ପରଦାରେ ହସେଇ ହସେଇ ବେଦମ କରୁଥିବା ଜୀବନ ପଣ୍ଡାଙ୍କ ବ୍ୟକ୍ତିଗତ ଜୀବନର ଏହି ଦୁଃଖଦ ଅନୁଭୂତି ସାରା ଜୀବନ ସାଥୀରେ ରହିବ

ସାକ୍ଷାତ୍‌କାର/ ବନ୍ଦନା ମିଶ୍ର

ଭୁବନେଶ୍ୱର: ଓଲିଉଡ୍‌ ଜଗତର ଅନେକ ଚର୍ଚ୍ଚିିତ ଚେହେରା ଭିତରୁ ଜୀବନ ପଣ୍ଡା ଅନ୍ୟତମ। ୭୦-୮୦ ଦଶକର ପ୍ରସିଦ୍ଧ ହାସ୍ୟାଭିନେତା ରାଧା ପଣ୍ଡାଙ୍କ ସୁପୁତ୍ର ଜୀବନ ପ୍ରାୟ ୧୫୦ରୁ ଊର୍ଧ୍ୱ ଓଡ଼ିଆ, ହିନ୍ଦୀ ଓ ବଂଗଳା ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ ୩୫୦ରୁ ଊର୍ଧ୍ୱ ନାଟକ କରି ସାରିଛନ୍ତି। । ସେ ପ୍ରାୟ ସବୁ ପ୍ରକାରର ଅଭିନୟ କରିବାରେ ଦକ୍ଷ ଥିଲେ ମଧ୍ୟ ଦର୍ଶକମାନେ ବିଶେଷ ଭାବେ ତାଙ୍କୁ ହାସ୍ୟାଭିନେତା ଭାବେ ଗ୍ରହଣ କରି ନେଇଛନ୍ତି। ‘ପଞ୍ଚୁ ପାଣ୍ଡବ(୧୯୮୯ )’ ସିନେମା ଜରିଆରେ ଓଲିଉଡ୍‌ରେ ପ୍ରବେଶ କରିଥିବା ଏହି ସ୍ରଷ୍ଟାଙ୍କର ଉଲ୍ଲେଖନୀୟ ସିନେମା ଗୁଡ଼ିକ ମଧ୍ୟରେ ରହିଛି ‘କୃଷ୍ଣା କାବେରୀ’, ‘ଆଇ ଲଭ୍‌ ୟୁ’, ‘ଅର୍ଜୁନ’, ‘ଅଭିମନ୍ୟୁ’, ‘ବନ୍ଦେ ଉତ୍କଳ ଜନନୀ’, ‘ପିଲାଟା ବିଗିଡ଼ିଗଲା’, ‘ସୁନ୍ଦରଗଡ଼ର ସଲମାନ ଖାନ’, ‘ଲଭ୍‌ ପାଇଁ କୁଛ୍‌ ବି କରେଗା’, ‘ଲଭ୍‌ ଷ୍ଟେସନ୍‌’, ‘ଶ୍ରୀମାନ ସୁରଦାସ’, ‘ସଞ୍ଜୁ ଆଉ ସଞ୍ଜନା’ ଇତ୍ୟାଦି। ଏ ସପ୍ତାହରେ ତାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତ୍‌କାର।

୧.ପ୍ରଶ୍ନ: ନବେ ଦଶକରେ ହଇଚଇ ସୃଷ୍ଟି କରୁଥିବା ଜୀବନ ପଣ୍ଡାଙ୍କର ପରବର୍ତ୍ତୀ ମୁହୂର୍ତ୍ତରେ ଅନେକ ପ୍ରତିନ୍ଦ୍ୱନ୍ଦି ଆସିଛନ୍ତି। କେବେ ଈର୍ଷା ହୁଏନି ସେଥିପାଇଁ?
ଉତ୍ତର: ନା। କମେଡି ଏମିତି ଏକ ବିଷୟ ଯାହାର ଭେରିଏସନ୍‌ ହେଉଛି ୨୭ ପ୍ରକାର। ତ ଆଜିର ତାରିଖରେ ଏ ୨୭ ଫର୍ମାଟକୁ ଗ୍ରହଣ କରି ଅଭିନୟ କରିବା ହେଛଉଛି କଳା। ମୋ ହିସାବରେ ମୋର କେହି ପ୍ରତିଦ୍ୱନ୍ଦ୍ୱି ନାହାନ୍ତି। ଗୋଟିଏ ରାସ୍ତାରେ ମୁଁ ଏକୁଟିଆ ହିଁ ଚାଲେ। ତେଣୁ ମୁଁ କାହାକୁ ପ୍ରତିଦ୍ୱନ୍ଦି ଭାବୁନି। ପ୍ରତିନ୍ଦ୍ୱନ୍ଦି ଆସନ୍ତୁ, ଆସିଲେ ବିଭିନ୍ନ ପ୍ରକାରର ଜିନିଷ ଦେଖିବାକୁ ମିଳିବ।

୨.ଆପଣ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି କି? ଯଦି ହଁ ତେବେ ଈଶ୍ୱର ଯଦି କୁହନ୍ତୁ ଅଭିନୟ ଛାଡ଼ିବାକୁ ଆପଣ ଛାଡ଼ିବେ?
ଈଶ୍ୱର: ଈଶ୍ୱର କହିଲେ କାହାକୁ କହିବୁ। ଈଶ୍ୱର ତ ଶୂନ୍ୟରୁ, ମହାଶୂନ୍ୟ, ମହାଶୂନ୍ୟରୁ ବ୍ରହ୍ମ, ବ୍ରହ୍ମରୁ ବ୍ରାହ୍ମାଣ୍ଡ। ତେଣୁ ଈଶ୍ୱରଙ୍କ ଉପରେ ବିଶ୍ୱାସ ନାହିଁ କାହିଁକି? ଈଶ୍ୱର ଉପରେ ବିଶ୍ୱାସ ଅଛି, ପ୍ରଗାଢ଼ ବିଶ୍ୱାସ ଅଛି। ମୋର ବି ମନରେ କିଛି ଦେବତା ଅଛନ୍ତି। ମୋର ବି ନୀତି ଅଛି, ନିଷ୍ଠା ଅଛି। ମୁଁ ସାଧେ କିନ୍ତୁ ଏଇ ପେଣ୍ଟ୍‌ସାର୍ଟ ପିନ୍ଧା ବେଶରେ। ମୁଁ ବିଶ୍ୱାସ କରେନି ଯେ ଏକ ପୋଷାକ ବା ଏକ ଆବରଣ ନେଲେ ଈଶ୍ୱର ମିଳନ୍ତି। ଈଶ୍ୱରଙ୍କୁ ସବୁ ସମୟରେ ସମୟରେ ସବୁ ସ୍ଥାନରେ ଆପଣ ଯଦି ସ୍ମରଣ କରିବେ ସେ ମିଳିବେ। ତାହା ନ ହୋଇଥିଲେ ଦାସିଆ ବାଉରି ହାତରୁ ସେ ନଡ଼ିଆଟା ଉଭାନ ହେଇଯାଇ ନଥାନ୍ତା। ଯଦି କହିବେ ଅଭିନୟ ଛାଡ଼ିବି କିନ୍ତୁ ତା ବଦଳରେ ସେ ମୋତେ ତାଙ୍କ ସେବା କରିବାର ଅନୁମତି ଦେବେ ତ?

୩.ପ୍ରଶ୍ନ: ବିବାହ ପରେ କେବେ ପ୍ରେମ ହୋଇଛି କି? ପତ୍ନୀଙ୍କ ବ୍ୟତୀତ ଆଉ କାହା ପ୍ରେମରେ ପଡ଼ିଛନ୍ତି କି କେବେ?
ଉତ୍ତର: ହଁ କାମରେ ପଡ଼ିଛି, ଚରିତ୍ରରେ ପଡ଼ିଛି। କାର୍ଯ୍ୟକ୍ରମକୁ ବା ସହ କଳାକାରଙ୍କୁ ପ୍ରେମ କରିବାକୁ ପଡ଼େ ଅଭିନୟ ସମୟରେ। ନହେଲେ ଅଭିନୟ ଜୀବନ୍ତ ହେବ କିପରି?

୪. ପ୍ରଶ୍ନ: ଜୀବନର ଏପରି ଏକ ମୁହୂର୍ତ୍ତ କୁହନ୍ତୁ ଯାହା ଆପଣଙ୍କୁ ଜୀବନ ସାରା ଖୁବ୍‌ କଷ୍ଟ ଦେବ? ଯାହାକୁ କୁହନ୍ତି ଏକ ପିତା ଅନୁଭୂତି।
ଉତ୍ତର: ମିଠା ଅନୁଭୂତି ତ ଅନେକ ରହିଛି। ହେଲେ ବାପାଙ୍କ ଚାଲିଯିବା ଅନୁଭୂତିଟା ସବୁଠୁ ବଡ଼ ପିତା ଅନୁଭୂତି। କାହିଁକି ନା ବାପା କୋଳେଇ ଥିଲେ, କାଖେଇ ଥିଲେ, ହାତ ଧରି ଚଲେଇଲା ବେଳକୁ ଚାଲିଗଲେ। ଖୁବ୍‌ ଶୀଘ୍ର ଯେହେତୁ ମୁଁ ବାପାଙ୍କୁ ହରାଇଲି ସେ ଦୁଃଖଟା ଆଉ ସରିବନି, ସେମିତି ରହିଲା।


୫.ପ୍ରଶ୍ନ: ଆପଣ ଅଶୋକ ପତିଙ୍କ ଅଧିକାଂଶ ସିନେମାରେ ନଜର ଆସନ୍ତି। ତାହାର କିଛି ନିର୍ଦ୍ଦିଷ୍ଟ କାରଣ ଅଛି?
ଉତ୍ତର: ମୂଳ କଥା ହେଉଛି ସଂପର୍କର କଥା। ମୋ ଭିତରେ ସେ ଅନେକ କିଛି ପାଏ। ଗୋଟେ ଟିପିକଲ୍ଟ ଛୁଙ୍କ ଯେଉଁଟା ସବୁ ତରକାରୀରେ ପଡ଼ିପାରିବ। କମେଡି, ଟ୍ରାଜେଡି , ଭିଲାୟାନ ସବୁ ପ୍ରକାର ଅଭିନୟରେ ମୁଁ ଖାପ ଖାଇପାରେ ବୋଲି ସେ ଭାବେ। ମୁଁ କେବେ ଦୃଶ୍ୟକୁ ନେଇ ବିବେଚନା କରେନା, ତାହା ତାକୁ ଭଲ ଲାଗେ। ଖାଲି ଅଶୋକ ନାଇଁ ମୁଁ ଦୀଲିପ ପଣ୍ଡା, ହର ଭାଇ, ଚଣ୍ଡୀ ଭାଇ ପ୍ରାୟ ସମସ୍ତ ଲବ୍ଧ ପ୍ରତିଷ୍ଠିତ ନିର୍ଦ୍ଦେଶକଙ୍କ ସହ କରିଛି।

୬. ଆପଣ ହେଉଛନ୍ତି ପ୍ରସିଦ୍ଧ ହାସ୍ୟାଭିନେତା ରାଧା ପଣ୍ଡାଙ୍କୁ ସୁପୁତ୍ର। ଆପଣଙ୍କୁ ଲାଗେ କି ବାପାଙ୍କ ସମକକ୍ଷ ହୋଇପାରିଛନ୍ତି ବୋଲି?
ଉତ୍ତର: ଆମ ପରିବାରରେ ମୋ ଜେଜେବାପା ଥିଲେ ଜଣେ ଶିଶୁ ସାହିତ୍ୟିକ। ତାଙ୍କ ପାଖରୁ ପ୍ରେରିତ ହେଲେ ବାପା। ବାପା ଯଦିଓ ଜଣେ ଇଞ୍ଜିନିୟର। ସେ ଜଣେ ବହୁ ପ୍ରତିଭାଶାଳୀ ବ୍ୟକ୍ତି। ମୁଁ ତାଙ୍କଠୁ ଅଭିନୟ କଳାଟି ଶିଖିଛି। ମୁଁ ଯଦିଓ କିଛି ପାଠ ପଢ଼ିନି ଅଭିନୟରେ, କିନ୍ତୁ ରକ୍ତରେ ଅଛି ବୋଲି ଭାବେ ଓ କରିଚାଲେ।

୭. ପ୍ରଶ୍ନ: ପରଦାରେ ଦର୍ଶକଙ୍କୁ ହସେଇ ହସେଇ ବେଦମ କରୁଥିବା ଜୀବନ ପଣ୍ଡା ବାସ୍ତବ ଜୀବନରେ କେମିତି?
ଉତ୍ତର: ବାସ୍ତବ ଜୀବନରେ ମୁଁ ଖୁବ୍‌ ଶାନ୍ତ ଓ ନୀରବ ପ୍ରକୃତିର। ସେପରି ପ୍ରତିକ୍ରିୟାଶୀଳ ବା ହିଂସ୍ର ମୁଁ ନୁହେଁ। ତେବେ ମୁଁ ନିଜେ ଖୁବ୍‌ କମ୍‌ ହସେ। କାହିଁକି ନା, ମୋ କଥାଟା ସିନା ସାମ୍ନା ଲୋକକୁ ଭଲ ଲାଗିବ କିନ୍ତୁ ମୋତେ ତ ହସ ଲାଗିବନି ନା?

(ଆପଣଙ୍କ ମୂଲ୍ୟବାନ ସମୟ ଦେଇ ଆମ ସହ ସାମିଲ୍‌ ହୋଇଥିବାକୁ ଆପଣଙ୍କୁ ସମ୍ବାଦ.ଇନ୍‌ ତରଫରୁ ଅନେକ ଧନ୍ୟବାଦ)

ସମ୍ବନ୍ଧିତ ଖବର