ଅଭିନୟ ପାଇଁ ହଷ୍ଟେଲରୁ ତଡ଼ା ଖାଇଥିିଲି, ତଥାପି ନିଶା ଛାଡ଼ି ନ ଥିଲା: ବିଶ୍ୱଭୂଷଣ ପଣ୍ଡା

ଆଠରୁ ଅଧିକ ମେଗା-ଧାରାବାହିକରେ ଅଭିନୟ କରି ସାରିଥିବା ବିଶ୍ୱଭୂଷଣ ପଣ୍ଡା ଏବେ ଟେଲିଭିଜନ୍‌ ଦୁନିଆର ଜଣେ ପରିଚିତ ଚେହେରା । ଧାରାବାହିକ ‘ଦୁର୍ଗା’ର ଜିତ୍‌, ‘ତେଜସ୍ୱନୀ’ର ରୁଦ୍ରାକ୍ଷ ଏବଂ ‘ତୋ ଆଖି ମୋ ଆଇନା’ର ରଣଜିତ୍‌ ଚରିତ୍ରରେ ବିଶ୍ୱଭୂଷଣଙ୍କ ଅଭିନୟକୁ ଦର୍ଶକେ ବେଶ୍‌ ପସନ୍ଦ କରିଛନ୍ତି। ସେ କେବେ ଧାରାବାହିକର ନାୟକ ହୋଇ ପ୍ରଶଂସା ସାଉଁଟିଛନ୍ତି ତ କେବେ ଖଳନାୟକୀ କରି ଦର୍ଶକଙ୍କ ଠାରୁ ଗାଳି ମଧ୍ୟ ଖାଇଛନ୍ତି। ତେବେ ଆଗକୁ ତାଙ୍କର ଲକ୍ଷ୍ୟ କ’ଣ ରହିଛି କିମ୍ବା ସେ କେଉଁ ନୂଆ ଧାରାବାହିକରେ ଆସୁଛନ୍ତି, ସେ ବିଷୟରେ ଜାଣିବା ପାଇଁ ବିଶ୍ୱଭୂଷଣ ପଣ୍ଡାଙ୍କୁ ‘ସମ୍ବାଦ ଡଟ୍‌ ଇନ୍‌’ ପକ୍ଷରୁ ସାକ୍ଷାତ କରିଥିଲେ ମୋନାଲିସା ପରିଡ଼ା ଏବଂ ସୁମନ ମହାନ୍ତି।

ପ୍ରଶ୍ନ : ଆପଣଙ୍କର ଅଭିନୟ ଯାତ୍ରା କିପରି ଆରମ୍ଭ ହୋଇଥିଲା ?
ଉତ୍ତର: ମୋର ଛୋଟବେଳୁ ଅଭିନୟ ନିଶାଥିଲା। ସ୍କୁଲରେ ପଢ଼ିବା ବେଳେ ନାଟକରେ ଅଭିନୟ ପାଇଁ ଘରୁ ଲୁଚି ମୁଁ ଥିଏଟରରେ ପହଞ୍ଚି ଯାଏ । ଏଥି ପାଇଁ ମୋତେ ହଷ୍ଟେଲରେ ଏବଂ ଘରେ ଗାଳି ଖାଇବାକୁ ପଡ଼ୁଥିଲା । ବାରମ୍ବାର ଏଭଳି ହେବାରୁ ମୋତେ ହଷ୍ଟେଲରୁ ବାହାର କରି ଦିଆଯାଇଥିଲା । ପରେ ଘର ଲୋକେ ମୋତେ ପଢ଼ିବା ପାଇଁ ଲକ୍ଷୌ୍ନ ପଠାଇ ଦେଲେ । କିନ୍ତୁ ସେଠି ମଧ୍ୟ ଅଭିନୟ ନିଶା ମୋ ପିଛା ଛାଡ଼ି ନଥିଲା । ମୁଁ ପଢ଼ିବା ସହ ଅଭିନୟ ଜାରି ରଖିଥିଲି । ଦିଲ୍ଲୀରେ ଇଂଜିନିୟରିଂ ଡିପ୍ଲୋମା କରି ସାରିବା ପରେ ମୁମ୍ବାଇ ଯାଇ ଅଭିନୟ ଶିକ୍ଷା ଆରମ୍ଭ କରିଥିଲି ।
ପ୍ରଶ୍ନ :ମୁମ୍ବାଇରେ ହିନ୍ଦୀ ଧାରାବାହିକ ବା ଫିଲ୍ମରେ କାମ କଲେ ନାହିଁ ?
ଉତ୍ତର: ମୁମ୍ବାଇରେ ମୁଁ ଦୁଇଟି ହିନ୍ଦୀ ଧାରାବାହିକରେ ଅଭିନୟ କରିଥିଲି।ଲାଇଫ୍‌ ଓକେରେ ପ୍ରସାରିତ ‘ସୌଭାଗ୍ୟବତୀ ଭବ’ ଏବଂ ଜି ଟିଭିରେ ପ୍ରସାରିତ ହୋଇ ସାରିଥିବା ‘ହିଟ୍‌ଲର ଦିଦି’ରେ ମୁଁ କାମ କରିଛି ।

ପ୍ରଶ୍ନ :ଦୁଇଟି ହିନ୍ଦୀ ଧାରାବାହିକରେ କାମ କରି ସାରିବା ପରେ ମଧ୍ୟ ସେଠି କ୍ୟାରିୟର ନ କରି ଓଡ଼ିଆ ଧାରାବାହିକରେ କାମ କରିବା ପାଇଁ ଇଚ୍ଛା କଲେ କାହିଁକି?
ଉତ୍ତର: ଓଡ଼ିଶାରୁ ମୋତେ ଭଲ ଅଫର ମିଳିଲା ସେଥିପାଇଁ ମୁଁ ଆସିଲି । ଓଡ଼ିଆ ଧାରାବାହିକରେ କାମ କରିବା ପରେ ଲୋକେ ମୋତେ ଅଧିକ ଜାଣିବାକୁ ଲାଗିଲେ । ସେଥିପାଇଁ ମୁଁ ଓଡ଼ିଶାରେ ରହିବାକୁ ଚାହିଁଲି ।

ପ୍ରଶ୍ନ : ଓଡ଼ିଆରେ ଏତେ ଧାରାବାହିକ କରିଛନ୍ତି । ସେଥି ମଧ୍ୟରୁ ଆପଣଙ୍କ ପସନ୍ଦର ଚରିତ୍ର କେଉଁ ଧାରାବାହିକରେ ଥିଲା?
ଉତ୍ତର :ଆଜି ପର୍ଯ୍ୟନ୍ତ ମୁଁ ଯେଉଁ ଚରିତ୍ର କରିଛି ସବୁ ମୋତେ ଭଲ ଲାଗେ ବୋଲି କରିଛି । ସେମିତି ଦେଖିବାକୁ ଗଲେ କଲର୍ସ ଓଡ଼ିଆରେ ପ୍ରସାରିତ ହୋଇଥିବା ‘ତୁଳସୀ’ରେ ଯେଉଁ ଚରିତ୍ର ଥିଲା ତାହା ମୋର ସବୁଠାରୁ ପସନ୍ଦ । କାରଣ ସେହି ଧାରାବାହିକରେ ମୁଁ ମୋ ନିଜ ଶୈଳୀରେ ଅଭିନୟ କରିଥିଲି ।

ପ୍ରଶ୍ନ : ତରଙ୍ଗରେ ସଂପ୍ରତି ପ୍ରସାରିତ ହେଉଥିବା ‘ତୋ ଆଖି ମୋ ଆଇନା’ ’ଧାରାବାହିକ ଆପଣ ଛାଡିଛନ୍ତି ବୋଲି ଶୁଣିଛୁ ଏହା କ’ଣ ସତ?
ଉତ୍ତର: ହଁ, ତାହା ସତ। ସାର୍ଥକ ଟିଭିରୁୁ ମୋତେ ‘ଶୁଭ ବିବାହ’ ଧାରାବାହିକ ପାଇଁ ଅଫର ଆସିବାରୁ ମୁଁ ‘ତୋ ଆଖି ମୋ ଆଇନା’ ଛାଡ଼ିଥିଲି । ସେଥିରେ ଥିବା ମୋ ଚରିତ୍ରଟି ମୋତେ ଭଲ ଲାଗିଥିଲା ।

ପ୍ରଶ୍ନ : ହିରୋ ନା ଭିଲେନ, କେଉଁ ହିସାବରେ ଆପଣଙ୍କୁ ଦର୍ଶକ ଅଧିକ ଗ୍ରହଣ କରିଥିଲେ ?
ଉତ୍ତର: ମୋ ଜାଣିବାରେ ଭିଲେନ ହିସାବରେ ମୋତେ ସମସ୍ତେ ଚିହ୍ନିବା ଆରମ୍ଭ କରିଛନ୍ତି ।

ପ୍ରଶ୍ନ : ଅଭିନୟ ଛଡ଼ା ଆଉ କ’ଣ କରିବା ପାଇଁ ଭଲ ପାଆନ୍ତି?
ଉତ୍ତର: ଅଭିନୟ ସହ ମୁଁ ସ୍କ୍ରିପ୍ଟିଂ କରେ । ବିଭିନ୍ନ କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ମୁଁ ସ୍କ୍ରିପ୍ଟିଂ କରିଛି ।

ସମ୍ବନ୍ଧିତ ଖବର