ଆପଣଙ୍କ ଚଳଚ୍ଚିତ୍ରରେ ଅଭିନୟ ସୁଯୋଗ ପାଇବାକୁ ନାୟିକାମାନଙ୍କୁ କେବେ ସାଲିସ୍‌ କରିବାକୁ ପଡ଼ିଛି କି?

ସାକ୍ଷାତ୍‌କାର/ ବନ୍ଦନା ମିଶ୍ର

ଭୁବନେଶ୍ୱର: ନିର୍ଦ୍ଦେଶନା କ୍ଷେତ୍ରରେ ନୂଆ କରି ନିଜ ଦକ୍ଷତା ଦେଖାଇ ଗତ କିଛି ବର୍ଷ ମଧ୍ୟରେ ସଫଳତା ସାଉଁଟିବାରେ ସିନେ ନିର୍ଦ୍ଦେଶକ ନିରଞ୍ଜନ ବେହେରା ବେଶ୍‌ ଜଣାଶୁଣା। ଯଦିଓ ‘ଆଣ୍ଟି ନମସ୍କାର’ ଚଳଚ୍ଚିତ୍ରରୁ ସେ ତାଙ୍କ ନିର୍ଦ୍ଦେଶନା କ୍ୟାରିୟର୍‌ ଆରମ୍ଭ କରିଛନ୍ତି ମାତ୍ର ଚଳଚ୍ଚିତ୍ରଟି ଏଯାଏ ରିଲିଜ୍‌ ହୋଇ ପାରିନାହିଁ। ପରେ ସେ ‘ଯୋଗୀ’, ‘ପ୍ରେମ ପାଇଁ ମହାଭାରତ’ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇ ସଫଳତା ସାଉଁଟିଛନ୍ତି। ନିକଟରେ ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଓ୍ଵାଇଫ୍‌ ଇଜ୍‌ ଲାଇଫ୍‌’ର ସୁଟିଂ ସରିଥିବା ବେଳେ ‘ଫ୍ଲପ୍‌ ସିନେମା’ର ସୁଟିଂ ଆରମ୍ଭ ହୋଇଛି। ଗତ ପାଞ୍ଚ ବର୍ଷ  ତଳେ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିବା ନିରଞ୍ଜନ ଭବିଷ୍ୟତରେ ଅନେକ ସଫଳ ହେବାର ଆଶା ରଖିଛନ୍ତି। ସେ ଯେତିକି ବି ସଫଳ ହୋଇଛନ୍ତି ତାହାର ଶ୍ରେୟ ସେ ନିଜ ପତ୍ନୀଙ୍କୁ ଦିଅନ୍ତି। ଏ ସପ୍ତାହରେ ତାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତ୍‌କାର।

୧. ପ୍ରଶ୍ନ: ଆପଣଙ୍କ ସିନେମାଗୁଡ଼ିକର ଶୀର୍ଷକ ଟିକେ ଅଜବ। ଚଳଚ୍ଚିତ୍ରର ନାମ ଏପରି କାହିଁକି ଦିଅନ୍ତି?
ଉତ୍ତର: ମୁଁ ଟିକେ ଭିନ୍ନ କରିବାକୁ ଚାହେଁ। ଯେହେତୁ ମୁଁ ଜଣେ ଲେଖକ, ମୋର ସବୁ ଫିଲ୍ମ ମୁଁ ଲେଖେ ତେଣୁ ମୁଁ ମୋ ବିଷୟ ଅନୁସାରେ ଶୀର୍ଷକ ଦିଏ। ମୁଁ ଅନ୍ୟକୁ ଯେହେତୁ କପି କରେନି ତେଣୁ ଅଲଗା ଲାଗେ।
୨.ଆପଣ ପୂର୍ବରୁ କୌଣସି ନିର୍ଦ୍ଦେଶକଙ୍କ ସହିତ ସହ-ନିର୍ଦ୍ଦେଶକ ହୋଇ କାମ କରିନାହାନ୍ତି। ସିଧାସଳଖ ନିର୍ଦ୍ଦେଶକ ହେବା ପାଇଁ କିଛି ବାଧା ଉପୁଜିନି?
ଉତ୍ତର: ମୁଁ ଗ୍ଲାମର୍‌ ଲାଇନ୍‌କୁ ଏକ କଳାକାର ହେବାକୁ ଆସିଥିଲି। ମାତ୍ର ସମୟକ୍ରମେ ନିର୍ଦ୍ଦେଶକ ହୋଇଗଲି। ଦିନେ ମୁଁ ହଲ୍‌ରେ ସିନେମା ଦେଖୁଥିଲି। ମୋ ପାଖରେ ବସିଥିବା କିଛି ଦର୍ଶକ ସିନେମାଟିକୁ କପି ବୋଲି କହି ସମାଲୋଚନା କରୁଥିଲେ। ଅଧିକାଂଶ ଓଡ଼ିଆ ସିନେମା କପି ହେଉଥିବା କାରଣରୁ ଦର୍ଶକଙ୍କ ଭିତରେ ଆଗ୍ରହ କମି ଯାଉଛି। ସେଇଠୁ ମୋ ଭିତରେ ସିନେମା ନିର୍ଦ୍ଦେଶକ ହେବାର ଭାବନା ପଶିଲା।
୩. ପ୍ରଶ୍ନ: ଆପଣ ସବୁବେଳେ ଭିନ୍ନ ଧରଣର ସିନେମା ସବୁ କରିଥାନ୍ତି। ଏପରି ସିନେମା କରିବା ଦ୍ୱାରା କ’ଣ ବ୍ୟବସାୟିକ ଦୃଷ୍ଟିରୁ ଲାଭବାନ ହୁଅନ୍ତି?
ଉତ୍ତର: ଯେତେବେଳେ କପି ସିନେମାକୁ ଓଡ଼ିଆ ଦର୍ଶକ ପସନ୍ଦ କଲେ ନାହିଁ ସେତେବେଳେ ମୁଁ କିଛି ଭିନ୍ନ କରିବାକୁ ଚେଷ୍ଟା କଲି। ହଁ ଆର୍ଥିକ ଦୃଷ୍ଟିରୁ ଲାଭବାନ ହୁଏ ମଧ୍ୟ। ଦର୍ଶକ ଭିନ୍ନ ଚଳଚ୍ଚିତ୍ରକୁ ପସନ୍ଦ କରନ୍ତି। ମୋ ଚଳଚ୍ଚିତ୍ର ନିଶ୍ଚୟ ମୌଳିକ ବୋଲି ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହୁଏ।
୪. ପ୍ରଶ୍ନ: ଆପଣ ପ୍ରତ୍ୟେକ ସିନେମାରେ ନାୟକଙ୍କୁ ବଦଳାନ୍ତି। ପ୍ରତି ଫିଲ୍ମ ପାଇଁ ଅଲଗା ନାୟକ ନିଅନ୍ତି କାହିଁକି?
ଉତ୍ତର: ଯେହେତୁ ମୁଁ ସିନେମାର ନିଜେ କାହାଣୀ ଲେଖେ ତେଣୁ କାହାଣୀ ଲେଖିବା ବେଳୁ ହିଁ ଜଣେ ନାୟକଙ୍କୁ ମୁଁ ସେହି ଚରିତ୍ର ପାଇଁ ଭାବି ଦେଇଥାଏ। କାହାଣୀ ଅନୁସାରେ ଚରିତ୍ର ଚୟନ କରେ। ଯେଉଁ ଚରିତ୍ର ପାଇଁ ଯିଏ ଫିଟ୍‌ ତାଙ୍କୁ ନିଏ।


୫. ପ୍ରଶ୍ନ: ଗୋଟୋ ଚର୍ଚ୍ଚା ହୁଏ ଚଳଚ୍ଚିତ୍ର ପାଇବା ପାଇଁ ଅନେକ ନାୟିକା ନିର୍ଦ୍ଦେଶକଙ୍କ ସହ ସାଲିସ୍‌ କରିଥାନ୍ତି। ଆପଣଙ୍କ ଉପରେ ସେପରି ଅଭିଯୋଗ ଆସିଛି କି?
ଉତ୍ତର: ନାଇଁ ଆଜ୍ଞା ଆସିନାହିଁ କି ଆସିବାର ବି ନାହିଁ। ମୁଁ ଜଣେ ସିନେମା ପାଗଳ। ମୁଁ ଇଣ୍ଡଷ୍ଟ୍ରି ପାଇଁ କିଛି କରିପାରିଲେ ମୋ ପାଇଁ ଖୁବ୍‌ ବଡ଼ କଥା। ସେପରି ଭୁଲ୍‌ ମୋ ଦ୍ୱାରା ହେବ ନାହିଁ।
୬. ପ୍ରଶ୍ନ: ଆପଣ ନାୟିକା ଚୟନ କଲା ବେଳେ କ’ଣ ଦେଖନ୍ତି। କେଉଁଟିକୁ ଦେଖି ଜଣେ ନାୟିକାଙ୍କୁ ଆପଣ ଚଳଚ୍ଚିତ୍ରରେ ନିଅନ୍ତି?
ଉତ୍ତର: ନାୟକଙ୍କୁ ଯେମିତି ଚୟନ କରେ ଠିକ ସେମିତି ନାୟିକା ଚୟନ କରିଥାଏ। ଚରିତ୍ର ପାଇଁ ଯିଏ ଫିଟ୍‌ ମୁଁ ତାଙ୍କୁ ହିଁ ନେଇଥାଏ।
୭. ପ୍ରଶ୍ନ: ଭବିଷ୍ୟତକୁ ନେଇ କ’ଣ ଯୋଜନା ରହିଛି?
ଉତ୍ତର: ଭବିଷ୍ୟତକୁ ନେଇ ମୋର ଏକ ସ୍ୱପ୍ନ ରହିଛି, ଯାହାକି ମୁଁ ପୂର୍ବରୁ କେଉଁଠି କହିନି। ତାହା ହେଉଛି ଓଲିଉଡ୍‌ରେ ସବୁଠାରୁ ଅଧିକ ସିନେମା ମୁଁ କରିବି। ସଂଖ୍ୟାଧିକ ଚଳଚ୍ଚିତ୍ର କରି ରେକର୍ଡ ସୃଷ୍ଟି କରିବା ମୋର ଲକ୍ଷ୍ୟ।

(ଆପଣଙ୍କ ମୂଲ୍ୟବାନ ସମୟ ଦେଇ ଆମ ସହ ସାମିଲ୍‌ ହୋଇଥିବାରୁ ଆପଣଙ୍କୁ ସମ୍ବାଦ.ଇନ୍‌ ତରଫରୁ ଅନେକ ଶୁଭେଚ୍ଛା ଓ ଶୁଭକାମନା)

ସମ୍ବନ୍ଧିତ ଖବର