ଭୁବନେଶ୍ୱର: ଓଡ଼ିଆ ନାଟକ, ଧାରାବାହିକ ଓ ଚଳଚ୍ଚିତ୍ର ଆଦି ବିଭିନ୍ନ କ୍ଷେତ୍ରରେ ନିଜର ଅଭିନୟ ଦକ୍ଷତା ପ୍ରତିପାଦିତ କରିଥିବା ଜଣେ ଅନନ୍ୟ ପ୍ରତିଭା ଭୂପତି ତ୍ରିପାଠୀ । ସେ ପ୍ରଥମେ ମଞ୍ଚରେ ଅଭିନୟ କରୁ କରୁ ୧୯୮୧ ମସିହାରେ ଅଡିସନ୍ ପାସ୍ କରି ‘ଦୂରଦର୍ଶନ’ରେ ଏକ ନାଟକରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ସେ ସମୟରେ ରେଡିଓରେ ପ୍ରସାରଣ ହେଉଥିବା ପ୍ରସିଦ୍ଧ ନାଟକ ‘ମିତୁ ଅପା’ରେ ମଧ୍ୟ ସେ ଅଭିନୟ କରିଥିଲେ। ୧୯୮୬ ମସିହାରେ ‘ସତ କେବେ ଲୁଚି ରହେନା’ ଚଳଚ୍ଚିତ୍ରରୁ ଆରମ୍ଭ ହୋଇଥିଲା ତାଙ୍କ ସିନେମା ଯାତ୍ରା। ତା’ପରେ ସେ ‘କୁରୁକ୍ଷେତ୍ର’ ଚଳଚ୍ଚିତ୍ରରେ ନାୟକ ଭାବେ ଅବତୀର୍ଣ୍ଣ ହୋଇଥିଲେ। ୬୦ରୁ ୭୦ଟି ସିନେମା, ପ୍ରାୟ ୧୦ରୁ ୧୨ଟି ମେଗା ସିରିୟଲ୍, ଆଲବମ୍ ଆଦିରେ ଅବତୀର୍ଣ୍ଣ ହୋଇଥିବା ଏହି ସ୍ରଷ୍ଟାଙ୍କ ଉଲ୍ଲେଖନୀୟ ଚଳଚ୍ଚିତ୍ରଗୁଡ଼ିକ ଭିତରେ ରହିଛି ‘ଓ ମାଇଁ ଲଭ୍’, ‘ତୁ ମୋ ସୁନା ଚଢ଼େଇ’ ଓ ‘ନାୟକର ନାଁ ଦେବଦାସ’ ଇତ୍ୟାଦି। ଏ ସପ୍ତାହରେ ତାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତ୍କାର।
/sambad/media/post_attachments/wp-content/uploads/2020/01/11269016_388025578049341_2893205951210263061_o-300x300.jpg)
୧.ପ୍ରଶ୍ନ: ଆପଣଙ୍କୁ ଜଣେ ଟେଲି କଳାକାର ଭାବେ ଲୋକ ବେଶୀ ଜାଣନ୍ତି। ବଡ଼ ପରଦାରେ ଆପଣଙ୍କୁ ସେତେଟା ସଫଳତା ମିଳିନାହିଁ। ତା’ର କାରଣ କ’ଣ ହୋଇପାରେ?
ଉତ୍ତର: ଆପଣ ଠିକ୍ କହୁଛନ୍ତି। ମୁଁ ବଡ଼ ପରଦାରେ ଯେତିକି ଆଶା ରଖିଥିଲି ସେତିକି ସଫଳତା ମିଳିନାହିଁ। ମୁଁ ଜଣେ ନାୟକ ହେବା ପାଇଁ ସିନେମାରେ ପାଦ ଦେଇଥିଲି। ମାତ୍ର ମୋର ଉଚ୍ଚତା ଓ ଗମ୍ଭୀର କଣ୍ଠସ୍ୱର ପାଇଁ ମୋତେ ନିର୍ଦ୍ଦେଶକମାନେ ଖଳନାୟକ ସଜାଇଦେଲେ। ଧୀରେ ଧୀରେ ନକାରାତ୍ମକ ଚରିତ୍ରକୁ ଗ୍ରହଣ କରିଗଲି ଓ କରିଚାଲିଛି।
୨.ପ୍ରଶ୍ନ: ଟେଲିଭିଜନରେ ଆପଣ ଅଧିକାଂଶ ସକାରାତ୍ମକ ଚରିତ୍ରରେ ନଜର ଆସିଛନ୍ତି। ନକାରାତ୍ମକ ଚରିତ୍ରରେ ବିଶେଷ କରି ସିନେମାରେ ହିଁ ଦିଶିଛନ୍ତି। ତାହାର କାରଣ କ’ଣ?
ଉତ୍ତର: ସେପରି ତ କିଛି ନିର୍ଦ୍ଦିଷ୍ଟ କାରଣ ନାହିଁ। ମାତ୍ର ନକାରାତ୍ମକ ଚରିତ୍ର କରିବା ପରେ ସିନେମାର ଦର୍ଶକ ସେହ ଚରିତ୍ରରେ ଆପଣେଇ ନେଲେ। ସେହିପରି ଭାବେ ଧାରାବାହିକରେ ବି ଦର୍ଶକମାନେ ମୋତେ ନାୟକ ଭାବେ ଗ୍ରହଣ କରି ନେଲେ। ଦର୍ଶକଙ୍କ ଗ୍ରହଣୀୟତାକୁ ସମ୍ମାନ ଦେଇ ଚରିତ୍ର କରିବାକୁ ପଡୁଛି।
୩. ପ୍ରଶ୍ନ: ଆପଣ ବିଭିନ୍ନ ଚରିତ୍ରରେ ନଜର ଆସିଛନ୍ତି। ତେବେ ଆପଣଙ୍କ କେଉଁ ଚରିତ୍ର ପାଇଁ ଦର୍ଶକ ଆପଣଙ୍କୁ ମନେ ରଖିବେ ବୋଲି ଆପଣ ଭାବୁଛନ୍ତି?
ଉତ୍ତର: ‘ତୁ ମୋ ସୁନା ଚଢ଼େଇ’ ଓ ‘ନାୟକର ନାଁ ଦେବଦାସ’ ଚଳଚ୍ଚିତ୍ରରେ ମୋତେ ଯେଉଁ ଚରିତ୍ର ମିଳିଛି ତାହାକୁ ଦର୍ଶକ ନିଶ୍ଚୟ ମନେ ରଖିବେ ବୋଲି ମୋର ବିଶ୍ୱାସ।
୪. ପ୍ରଶ୍ନ: ଯଦି ଆପଣଙ୍କୁ ସିନେମା ଓ ଧାରାବାହିକ ଭିତରୁ କେଉଁ ଗୋଟାଏକୁ ଚୟନ କରିବାକୁ ପଡ଼େ ତେବେ ଆପଣ କେଉଁଟିକୁ ବାଛିବେ?
ଉତ୍ତର: ବର୍ତ୍ତମାନ ବଜାରର ପରିସ୍ଥିତିକୁ ଦୃଷ୍ଟିରେ ରଖିଲେ ମୁଁ ଧାରାବାହିକକୁ ବାଛିବି।
୫.ପ୍ରଶ୍ନ: ପରଦାରେ ନିଭାଇଥିବା କେଉଁ ଚରିତ୍ର ସହ ଆପଣଙ୍କ ବ୍ୟକ୍ତିତ୍ୱର ସମାନତା ଅଛି ବୋଲି ଆପଣଙ୍କୁ ଲାଗେ?
ଉତ୍ତର: ଆଜ୍ଞା, ଗୁଡ଼ାଏ ସିରିୟଲ୍ ଓ ଫିଲ୍ମରେ ମୋତେ ଅବିକଳ ମୋ ବ୍ୟକ୍ତିତ୍ୱ ପରି ଚରିତ୍ର ମିଳିଛି। ଧାରାବାହିକ ‘ସଂପର୍କ’, ‘ନେଇ ଯାଆରେ ମେଘ ମୋତେ’, ‘ଏସିପି ନିକିତା’, ‘ବୋହୂ’ ଓ ଚଳଚ୍ଚିତ୍ର ‘ତୁ ମୋ ସୁନା ଚଢ଼େଇ’ ଆଦିରେ ମୋ ଚରିତ୍ରକୁ ଖାପ ଖାଇବା ପରି ଭୂମିକା ମୋତେ ମିଳିଛି।
୬. ପ୍ରଶ୍ନ: ବିବାହ କେମିତି ହୋଇଛି? ପ୍ରେମ ନା ବ୍ୟବସ୍ଥିତ?
ଉତ୍ତର: ନାଇଁ ମୋର ବ୍ୟବସ୍ଥିତ ବିବାହ। ମାତ୍ର ବିବାହ ପୂର୍ବରୁ ଆମେ ପରସ୍ପରଙ୍କୁ ଜାଣିଥିଲୁ। ପରସ୍ପରଙ୍କ ସହମତିରେ ବିବାହ ହୋଇଛି।
୭. ପ୍ରଶ୍ନ: ଆଜିକାଲି ଆଉ ଯୌଥ ପରିବାର ପ୍ରାୟ ଦେଖିବାକୁ ମିଳୁନାହିଁ। ମାତ୍ର ଆପଣଙ୍କର ପାଞ୍ଚ ଭାଇ ଓ ଏବେ ବି ସମସ୍ତେ ସାଥି ହୋଇ ଏକ ବିରାଟ ଯୌଥ ପରିବାରରେ ରହୁଛନ୍ତି ବୋଲି ଆମେ ଶୁଣିଛୁ? କେମିତି ରହିଛି ଅନୁଭୂତି?
ଉତ୍ତର: ଯିଏ ଯୌଥ ପରିବାରରେ ରହିଛି ସିଏ ହିଁ ତା’ ମଜା ଜାଣିଛି। ଘରର କାହାର ଯଦି ଦେହ ଖରାପ ହେଲା ପୂରା ପରିବାର ସାଥୀରେ ଥିବ। କିିଛି ପାରିବାରିକ ଉତ୍ସବ ହେଲେ ସଂପର୍କୀୟ ଆସିବା ପୂର୍ବରୁ ପରିବାର ଲୋକ ମିଶି ପାର୍ବଣ ପରିବେଶ ବନାଇ ଦେଇଥିବେ। ବେଳେ ବେଳେ ସମସ୍ୟା ତ ନିଶ୍ଚୟ ଆସିବ, ମାତ୍ର ବିଶେଷ ଭାବେ ମଜାମସ୍ତିରେ ହିଁ ସମୟ କଟିଯାଏ। ଆମ ପାଞ୍ଚ ଭାଇଙ୍କର ଜଣେ ଭଉଣୀ ଅଛି। ସେ ବିବାହିତା। ବାପା-ମା’ଙ୍କ ଆଶୀର୍ବାଦରୁ ଆମେ ସମସ୍ତେ ଏକମନ ହୋଇ ବେଶ୍ ଭଲରେ ଅଛୁ।
/sambad/media/post_attachments/wp-content/uploads/2020/01/841164_100748630110372_718502721_o-300x199.jpg)
(ଆପଣଙ୍କ ମୂଲ୍ୟବାନ ସମୟ ଦେଇ ଆମ ସହ ସାମିଲ୍ ହୋଇଥିବାରୁ ଆପଣଙ୍କୁ ‘ସମ୍ବାଦ.ଇନ୍’ ତରଫରୁ ଅନେକ ଶୁଭେଚ୍ଛା ଓ ଶୁଭକାମନା)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Bhupati_Special-Story_Thumbnail.jpg)