କେଉଁ ନାୟିକାଙ୍କ ସହ କାମ କରିବାକୁ ପସନ୍ଦ କରନ୍ତି ଜ୍ୟୋତି, ତେଲୁଗୁ ଝିଅର ପ୍ରେମରେ ପଡ଼ିଛନ୍ତି କି ?

ସାକ୍ଷାତ୍‌କାର/ବନ୍ଦନା ମିଶ୍ର

ଭୁବନେଶ୍ୱର: ଜ୍ୟୋତି ରଞ୍ଜନ ନାୟକ ଓଲିଉଡ୍‌ର ଜଣେ ପରିଚିତ ନାୟକ । ୪ ବର୍ଷ ତଳେ ସେ ଓଲିଉଡ୍‌ରେ ପ୍ରବେଶ କରି ଧୀରେ ଧୀରେ ଦର୍ଶକଙ୍କ ମନରେ ରାଜ୍‌ କରିବା ଆରମ୍ଭ କରିଛନ୍ତି। ‘ଧରା ଦେଲେ କଥା ସରେ’ ଚଳଚ୍ଚିତ୍ରରୁ ସେ ତାଙ୍କର ଅଭିନୟ ଜୀବନ ଆରମ୍ଭ  କରିବା ପରେ ଏବେ ସୁଦ୍ଧା ୧୬ଟି ଫିଲ୍ମରେ ନଜର ଆସି ସାରିଲେଣି। ଅନେକ ଚରିତ୍ର ନିଭାଇଥିବା ଜ୍ୟୋତିଙ୍କୁ ଦର୍ଶକ ବିଶେଷ ଭାବେ ‘ହାପି ଲକି’ ଚଳଚ୍ଚିତ୍ରରୁ ହିଁ ବେଶି ମନେରଖିଛନ୍ତି । ଅଭିନୟକୁ ନିଜର ସର୍ବସ୍ୱ ଭାବୁଥିବା ଜ୍ୟୋତି କାହାକୁ ବି ଅଭିନୟର ବିକଳ୍ପ ଭାବନ୍ତି ନାହିଁ। ପାଠ ପଢ଼ାରେ ବେଶ୍‌ ଭଲ ଥିବା ଜ୍ୟୋତି ନିଜ ବାପାମାଆଙ୍କ ଖୁସି ପାଇଁ ପଢ଼ା ପୂରା କରି ଅଭିନୟ ଦୁନିଆକୁ ଆସିଛନ୍ତି । ଏ ସପ୍ତାହରେ ତାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତ୍‌କାର।

୧.ପ୍ରଶ୍ନ: ଆପଣ ଚେନ୍ନାଇରେ ଇଞ୍ଜିନିୟରିଂ କରୁଥିଲେ। ଅଚାନକ ଏମିତି ଅଭିନୟ ଆଡ଼କୁ କେମିତି ଆକୃଷ୍ଟ ହେଲେ?
ଉତ୍ତର: ମୋର ଛୋଟ ବେଳୁ ଇଚ୍ଛା ଥିଲା କଳାକାର ହେବାକୁ। ମାତ୍ର ବାପାମାଆ ଚାହୁଁଥିଲେ ମୁଁ ମୋର ପାଠପଢ଼ା ପୂରା କରିବା ପରେ ଯାଇ ଯାହା କରେ। ମୁଁ ଦଶମ, ଯୁକ୍ତ ଦୁଇ ସବୁଥିରେ ଭଲ ନମ୍ବର ରଖି ପାସ୍‌ କରିଥିଲି। ମୁଁ ଚଳଚ୍ଚିତ୍ର ପ୍ରେମୀ। ପ୍ରତିଦିନ ୨ଟା ଚଳଚ୍ଚିତ୍ର ନ ଦେଖିଲେ ମୁଁ ଶୁଏନି। ‘ମିଠା ମିଠା ଯୋଡ଼ି’ ରିୟଲିଟି ସୋ’ରେ ହିରୋ ଖୋଜା ଚାଲିଥାଏ। ମୁଁ ସେହି ସୋ’ ଜିତିବା ପରେ ଈଶ୍ୱରଙ୍କ କୃପାରୁ ସବୁ ଠିକ୍‌ଠାକ୍‌ ଚାଲିଛି।
୨.ପ୍ରଶ୍ନ: ଆପଣଙ୍କ ବୟସର ଅନ୍ୟ ନାୟକମାନେ ପ୍ରାୟତଃ ବିବାହ କରି ସାରିଲେଣି। ଆପଣ ଏ ନେଇ କ’ଣ ଚିନ୍ତା କରିଛନ୍ତି?
ଉତ୍ତର: ଆହୁରି ୨-୩ ବର୍ଷ କାମ କରିବାର ଅଛି। ଏହି ୨୦୨୦ରେ ଇଣ୍ଡଷ୍ଟ୍ରିରେ ୪ ବର୍ଷ ପୂରିବ। ମୁଁ  ନୂଆ। ସେଥିପାଇଁ ଆହୁରି ବେଶି କାମ କରି ମୋ ମୂଳଦୁଆଟା ମଜବୁତ୍‌ କରିବା ପରେ ଯାଇ ବିବାହ ପାଇଁ ଚିନ୍ତା କରିବି। କାରଣ ମୁଁ ଯାହାଙ୍କୁ ବିବାହ କରିବି ତାଙ୍କ ଧ୍ୟାନ ବି ତ ରଖିବାକୁ ହେବ ନା!
୩. ପ୍ରଶ୍ନ: ଆମ ପାଖରେ ଥିବା ସୂଚନା ଅନୁସାରେ ଆପଣ ଜଣେ ତେଲୁଗୁ ଝିଅଙ୍କୁ ପ୍ରେମ କରନ୍ତି। ଏହା କେତେ ସତ?
ଉତ୍ତର: ହା ହା, ନାଇଁ ନାଇଁ। ମୁଁ ଚେନ୍ନାଇରେ ପଢୁଥିଲି ସେଠାକାର ଅନେକ ଝିଅ ମୋର ସାଙ୍ଗ ଅଛନ୍ତି। ସେପରି କାହାକୁ ମୁଁ ପ୍ରେମ କରେନାହିଁ। ବାସ୍ତବ କଥା ହେଉଛି ଭଲପାଇବା ବିଷୟରେ ମୁଁ ଏଯାଏ ଚିନ୍ତା କରିନାହିଁ।


୪.ପ୍ରଶ୍ନ: ଆପଣ ଇଣ୍ଡଷ୍ଟ୍ରିରେ ନୂଆ। ତା’ ସତ୍ତ୍ୱେ ଆପଣଙ୍କୁ ଅନେକ ଚଳଚ୍ଚିତ୍ର ମିଳେ। କାହିଁକି ଆପଣଙ୍କୁ ନିର୍ଦ୍ଦେଶକମାନେ ନବାକୁ ପସନ୍ଦ କରନ୍ତି? ଜ୍ୟୋତିଙ୍କର ଅର୍ଥ ଦାବି ଟିକେ କମ୍‌ କି ଆଉ?
ଉତ୍ତର: ସତ କଥା ହଉଛି ମୁଁ କାମ ମାଗେ। ମୁଁ ଆଦୌ ବି ଲାଜ କରେନାହିଁ। ଯେହେତୁ ମୁଁ ଇଣ୍ଡଷ୍ଟ୍ରିରେ ନୂଆ, ଲୋକମୋତେ କିପରି ଚିହ୍ନନ୍ତୁ ସେଥିପାଇଁ ମୁଁ ଅଧିକରୁ ଅଧିକ ଚଳଚ୍ଚିତ୍ରରେ ଆସିବାକୁ ଚାହେଁ। ସେଥିପାଇଁ ଇଣ୍ଡଷ୍ଟ୍ରିରେ କେହି ଗଡ୍‌ଫାଦର୍‌ ନଥାଇ ମଧ୍ୟ ମୁଁ ୧୬ଟା ଚଳଚ୍ଚିତ୍ର କରି ସାରିଲିଣି। ଆଉ ଅର୍ଥ ଦାବି କଥା ଯୋଉ କହିଲେ, ତାହା ସତ। ନିର୍ଦ୍ଦେଶକ ମୋତେ ଯେତିକି ଦିଅନ୍ତି ମୁଁ ସେତିକି ନିଏ। ଅଧିକ ଦାବି କରେନାହିଁ।
୫. ପ୍ରଶ୍ନ: ଅନେକ ଚଳଚ୍ଚିତ୍ରରେ ଯଦିଓ ଅଭିନୟ କରିଛନ୍ତି। ମାତ୍ର ସେପରି କୌଣସି ଚଳଚ୍ଚିତ୍ର ବଡ଼ ଧରଣର ହିଟ୍‌ ହୋଇନାହିଁ। କ’ଣ ଅସୁବିଧା ରୁହେ ବୋଲି ଆପଣ ଭାବନ୍ତି?
ଉତ୍ତର: ‘ତୁ ମୋ ହିରୋ’, ‘ସାଥୀ ତୁ ଫେରିଆ’ ଭଳି ଚଳଚ୍ଚିତ୍ର ଖୁବ୍‌ ଭଲ ଟଙ୍କା ରୋଜଗାର କରିଛି। ବାସ୍ତବ କଥା ହେଉଛି ମୁଁ କେବେ କେଉଁ ଚଳଚ୍ଚିତ୍ର ହିଟ୍‌ ହେଲା, କେଉଁଟି ଫ୍ଲପ୍‌ ହେଲା ତାହା ଦେଖେ ନାହିଁ। ଜଣେ କଳାକରର କାମ ହେଲା ଭଲ ଅଭିନୟ କରିବା। ମୁଁ କେବଳ ତାହା ହିଁ ଦେଖେ। ଦର୍ଶକଙ୍କ ଭଲପାଇବା ମିଳୁଛି, ସେତିକି ଯଥେଷ୍ଟ।
୬. ପ୍ରଶ୍ନ: କେଉଁ ନାୟିକାଙ୍କ ସହ କାମ କଲାବେଳେ ଆପଣ ଖୁବ୍‌ ଉପଭୋଗ କରନ୍ତି?
ଉତ୍ତର: ସତ କଥା କହିବାକୁ ଗଲେ ମହେଶ୍ୱେତା ରାୟଙ୍କ ସହ କାମ କଲା ବେଳେ ମୋତେ ଖୁବ୍‌ ଭଲ ଲାଗେ। ସେ ଅନେକ କିଛି କହନ୍ତି, ଯାହାକି ଅନ୍ୟ କଳାକାରମାନେ କହନ୍ତି ନାହିଁ। ସେ ମୋ ଭିତରେ ଅନେକ କିଛି ସଜାଡ଼ି ଦିଅନ୍ତି। ମୁଁ ତାହାକୁ ଉପଭୋଗ କରେ।
୭.ପ୍ରଶ୍ନ: ଅଭିନୟ ନ କରୁଥିଲେ ଜ୍ୟୋଜି କ’ଣ କରୁଥାନ୍ତେ?
ଉତ୍ତର: କିଛି ବି ନୁହେଁ। ଅଭିନୟ ନ କରୁଥିଲେ ମୁଁ କିଛି ବି କରୁନଥାନ୍ତି। ମୁଁ ବହୁତ ଚଞ୍ଚଳ ସ୍ୱଭାବର। ହୁଏତ ଗୋଟାଏ ସ୍ଥାନରେ ବସିକରି ଚାକିରି କରିବା ମୋ ଦ୍ୱାରା ସମ୍ଭବ ହୋଇନଥାନ୍ତା। ସେଥିପାଇଁ ବୋଧହୁଏ ଅଭିନୟ ଲାଇନ୍‌କୁ ଆପଣେଇଲି। ବଡ଼ ବଡ଼ ହିରୋଙ୍କର ଫିଲ୍ମ ପ୍ଲପ୍‌ ହେଇଯାଉଛି, ତେଣୁ ମୁଁ କେବେ ହିଟ୍‌ ଫ୍ଲପ୍‌ ବି ଦେଖେନାହିଁ। କେବଳ ଅଭିନୟ ହିଁ ମୋର ନିଶା।

(ଆପଣଙ୍କ ମୂଲ୍ୟବାନ ସମୟ ଦେଇ ଆମ ସହ ଯୋଡ଼ି ହୋଇଥିବାରୁ ଆପଣଙ୍କୁ ‘ସମ୍ବାଦ.ଇନ୍‌’ ତରଫରୁ ଅନେକ ଶୁଭେଚ୍ଛା ଓ ଶୁଭକାମନା)

ସମ୍ବନ୍ଧିତ ଖବର