ଆଖି ଖୋଲିବା ମାତ୍ରେ ପତ୍ନୀଙ୍କ ସ୍ଥାନରେ ଯଦି ଆଉ କେହି ସୁନ୍ଦରୀ ନାରୀ ଚା’ କପ୍‌ ଧରି ଛିଡ଼ା ହୋଇଥାନ୍ତି, ତେବେ କ’ଣ କରିବେ?

ସାକ୍ଷାତ୍‌କାର/ବନ୍ଦନା ମିଶ୍ର

ଭୁବନେଶ୍ୱର: ଓଡ଼ିଶା ସଂଗୀତ ଜଗତରେ ବେଶ୍ ପରିଚିତ ଗୀତିକାର ଅରୁଣ ମନ୍ତ୍ରୀ।  ବହୁ ଲୋକପ୍ରିୟ ଗୀତର ଗୀତିକାର ଅରୁଣ ଦୀର୍ଘ ୨୫ ବର୍ଷ ହେବ ସଂଗୀତ ଦୁନିଆରେ ନିଜର କରିସ୍ମା ଦେଖାଇ ଚାଲିଛନ୍ତି।  ଓଡ଼ିଆ ସଂଗୀତ ପରିସରକୁ ୧୦୦୦ରୁ ଊର୍ଧ୍ୱ ଗୀତ ଭେଟି ଦେଇଥିବା ଏହି ସ୍ରଷ୍ଟା ୧୫୦ରୁ ଊର୍ଧ୍ୱ ସିନେମାରେ କାମ କରି ସାରିଛନ୍ତି। ପ୍ରାୟତଃ ସମସ୍ତ ସଂଗୀତ ନିର୍ଦ୍ଦେଶକଙ୍କ ସହ କାମ କରି ସେ ଭିନ୍ନ ଭିନ୍ନ ସ୍ବାଦର ଗୀତ ସୃଷ୍ଟି କରିଛନ୍ତି  । ପ୍ରଥମେ ଏକ ଭଜନରୁ ନିଜର ଗୀତିକାର ଜୀବନ ଆରମ୍ଭ କରି ପରେ ୧୦୦୦ରୁ ଊର୍ଧ୍ୱ ଆଲବମ ଗୀତ ଲେଖିଛନ୍ତି ଅରୁଣ । ସେ ଶ୍ରେଷ୍ଠ ଗୀତିକାର ଭାବେ ୨ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ତାଙ୍କର ପ୍ରଥମ ସିନେମା ଥିଲା ‘କାଶିଆ କପିଳା’। ଏହି ସିନେମାରେ ଥିବା ୬ଟିରୁ ୫ଟି ଗୀତ ରଚନା କରିଥିଲେ ଅରୁଣ ମନ୍ତ୍ରୀ। ତାଙ୍କର ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରେ ରହିଛି ‘ମାଧବ ହେ ମାଧବ..’, ‘ଚିରି ଦେବା ଆଗରୁ ଚିଠି ଥରେ ପଢ଼ି ଦେଖ..’, ‘ଏମିତି ରଂଗ ଦେ ଲୋ ଫୁଲ..’, ‘ଏ ଜୀବନ ଯୌବନ..’, ‘ଆକାଶ କି ରଂଗ ଲାଗିଲା..’ ଓ ‘ନିଶ୍ୱାସ ତୋ ବିନା ମୋର ଚାଲେନା..’ ଇତ୍ୟାଦି।  ଏ ସପ୍ତାହରେ ତାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତ୍‌କାର।

୧. ପ୍ରଶ୍ନ: ଅନେକ ଗୀତିକାରଙ୍କ ଉପରେ ଗୀତ ଚୋରିର ଆରୋପ ଲାଗିଛି। ଆପଣଙ୍କୁ କେବେ ସେପରି ପରିସ୍ଥିତିର ଶିକାର ହେବାକୁ ପଡ଼ିଛି କି?
ଉତ୍ତର: ନା, ମୋ ନା‌ମରେ ସେଭଳି ଅଭିଯୋଗ ଆସିନାହିଁ। ମୁଁ କେବେ କାହା ଗୀତ ଚୋରି କରିନାହିଁ। ଯଦି କିଛି ଅନ୍ୟ ଭାଷାର ଗୀତ କେବେ ଭଲ ଲାଗେ ତେବେ ସେ ଗୀତର ମୂଳଭାବକୁ ନେଇ ପାରିଥାଏ। କେବେ ଅନ୍ୟ କାହାର ଗୀତକୁ ନେଇ କେବେ ମୋ ନାମ ଦେଇନାହିଁ।

୨. ପ୍ରଶ୍ନ: ପତ୍ନୀଙ୍କ ପାଇଁ କେବେ ଗୀତ ଲେଖିଛନ୍ତି କି ? ନା  ତାଙ୍କ ବ୍ୟତୀତ ଅନ୍ୟ କେଉଁ ନାରୀଙ୍କ ଦ୍ବାରା ପ୍ରଭାବିତ ହୋଇ ଗୀତ ରଚନା କରିଛନ୍ତି?
ଉତ୍ତର: ପତ୍ନୀଙ୍କ ପାଇଁ ତ ଲେଖିନାହିଁ, ଅନ୍ୟ ନାରୀ ତ ଦୂରର କଥା। ମୁଁ ସବୁବେଳେ ଚଳଚ୍ଚିତ୍ର ହେଉ ବା ଆଲ୍‌ବମ ହେଉ ତାହାର କାହାଣୀକୁ ନେଇ ଗୀତ ଲେଖିଥାଏ।

୩. ପ୍ରଶ୍ନ: ସକାଳୁ ଆପଣ ଆଖି ଖୋଲିବା ପରେ ଆପଣଙ୍କ ଶୋଇବା ଘରେ ପତ୍ନୀଙ୍କ ବଦଳରେ କେହି ଜଣେ ସୁନ୍ଦରୀ ନାରୀ ଯଦି ଆପଣଙ୍କ ସାମ୍ନାରେ ଚା’ ଧରି ଛିଡ଼ା ହୋଇଥିବେ ତ ଆପଣଙ୍କ ପ୍ରତିକ୍ରିୟା କ’ଣ ହେବ ?
ଉତ୍ତର: ସେ ନାରୀ ଜଣକ ମୋ ମାଆ କିମ୍ବା ଭଉଣୀ ବି ହୋଇଥାଇ ପାରନ୍ତି, ତେଣୁ ଆଶ୍ଚର୍ଯ୍ୟ ହେବାର କିଛି କାରଣ ନାହିଁ। ଚିହ୍ନା ଲୋକଟେ ହୋଇଥିଲେ କାହିଁକି ବା ପ୍ରତିକ୍ରିୟା ହେବ?

୪. ପ୍ରଶ୍ନ: ଆପଣଙ୍କ ଘର ଜଗତ୍‌ସିଂହପୁର ମଣିଜଙ୍ଗା। ୧୯୯୯ ମସିହା ବାତ୍ୟାରେ ଆପଣଙ୍କ ଅଞ୍ଚଳ ଖୁବ୍‌ ପ୍ରଭାବିତ ହୋଇଥିଲା। ଇତିମଧ୍ୟରେ ୨୦ ବର୍ଷ ବିତି ଯାଇଛି। ସେ ସମୟର କିଛି ତିକ୍ତ ଅନୁଭୂତି ଅଛି କି?
ଉତ୍ତର: ୧୯୯୯ ମସିହାରେ ମୁଁ ଆକାଶବାଣୀରେ କାମ କରୁଥିଲି। ବାତ୍ୟା ସମୟରେ ମୁଁ ସେଇଠାରେ ହିଁ ଥିଲି। ଯେହେତୁ କ୍ୟାଣ୍ଟିନ୍‌ରୁ ସବୁ ଖାଦ୍ୟ ସରି ଯାଇଥିଲା ବାତ୍ୟା ସମୟରେ ମୁଁ ଦୁଇ ଦିନ ଚିନି ପାଣି ପିଇ ରହିଥିଲି। ବାତ୍ୟା ସରିବା ପରେ କଟକରୁ ଗାଁ ପର୍ଯ୍ୟନ୍ତ ୬୦ କିମି ବାଟ ମୁଁ ସାଇକେଲ୍‌ରେ ଯାଇଥିଲି। ତେବେ, ଆମ ଗାଁରେ ଅନ୍ୟମାନଙ୍କ ଦୁଃଖ ତୁଳନାରେ ଆମ ଦୁଃଖ ଖୁବ୍‌ କମ୍‌ ଥିଲା।

Facebook

୫. ପ୍ରଶ୍ନ: ଆପଣଙ୍କ ଉପରେ କେବେ ଚୋରି ଅଭିଯୋଗ ଆସିଛି କି? ସେପରି କିଛି ଅନୁଭୂତି ବାଣ୍ଟିବେ ଆମ ସହ?
ଉତ୍ତର: ହଁ, ଅନେକ ଥର। ଅନେକ ଥର ବାପାଙ୍କ ପକେଟରୁ ଟଙ୍କା ଚୋରି କରିଛି। ଘରେ ମୋ ଭାଗ ଖାଇସାରିବା ପରେ ଭାଇଭଉଣୀଙ୍କ ଭାଗ ଚୋରେଇକି ଖାଇ ଦେଉଥିଲି।ଘର ପାଖରେ ଆମର ଏକ ଡାକବଙ୍ଗଳା ଅଛି। ଖରାବେଳେ ସେଠାରୁ ପଇଡ଼ ଚୋରି କରୁଥିଲି ସାଙ୍ଗମାନଙ୍କ ସହ ମିଶି। ଅନ୍ୟ ବାଡ଼ିରୁ ଆମ୍ବ ବି ଚୋରି କରୁଥିଲି।

୬. ପ୍ରଶ୍ନ: ଯଦି ଆପଣଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରି ଦିଆଯାଏ ତେବେ ଓଡ଼ିଶାର ରୂପଚିତ୍ରକୁ କିପରି ଭାବେ ବଦଳାଇବେ? କେଉଁ ଦିଗକୁ ବିଶେଷ ଦୃଷ୍ଟି ଦେବେ?
ଉତ୍ତର: ତିନୋଟି କଥାକୁ ବିଶେଷ ଗୁରୁତ୍ୱ ଦେବି। ତାହା ହେଉଛି ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ। ଯେଉଁ ରାଜ୍ୟର ଏହି ୩ଟି କଥା ଯେତେ ସମୃଦ୍ଧ ସେ ରାଜ୍ୟ ସେତେ ଉନ୍ନତ। ଯଦି ଡାକ୍ତରଖାନାଟିଏ ୧୦୦ କିଲୋମିଟର ଦୂରରେ ବି ଅଛି ଉଚିତ ଗମନାଗମନ ସୁବିଧା ଥିଲେ ରୋଗୀଟି ୧ ଘଣ୍ଟା ଭିତରେ ଡାକ୍ତରଙ୍କ ପାଖରେ ପହଞ୍ଚି ପାରିବ। ଯଦି ୧୦ କିଲୋମିଟର ଦୂରରେ ବି ଅଛି ଡାକ୍ତରଖାନା ମାତ୍ର ଗମନାଗମନ ସୁବିଧା ନ ଥିଲେ ୨ ଘଣ୍ଟା ଲାଗିଯାଇପାରେ। ମାତ୍ର ସେପରି ସୁଯୋଗ ମୋ ଭାଗ୍ୟରେ କେବେ ଆସିବାର ନାହିଁ।

୭.ପ୍ରଶ୍ନ: ଏବେ ଅଧିକାଂଶ ଓଡ଼ିଆ ଗୀତରେ ହିନ୍ଦୀ, ଇଂରାଜୀ ଶବ୍ଦ ବ୍ୟବହାର କରାଯାଉଛି। କାହିଁକି? ସଂପୂର୍ଣ୍ଣ ଓଡ଼ିଆ ଶବ୍ଦ ବ୍ୟବହାର କରାଯାଇ କ’ଣ ମନଛୁଆଁ ଗୀତ କରି ହେବ ନାହିଁ?
ଉତ୍ତର: ନିଶ୍ଚିତ କରାଯାଇ ପାରିବ। କିନ୍ତୁ ଅନ୍ୟ ଭାଷାର ଶବ୍ଦଗୁଡ଼ିକର ଯୁଗେ ଯୁଗେ ଅନୁପ୍ରବେଶ ଘଟିଛି। କେବଳ ଓଡ଼ିଆ ଭାଷା କିମ୍ବା ସଂଗୀତରେ ନୁହେଁ, ଅନ୍ୟ ଭାଷା ଓ ସାହିତ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭାଷା ଶବ୍ଦର ଅନୁପ୍ରବେଶ ଘଟିଛି। ଆପଣ ବି ଏବେ ଯେଉଁ ସବୁ ପ୍ରଶ୍ନ ପଚାରିଲେ ସଂପୂର୍ଣ୍ଣ ଓଡ଼ିଆରେ ପଚାରିପାରି ନାହାନ୍ତି କି ମୁଁ ମଧ୍ୟ ପୂରା ଓଡ଼ିଆରେ ଉତ୍ତର ଦେଇପାରି ନାହିଁ। ମାତ୍ର ଆମ ଭାଷା ଯଦି ଶକ୍ତିଶାଳୀ ତେବେ ଅନୁପ୍ରବେଶକାରୀ ଶବ୍ଦଗୁଡ଼ିକ ଆଦୌ ବି କାଳଜୟୀ ନୁହଁନ୍ତି। ଗୀତଟିକୁ ସାମାନ୍ୟ ଲୋକାଭିମୁଖୀ କରିବା ପାଇଁ ଏପରି ବେଳେ ବେଳେ କରିବାକୁ ହୁଏ।

(ଆପଣଙ୍କ ମୂଲ୍ୟବାନ ସମୟରୁ ଆମକୁ କିଛି ଦେଇଥିବାରୁ ଆପଣଙ୍କୁ ‘ସମ୍ବାଦ.ଇନ୍‌’ ତରଫରୁ ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ)

ସମ୍ବନ୍ଧିତ ଖବର