରାଯାଇଛି ବୋଲି ଉକ୍ତ ସଂଗଠନ ଅଭିଯୋଗ କରିଛି।

Advertisment

ନିକଟରେ ନିର୍ଦେଶକ ନିତେଶ ତିଓ୍ୱାରୀ ତାଙ୍କ ଚଳଚ୍ଚିତ୍ରର ସେହି ଦୃଶ୍ୟର ଯଥାର୍ଥତା ଉଠାଇ କହିଥିଲେ ଯେ ଲୋକମାନେ ଯେଉଁଭଳି ଭାବେ ସେହି ଦୃଶ୍ୟକୁ ବୁଝୁଛନ୍ତି, ତାଙ୍କର ସେଭଳି ଉଦ୍ଦେଶ୍ୟ ନ ଥିଲା। ଜାହ୍ନବୀ ଓ ବରୁଣ ମଧ୍ୟ ପୂର୍ବରୁ ସମାଲୋଚନାକୁ ଖଣ୍ଡନ କରିବାକୁ ଉଦ୍ୟମ କରିଛନ୍ତି। ଏହା ସତ୍ତ୍ବେ ଚଳଚ୍ଚିତ୍ରଟି ଯେ ସମ୍ବେଦନହୀନ ଶୈଳୀରେ ଅସ୍‌ଓ୍ୱିଚ୍‌ ଗଣହତ୍ୟାକୁ ପ୍ରଦର୍ଶିତ କରିଛି ତାହା ଅନେକ ସମୀକ୍ଷକ ଅନୁଭବ କରୁଛନ୍ତି। ସିମନ୍ ଓ୍ୱାଇସେନ୍‌ଥାଲ୍ ସେଣ୍ଟର୍‌ର ସଦ୍ୟ ସମାଲୋଚନା ଆଗକୁ ‘ବଓ୍ୱାଲ୍’ର ନିର୍ମାତାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିପାରେ।