ଯଦି କେହି ଯୁବତୀ ଆସି ତପୁ ମିଶ୍ରଙ୍କୁ ତାଙ୍କ ସ୍ୱାମୀଙ୍କ ପ୍ରେମିକା ବୋଲି କହନ୍ତି, ତେବେ କେମିତି ରହିବ ପ୍ରତିକ୍ରିୟା?

ସାକ୍ଷାତ୍‌କାର/ବନ୍ଦନା ମିଶ୍ର

ଭୁବନେଶ୍ୱର: ତପୁ ମିଶ୍ର ଓଡ଼ିଆ ସଂଗୀତ ଦୁନିଆର ଜଣେ ପରିଚିତ ଚେହେରା। ପାଖାପାଖି ୨୦୦ ଚଳଚ୍ଚିତ୍ରରେ ଗୀତ ଗାଇଥିବା ଏହି କଣ୍ଠଶିଳ୍ପୀ ୨୦୦୩ ମସିହାରେ ‘କୁଳନନ୍ଦନ’ ଚଳଚ୍ଚିତ୍ରରୁ ତାଙ୍କ ସଂଗୀତ ଯାତ୍ରା ଆରମ୍ଭ କରିଥିଲେ। ଗୋଟିଏ ପରେ ଗୋଟିଏ ଲୋକପ୍ରିୟ ଗୀତ ଗାଇ ଦୀର୍ଘ ଦୁଇ ଦଶନ୍ଧି ଧରି ଓଲିଉଡ୍‌ ସହ ଯୋଡ଼ି ହୋଇ ଅଛନ୍ତି। ତାଙ୍କ ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରୁ ‘ଆ ମାନେ ଆନନ୍ଦପୁର…’, ‘ଆଇ ଲଭ୍‌ ୟୁ…’, ‘ଇସ୍କ ତୁ ହିଁ ତୁ…’ ଆଦି ଅନ୍ୟତମ। ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ  ୪ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସହ ଓଡ଼ିଶାର ଆହୁି ଅନେକ ପୁରସ୍କାର ପ୍ରାପ୍ତ ଜଣେ ସ୍ରଷ୍ଟାଙ୍କ ସହ ଏ ସପ୍ତାହରେ ସ୍ୱତନ୍ତ୍ର ସାକ୍ଷାତ୍‌କାର।
୧. ପ୍ରଶ୍ନ: ଆପଣ ଯେଉଁ ସମୟରେ ଆପଣଙ୍କ ସଂଗୀତ ଯାତ୍ରା ଆରମ୍ଭ କଲେ ସେହି ସମୟରେ ଇରା ମହାନ୍ତି ଓ ଶୈଳଭାମାଙ୍କ ପରି ଓଡ଼ିଶାର ଲୋକପ୍ରିୟ ଗାୟିକାମାନେ ଶ୍ରୋତାଙ୍କ ମନରେ ରାଜ୍‌ କରୁଥିଲେ। ସେମାନଙ୍କ ସହ ପ୍ରତିଦ୍ୱନ୍ଦିତା କରିବା ବେଳେ ଆପଣଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ିନି?
ଉତ୍ତର: ପ୍ରଥମତଃ ମୁଁ କାହାକୁ ବି ମୋର ପ୍ରତିଦ୍ୱନ୍ଦ୍ୱୀ ବୋଲି ଭାବେନି। ସମସ୍ତେ ସମସ୍ତଙ୍କଠାରୁ ଭିନ୍ନ। ସେମାନେ ଏମିତିରେ ବି ମୋଠାରୁ ବୟସରେ ବହୁତ ବଡ଼। ଈଶ୍ୱର ସମସ୍ତଙ୍କୁ ଭିନ୍ନ ଧରଣର କରି ଗଢ଼ିଛନ୍ତି। ମୁଁ କାହା ସହ ବି ବେବେ ପ୍ରତିଯୋଗିତା କରେନି। ହୁଏତ ମୋ ସହ କିଏ ପ୍ରତିଯୋଗିତା କରୁଥାଇପାରନ୍ତି। କିନ୍ତୁ ମୋତେ ଲାଗେନି ଯେ କାହା ସହ ପ୍ରତିଯୋଗିତା କରି ମୁଁ କିଛି ଅଧିକ ହାସଲ କରିଦେବି। ମୋର ସମସ୍ତଙ୍କ ସହ ଅତ୍ୟନ୍ତ ଭଲ ସଂପର୍କ।
୨. ପ୍ରଶ୍ନ: ଆପଣ ବହୁ ଗୀତ ଗାଇଛନ୍ତି। ଆପଣଙ୍କର ଅନେକ ଗୀତକୁ ‌ଯଥେଷ୍ଟ ଲୋକପ୍ରିୟତା ମିଳିଛି। ତେବେ ସେସବୁ ଗୀତ ଭିତରୁ ଆପଣଙ୍କର  ପ୍ରିୟ କେଉଁଟି?
ଉତ୍ତର: ମୋର ତ ୧୭୮ ଓଡ଼ିଆ ଚଳଚ୍ଚିତ୍ର। ତା’ମାନେ ଭାବନ୍ତୁ ୧୭୮ଟା ଛୁଆ ମୋର। ମୁଁ ସମସ୍ତଙ୍କର ମାଆ। ମାଆ ପାଇଁ ତ ସବୁ ଛୁଆ ସମାନ। କେଉଁ ଗୀତର ଲୋକପ୍ରିୟତା କମ୍‌ ତ କାହାର ବେଶି। ତେବେ ଗୋଟେ ଗୋଟେ କମ୍‌ ଲୋକପ୍ରିୟ ଗୀତ ବି ମତେ ଖୁବ୍‌ ଭଲଲାଗେ। ଏମିତି ଗୀତ ବି ଅଛି ବହୁତ ହିଟ୍‌ ହୋଇ ନଥିବ କିନ୍ତୁ ମୁଁ ସନ୍ତୁଷ୍ଟ ହୋଇଥିବି। ଯେଉଁ ଗୀତ ଗାଇଲା ବେଳେ ମୋ ଲୋମ ମୂଳ ଟାଙ୍କୁରି ଉଠେ ସେଇ ଗୀତକୁ ଗାଇ ମୁଁ ସନ୍ତୁଷ୍ଟ ହୋଇଥିବି।
୩.ପ୍ରଶ୍ନ: ଆପଣ ଆପଣଙ୍କ ବିବାହ ନିଷ୍ପତ୍ତି ଏତେ ବିଳମ୍ବରେ କାହିଁକି ନେଲେ?
ଉତ୍ତର: ବିବାହଟା ତ ସବୁବେଳେ ସ୍ୱର୍ଗରୁ ହିଁ ସ୍ଥିର ହୋଇଥାଏ। ମୁଁ ଜଣେ ସାଧାରଣ କଣ୍ଠଶିଳ୍ପୀ ହୋଇଥିଲେ ହୁଏତ ମୁଁ କାହାକୁ ବି ବାହା ହୋଇ ପଡ଼ିଥାନ୍ତି। ଅନେକ ପ୍ରସ୍ତାବ ଆସିଛି ଓ ବିଶେଷତଃ ବିଦେଶରୁ ହିଁ ପ୍ରସ୍ତାବ ସବୁ ଆସେ। ମାତ୍ର ମୋତେ ଓଡ଼ିଶାରେ ରହିବାର ଥିଲା। ମୁଁ ସଂଗୀତକୁ ଛାଡ଼ି ବାହାରକୁ ଯାଇପାରି ନଥାନ୍ତି। ଏବେ ମୁଁ ଯାହାଙ୍କୁ ବିବାହ କରିଛି ସେ ଜଣେ ଅଭିନେତା ଓ ବ୍ୟବସାୟୀ। ଏଥିସହ ସେ ମୋର ଜଣେ ଫ୍ୟାନ। ମୋ କାମକୁ ପସନ୍ଦ କରନ୍ତି। ବିଳମ୍ବରେ ହେଉ ପଛେ ମୁଁ ଠିକ୍‌ ନିଷ୍ପତ୍ତି ନେଇଛି ବୋଲି ମୁଁ ଭାବୁଛି।
୪. ପ୍ରଶ୍ନ: ବିବାହ ପ୍ରସ୍ତାବ ପ୍ରଥମେ କାହା ଆଡୁ ଆସିଥିଲା? ଆପଣଙ୍କ ଆଡୁ ନା ଆପଣଙ୍କ ସ୍ୱାମୀଙ୍କ ଆଡୁ?
ଉତ୍ତର: ସ୍ୱାମୀଙ୍କ ଆଡୁ ପ୍ରଥମେ ଆସିଥିଲା।

୫. ପ୍ରଶ୍ନ: ଆଜିକାଲ ତପୁ ମିଶ୍ରଙ୍କ କଣ୍ଠସ୍ୱର ଟିକେ କମ୍‌ ଶୁଣିବାକୁ ମିଳୁଛି। ଆପଣଙ୍କୁ ଏମିତି ଲାଗୁଛି କି ନବାଗତାଙ୍କ ଆଗମନ ପରେ ଆପଣଙ୍କ ଚାହିଦା କମ୍‌ ହୋଇଛି?
ଉତ୍ତର: ନାଇଁ, ବାସ୍ତବ କଥା ହେଉଛି ଇଣ୍ଡଷ୍ଟ୍ରି ଲୋକଙ୍କୁ ଲାଗେ ଯେ ମୁଁ ଇଣ୍ଡଷ୍ଟ୍ରିର ଜଣେ ଦାମୀ କଣ୍ଠଶିଳ୍ପୀ। କିଛି ସଂଗୀତ ନିର୍ଦ୍ଦେଶକ ମୋତେ ଉପଯୁକ୍ତ ପରିମାଣର ପାଉଣା ଦେଇପାରୁ ନାହାନ୍ତି। ଜଣେ କଣ୍ଠଶିଳ୍ପୀ ସହ ମାଛ ବଜାରରେ ଦର ମୂଲେଇଲା ପରି ମୂଲାନ୍ତି। ମୁଁ ଟିକେ ଅଧିକ ଟଙ୍କା ନିଏ। ଆଜିକାଲିର କଣ୍ଠଶିଳ୍ପୀଙ୍କ କଥା ଯଦି କହୁଛନ୍ତି ତେବେ ମୁଁ ମୋର ଆଉ ଏକ ସାକ୍ଷାତ୍‌କାରରେ କହିଥିବା କଥାଟିକୁ ମନେପକାଉଛି ଯେ ସେମାନେ ବହୁତ ଶସ୍ତାରେ କାମ କରୁଛନ୍ତି। ହୁଏତ ସେମାନେ ଭାବୁଛନ୍ତି ବେଶି ଟଙ୍କା କହିଲେ ତାଙ୍କୁ ସଂଗୀତ ନିର୍ଦ୍ଦେଶକ ନେବେନି କିମ୍ବା ତାଙ୍କୁ ଗୀତ ମିଳିବନି। ସେଇମାନଙ୍କ କାରଣରୁ ଭଲ କଳାକାରମାନେ ପଛରେ ରହି ଯାଉଛନ୍ତି। କାହିଁକ ନା, ଜଣେ ଯଦି ଗୋଟେ ଗୀତକୁ ୩ ହଜାର ଟଙ୍କାରେ ଗାଇବାକୁ ରାଜି ହୋଇଯାଏ ସେଠି ନିର୍ଦ୍ଦେଶକ ୧୫ ହଜାର ଟଙ୍କା ଦେଇ ତପୁ ମିଶ୍ରଙ୍କୁ କାହିଁକି ନେବେ? ନୂଆପିଢ଼ିଙ୍କୁ ଗୋଟେ କଥା କହିବି କି ଗୀତ ଗୋଟିଏ ପାଇବା ପାଇଁ ପଲ ପଲ ହୋଇ ଯାଇ ନିର୍ଦ୍ଦେଶକଙ୍କ ପାଖରେ ବସନ୍ତୁନି। କଳା ଥିଲେ କାମ ନିଶ୍ଚୟ ମିଳିବ।
୬.ପ୍ରଶ୍ନ: ଯଦି ଏକା ସାଥୀରେ ଆପଣଙ୍କ ମାଆ ଓ ଶାଶୂ ଉଭୟଙ୍କ ସ୍ୱାସ୍ଥ୍ୟ ଖରାପ ହୁଏ ତେବେ ଆପଣ କାହା ପାଖରେ ରହିବେ?
ଉତ୍ତର: ଏମିତି ତ କେବେ ହବ ନାହିଁ। ଯଦି ବି ସେମିତି ପରିସ୍ଥିତି ଆସେ ତେବେ ଯିଏ ଅଧିକ ଅସୁସ୍ଥ ଥିବେ ମୁଁ ତାଙ୍କ ପାଖେ ରହିବି। ମାତ୍ର ଅନ୍ୟ ଜଣଙ୍କ ପାଖରେ ବି କାହାକୁ ଜଣଙ୍କୁ ରଖାଇବି ନିଶ୍ଚୟ। ଆଉ ଗୋଟେ କଥା ଆପଣ ଜାଣିନଥିବେ ହୁଏତ, ମୋ ଶାଶୂଙ୍କ ସହ ମୋର ବହୁତ ଭଲ ସଂପର୍କ। ଏକଥା ପୂର୍ବରୁ କେଉଁଠି କହିନି, ଏତେ ଦିନ ଧରି ବିବାହ ନକରିବାର ଇଏ ମଧ୍ୟ ଏକ କାରଣ ଥିଲା। ମୋତେ ଲାଗୁଥିଲା କି ଶାଶୂ ଯଦି ଖରାପ ମିଳନ୍ତି ତେବେ ମୁଁ ଚଳିବି କେମିତି? ମୁଁ ବି ଅଧିକାଂଶ କ୍ଷେତ୍ରରେ ଦେଖିଛି ଯେ ଶାଶୂ-ବୋହୂଙ୍କ ଭିତରେ ଜମା ପଡ଼େନି। ମାତ୍ର ମୋ ସହ ପୂରା ଓଲଟା ହେଲା। ମୁଁ ମୋ ଶାଶୂଙ୍କ ସହ ସବୁ କିଛି ସେୟାର୍‌ କରେ। ମୋ ଶାଶୂ ମୋ କ୍ୟାରିୟରକୁ ନେଇ ବହୁତ ଗର୍ବ କରନ୍ତି। ସେ ଖୁବ୍‌ ସରଳ ଓ ନିରୀହ।
୭. ପ୍ରଶ୍ନ: ଯଦି କେହି ଯୁବତୀ ଆସି କହନ୍ତି କି ଆପଣଙ୍କ ସ୍ୱାମୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ରହିଛି। ତେବେ କିପରି ରହିବ ପ୍ରତିକ୍ରିୟା?
ଉତ୍ତର: ହା  ହା ହା! ମୋ ସ୍ୱାମୀ ତ ହିରୋ ଲୋକ। ତାଙ୍କର ଅନେକ ପ୍ରଶଂସକ ବି ଅଛନ୍ତି। ଯଦି ସେମିତି କାହା ସହ ସଂପର୍କ ଥାଆନ୍ତା  ତ ସେ ମୋତେ କେବେ ବିବାହ କରି ନଥାନ୍ତେ। ସେମିତି ତ ବିବାହ ପୂର୍ବରୁ ବହୁତ କ୍ରସ ଥାଏ। ଆମ ଭିତରେ କିଛି ଅଛପା ବି ନାହିଁ। ମୋ ସ୍ୱାମୀ ତ ମଜା ମଜାରେ ମୋତେ କୁହନ୍ତି କି ହଁ ମୋତେ ବିବାହ ପୂର୍ବରୁ ୟା ପ୍ରତି କ୍ରସ ଥିଲା ତା ପ୍ରତି କ୍ରସ୍‌ ଥିଲା ବୋଲି। ଆମେ ସବୁ ଖୋଲାଖୋଲି କଥା ହେଉ। ମୋତେ ସେ ନେଇ ସେପରି କିଛି ଅସୁବିଧା ହେବନି।

(ଆପଣଙ୍କ ମୂଲ୍ୟବାନ ସମୟ ଦେଇ ଆମ ସହ ସାମିଲ୍‌ ହୋଇଥିବାରୁ ଆପଣଙ୍କୁ ‘ସମ୍ବାଦ.ଇନ୍‌’ ତରଫରୁ ବହୁତ ଶୁଭେଚ୍ଛା ଓ ଧନ୍ୟବାଦ)

ସମ୍ବନ୍ଧିତ ଖବର