ଏମିତି ନିର୍ଦ୍ଦେଶକଙ୍କୁ ଗୋଡ଼େଇ ଗୋଡ଼େଇ ଚପଲରେ ପିଟିବାକୁ ଟିକେ ବି ସଂକୋଚ ମନେ କରିବେ ନାହିଁ ନମ୍ରତା ଦାସ

ସାକ୍ଷାତ୍‌କାର/ବନ୍ଦନା ମିଶ୍ର

ଭୁବନେଶ୍ୱର: ନାୟିକାରୁ ନେଇ ଜେଜେମାଆ ପର୍ଯ୍ୟନ୍ତ କୌଣସି ବି ଚରିତ୍ରରୁ ବାଦ୍‌ ପଡ଼ି ନ ଥିବା ଅଭିନେତ୍ରୀ ନମ୍ରତା ଦାସ, ଓଲିଉଡ୍‌ର ଅନ୍ୟତମ ବୟୋଜ୍ୟେଷ୍ଠ କଳାକାର । କେବଳ ନାୟିକା କି ଜେଜେମାଆ କାହିଁକି, ଓଲିଉଡ୍‌ର ଏହି ପ୍ରିୟ ଅଭିନେତ୍ରୀ ନାରୀର ବିଭିନ୍ନ ରୂପ ଯଥା ମା’, ଭଉଣୀ, ଭାଉଜ, ନଣନ୍ଦ ଓ ଶାଶୂ ଆଦି  ଭୂମିକାରେ ଅବତୀର୍ଣ୍ଣ ହୋଇ ନିଜ ଅଭିନୟର ଯାଦୁରେ ସଭିଙ୍କୁ ବାନ୍ଧି ପାରିଛନ୍ତି। ଓଲିଉଡ୍‌ରେ ଡଲିଅପା ଭାବେ ପରିଚିତା ଏହି  ସ୍ରଷ୍ଟା କମ୍‌ ହେଲେ ମଧ୍ୟ ହାସ୍ୟ କଳାକାର ଭାବେ ନଜର ଆସିବା ସହ ହାତ ଗଣତି  ଫିଲ୍ମରେ ନକରାତ୍ମକ ଚରିତ୍ରରେ ବି ନଜର ଆସିଛନ୍ତି। ‘ଧରିତ୍ରୀ’ ଚଳଚ୍ଚିତ୍ରରୁ କ୍ୟାରିୟର୍‌ ଆରମ୍ଭ କରିଥିବା ଏହି ଅଭିନେତ୍ରୀ ଓଲିଉଡ୍‌ରେ ପାଖାପାଖି ୫୦ ବର୍ଷ କାଟି ସାରିଲେଣି। ତାଙ୍କର ଉଲ୍ଲେଖନୀୟ ଛବିଗୁଡ଼ିକ ମଧ୍ୟରେ ରହିଛି ‘ରଖିଲେ ଶିବ ମାରିବ କିଏ’, ‘ବୋହୂ ହେବ ତ ଏମିତି’, ‘ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୂର’, ‘ରୁପା ଗାଁର ସୁନା କନିଆ‘, ‘ପବିତ୍ର ବନ୍ଧନ’, ‘ଧର୍ମ ସହିଲେ ହେଲା’। କେବଳ ଚଳଚ୍ଚିତ୍ର ନୁହେଁ, ଟେଲି ଦୁନିଆରେ ବି ଦୀର୍ଘ ବର୍ଷ ଧରି ସକ୍ରିୟ ରହିଥିବା ଡଲିଅପା ମେଗା ଧାରାବାହିକ ‘କହୁଥିଲେ ସରିବନି’ ଜରିଆରେ ଦର୍ଶକଙ୍କ ନିକଟତର ହେବା ପରେ ପରେ ‘କଥା କହୁଥିଲେ ସରିବନି’, ‘ମାଆ’, ‘ତୋ ଅଗଣାରେ ତୁଳସୀ ମୁଁ’ ତାରା ତାରିଣୀ’ ଆଦି ଅନେକ ସିରିଏଲ୍‌ ଜରିଆରେ ଓଡ଼ିଶାର ଜନସାଧାରଣଙ୍କ ନିକଟତର ହୋଇପାରିଛନ୍ତି। ଏ ସପ୍ତାହରେ ତାଙ୍କ ସହ ସ୍ୱତନ୍ତ୍ର ଆଳାପ।

Mycitylinks

୧. ପ୍ରଶ୍ନ : ଆପଣ ହେଉଛନ୍ତି ଓଲିଉଡ୍‌ର ଅନ୍ୟତମ ବୟୋଜ୍ୟେଷ୍ଠ କଳାକାର। ଓଲିଉଡ୍‌କୁ ନେଇ ଅନେକ ତିକ୍ତ-ମଧୁର ଅଭିଜ୍ଞତା ଥିବ ନିଶ୍ଚୟ। ତେବେ, ଓଲିଉଡ୍‌କୁ ନେଇ ଏମିତି ଏକ ଗୋପନ କଥା କୁହନ୍ତୁ ଯାହା ସାଧାରଣ ଲୋକ ଜାଣନ୍ତି ନାହିଁ?
ଉତ୍ତର: ଆମେ ଲାପ୍‌ଟପ ଦେଖି ସିନେମା କରୁ। ଯଦି ଅନ୍ୟ କୌଣସି ଭାଷାର ସିନେମା ଡବିଂ ହୁଏ ତେବେ କଳାକାରଙ୍କ ସାମ୍ନାରେ ଲାପ୍‌ଟପ୍‌ରେ ସିନେମା ଚଲାଯାଏ। ତାହାକୁ ଦେଖି ଆମେ ଅଭିନୟ କରୁ, ଏକଥା ଅନେକ ଲୋକ ଜାଣନ୍ତି ନାହିଁ।

୨.ପ୍ରଶ୍ନ: ଆପଣଙ୍କ ସମୟର କଳାକାର ଓ ଆଜିର କଳାକାରଙ୍କ ମଧ୍ୟରେ କ’ଣ ପାର୍ଥକ୍ୟ ଦେଖନ୍ତି?
ଉତ୍ତମ: ବହୁତ ପାର୍ଥକ୍ୟ। ଆଜିର କଳାକାର ଅଭିନୟ ଅପେକ୍ଷା ବେଶଭୂଷାକୁ ବେଶି ପ୍ରାଧାନ୍ୟ ଦେଉଛନ୍ତି। ଆଜିକାଲି ଆଉ ଅଭିନୟ ନାହିଁ କହିଲେ ଚଳେ।

୩. ପ୍ରଶ୍ନ: ବିବାହ କାହିଁକି କରିନାହାନ୍ତି? ବିବାହ ନ କରିବା ପଛରେ କିଛି ନିର୍ଦ୍ଦିଷ୍ଟ କାରଣ ଅଛି କି?
ଉତ୍ତର: ନାଁ ସେପରି କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ। ଏମିତି କରିନି ରହିଯାଇଛି। ଭଉଣୀ, ଭିଣୋଇ, ପୁତୁରା, ଝିଆରୀଙ୍କ ସହ ମୁଁ ବେଶ୍‌ ଖୁସିରେ ଅଛି।

୪. ପ୍ରଶ୍ନ: ଯଦି ଆପଣ ବିବାହ କରିଥାନ୍ତେ ତେବେ ଓଲିଉଡ୍‌ର କେଉଁ ବ୍ୟକ୍ତିଙ୍କୁ ଆପଣ ଜୀବନସାଥୀ ଭାବେ ବାଛିଥାନ୍ତେ?
ଉତ୍ତର: ଓଲିଉଡ୍‌ରେ ତ କାହାକୁ ବାହା ହୋଇନଥାନ୍ତି। ଯଦି ବାହା ହୋଇଥାନ୍ତି ଅବ୍‌ଦୁଲ କାଲାମଙ୍କୁ ବିବାହ କରିଥାନ୍ତି। ସେ ତ ଚାଲିଗଲେ, ମୁଁ ଆଉ କାହାକୁ ପସନ୍ଦ କରୁନି।

୫. ପ୍ରଶ୍ନ: ମରଣ ଯଦି ସାମ୍ନାରେ ଦିଶେ ତେବେ ଆପଣଙ୍କର ଶେଷ ଇଚ୍ଛା କ’ଣ ରହିବ?
ଉତ୍ତର: ଶେଷ ଇଚ୍ଛା ହେଉଛି ମୁଁ ଅଭିନୟ କରି କରି ମରିବି। ଅଭିନୟ ହିଁ ମୋ ପାଇଁ ସବୁ କିଛି।

୬.ପ୍ରଶ୍ନ: ଆପଣଙ୍କ ସମୟରେ କାଷ୍ଟିଂ କାଉଚ୍‌ ହେଉଥିଲା? ଏବେ ହଉଛି କି?
ଉତ୍ତର: ମୋ ସମୟରେ ହେଉ ନଥିଲା। ଆଜିକାଲି ଏତେ ଶୁଣିବାକୁ ମିଳୁଛି ଯେହେତୁ ହେଉଥିବ ନିଶ୍ଚୟ। ନ ହେଲେ ଏତେସବୁ ଝିଅ ଏମିତି ମିଛ କାହିଁକି କହନ୍ତେ?

୭. ପ୍ରଶ୍ନ: ଯଦି ଜଣେ ନିର୍ଦ୍ଦେଶକ କୌଣସି ଅଭିନେତ୍ରୀଙ୍କ ସହ ବଳପୂର୍ବକ ଦୁର୍ବ୍ୟବହାର କରୁଥିବାର ଆପଣ ଦେଖିବାକୁ ପାଆନ୍ତି ତେବେ କ’ଣ କରିବେ?
ଉତ୍ତର: ଯଦି ସେମିତି କିଛି ମୋ ଆଖିରେ ପଡ଼େ ତେବେ କିଛି ଚିନ୍ତା ନ କରି ଚପଲ ଖୋଲି ସେ ନିର୍ଦ୍ଦେଶକକୁ ପିଟିବି। ଗୋଡ଼େଇ ଗୋଡ଼େଇ ରାସ୍ତାରେ ପିଟିବି ଯେ ସେ ଆଉ ସିନେମା କରିବାକୁ ଚାହିଁବନି।

Mycitylinks

(ଆପଣଙ୍କ ମୂଲ୍ୟବାନ ସମୟ ଦେଇ ଆମ ସହ ସାମିଲ୍‌ ହୋଇଥିବାରୁ ଆପଣଙ୍କୁ ‘ସମ୍ବାଦ୍‌.ଇନ୍‌’ ତରଫରୁ ଅନେକ ଅନେକ ଧନ୍ୟବାଦ୍‌)

ସମ୍ବନ୍ଧିତ ଖବର