ସୁଶାନ୍ତ ମଣିଙ୍କ ସିନେମାରେ ଅଭିନୟ ପାଇଁ ସୁଯୋଗ ଖୋଜୁଛନ୍ତି କି? ଜଣେ ସାଧାରଣ ପିଲା ଭିତରେ ଏଇ ଗୁଣ ଦେଖିବା ପରେ ତାଙ୍କୁ ଷ୍ଟାର୍‌ ସଜାଇ ପାରନ୍ତି ଏହି ଡିରେକ୍ଟର୍‌

ସାକ୍ଷାତ୍‌କାର/ବନ୍ଦନା ମିଶ୍ର

ଭୁବନେଶ୍ୱର: ଲୋକପ୍ରିୟ ସିନେ-ନିର୍ଦ୍ଦେଶକ ସୁଶାନ୍ତ ମଣି ଏକାଧାରରେ ଜଣେ ନୃତ୍ୟ ନିର୍ଦ୍ଦେଶକ, ସଂପାଦକ ଓ ଚିତ୍ରନାଟ୍ୟ ଲେଖକ। ସେ ପ୍ରଥମେ ଆଲ୍‌ବମରେ ନୃତ୍ୟ ନିର୍ଦ୍ଦେଶନା ଦେଇ କ୍ୟାରିୟର୍‌ ଆରମ୍ଭ କରି ପରବର୍ତ୍ତୀ ସମୟରେ ବୃହତ୍ତର ପରିସରରେ ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ଆଲ୍‌ବମ ମଧ୍ୟରୁ ଖୁବ୍‌ ଲୋକପ୍ରିୟ ହେଉଛି ‘ଡେଉଁଚି ମୋ ବାଆଁ ଆଖି..’। ଏହାପରେ ଚଳଚ୍ଚିତ୍ର ସଂପାଦନା କ୍ଷେତ୍ରକୁ ଆସି ସୁଶାନ୍ତ ମଣି ନିଜକୁ ଓଲିଉଡର ଆଗଧାଡ଼ିର ଏଡିଟର ଭାବେ ପ୍ରତିଷ୍ଠିତ କରିଥିଲେ। ପ୍ରାୟ ୩୦ରୁ ଊର୍ଧ୍ୱ ଫିଲ୍ମର ଏଡିଟିଂ କରିଥିବା ସୁଶାନ୍ତ ଏହାପରେ ନିର୍ଦ୍ଦେଶନାକୁ ଓହ୍ଲାଇ ଥିଲେ।

ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ଥିଲା ‘ଆ ଜହ୍ନରେ ଲେଖିବା ନାଁ’। ଏହି ସିନେମାରେ ମୁଖ୍ୟ ଭୂମିକାରେ ଥିଲେ ଅନୁଭବ ମହାନ୍ତି। ଓଲିଉଡ୍‌ର ଏହି ଷ୍ଟାଇଲିସ୍‌ ନିର୍ଦ୍ଦେଶକଙ୍କୁ ‘ଷ୍ଟାର୍‌ ଡିରେକ୍ଟର’ର ପରିଚୟ ପ୍ରଦାନ କରିଥିଲା ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଅଭିମନ୍ୟୁ’। ଏହି ସିନେମାରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ସାଜିଥିଲେ ପ୍ରିୟା ଚୌଧୁରୀ।

‘ଅଭିମନ୍ୟୁ’ ପରେ ନିର୍ଦ୍ଦେଶକ ସୁଶାନ୍ତ ମଣି ଆଉ ପଛକୁ ଫେରି ଚାହିଁନାହାନ୍ତି। ସେ ଗୋଟାଏ ପରେ ଗୋଟାଏ ହିଟ୍‌ ଚଳଚ୍ଚିତ୍ର ଦେଇ ପାଲଟି ଯାଇଛନ୍ତି ଓଲିଉଡ୍‌ର ଷ୍ଟାର୍‌ ନିର୍ଦ୍ଦେଶକ।

ତେବେ ସୁଶାନ୍ତ ମଣିଙ୍କ ଉଲ୍ଲେଖନୀୟ ସିନେମା ମଧ୍ୟରେ ରହିଛି ‘ମୋଷ୍ଟ୍‍ ଓ୍ଵାଣ୍ଟେଡ୍‌’, ‘ଆମ ଭିତରେ କିଛି ଅଛି’, ‘ଲୁଚକାଳି’, ‘ଚକୋଲେଟ୍‌’ ଇତ୍ୟାଦି। ନିକଟ ଅତୀତରେ ରିଲିଜ୍‌ ହୋଇଛି ତାଙ୍କ ନିର୍ଦ୍ଦେଶିତ ସିନେମା ‘ନିମ୍‌କୀ(ନିମପୁରରୁ ନବୀନ ନିବାସ)’।

ତେବେ, ଏଭଳି ଜଣେ ସଫଳ ସ୍ରଷ୍ଟାଙ୍କ ବିଷୟରେ କିଏ ବା ଜାଣିବାକୁ ନଚାହିଁବ! ଅନେକ ବ୍ୟକ୍ତିଗତ ଓ ଗୋପନ କଥାକୁ ନେଇ ଆମେ ପଚାରିଥିବା ପ୍ରଶ୍ନର ଏକଦମ ଖୋଲାଖୋଲି ଉତ୍ତର ଦେଇଛନ୍ତି ସୁଶାନ୍ତ ମଣି। ନିଜର ମତ ରଖିବା ବେଳେ ଆଦୌ ବି ସଂକୋଚ ମନେ ନ କରି ନିଜର ଭାବନାକୁ ଆମ ସହ ବାଣ୍ଟିଛନ୍ତି। ତେବେ, ଚାଲନ୍ତୁ ପଢ଼ିବା ପଚରା ଯାଇଥିବା ପ୍ରଶ୍ନ ସହ ସୁଶାନ୍ତଙ୍କ ରୋକଠୋକ ଉତ୍ତର।

୧. ପ୍ରଶ୍ନ: ସୁଶାନ୍ତ ମଣିଙ୍କ ଚଳଚ୍ଚିତ୍ର ଅନ୍ୟଠାରୁ କାହିଁକି ନିଆରା? ଆପଣଙ୍କ ଚଳଚ୍ଚିତ୍ରର କେଉଁ ପଣ ତାହାକୁ ସ୍ୱତନ୍ତ୍ର କରାଏ?
ଉତ୍ତର: ଦେଖନ୍ତୁ, ଗୋଟିଏ ରେସିପିକୁ ନେଇ ଯଦି ବିଭିନ୍ନ ଲୋକ ରୋଷେଇ କରିବେ, ତା’ହେଲେ ସ୍ୱାଦ ଭିନ୍ନ ହେବ। ସେହିପରି ମୁଁ କେବେ ବି ଭିନ୍ନ କରିବାକୁ ଚେଷ୍ଟା କରେନି। ମତେ ଯେମିତି ଭଲଲାଗେ, ମୁଁ ସେମିତି ଫିଲ୍ମ ତିଆରି କରେ। ଆପଣ ଭାବିପାରନ୍ତି ଏହା ହେଉଛି ମୋ ଭିତରେ ଥିବା ‘ମୋ-ପଣ’।

୨. ପ୍ରଶ୍ନ: ଅନେକ ଭଲ କାମ କରିଥିବା ସୁଶାନ୍ତ ମଣି ତାଙ୍କ ଜୀବନରେ କିଛି ଅନୈତିକ କାର୍ଯ୍ୟ କରିଛନ୍ତି କି? ଯଦି ହଁ, ତାହା ଆମ ସହ ବାଣ୍ଟିବାକୁ ପସନ୍ଦ କରିବେ?
ଉତ୍ତର: ହଁ, ମୁଁ ଚୋରି କରିଛି। ପିଲା ଦିନେ ସ୍କୁଲ୍‌ର ଗେମ୍‌ ରୁମ୍‌ରୁ ଫୁଟ୍‌ବଲ୍‌, କ୍ରିକେଟ୍‌ କିଟ୍‌ ଓ ଅନ୍ୟ ଖେଳ ସାମଗ୍ରୀ ଲୁଚାଇ ଘରକୁ ନେଇ ଆସୁଥିଲି।

୩. ପ୍ରଶ୍ନ: ସୁଶାନ୍ତ ମଣି ଏକ ଅନ୍ଧାର ରାତିରେ ଜଙ୍ଗଲ ଭିତରେ ଥିବା ଏକ ଘର ମଧ୍ୟରେ ଜଣେ ସୁନ୍ଦରୀ ଝିଅ ସହ ବନ୍ଦ ହୋଇ ଯାଉଛନ୍ତି। ସେ କିପରି ଅନୁଭବ କରିବେ, ଖୁସି ହେବେ ନା ବିବ୍ରତ?
ଉତ୍ତର: ପ୍ରଥମତଃ ସୁନ୍ଦରର ସଂଜ୍ଞା ମୋ ପାଇଁ ଭିନ୍ନ। ସବୁ ସୁନ୍ଦର ଚେହେରା ଯେ ମନକୁ ସୁନ୍ଦର ଲାଗିବ ସେପରି କିଛି ମାନେ ନାହିଁ। ଅସୁନ୍ଦର ଚେହେରାଟି ଯେ ମନକୁ ମୋହି ନପାରେ ତାହାର ବି କିଛି ମାନେ ନାହିଁ। ଯଦି ମୋ ସହ ଏକ ଘରେ ବନ୍ଦ ହୋଇଥିବା ଝିଅ ଜଣକ ମୋତେ ଭଲ ନ ଲାଗନ୍ତି ତେବେ ମୁଁ ପଦୁଟିଏ ବି କଥା ହେବି ନାହିଁ। ଯଦି ସେ ମୋତେ ଭଲ ଲାଗନ୍ତି ତେବେ ମୁଁ ତାଙ୍କ ସହ ଗପସପ କରିବାକୁ ପସନ୍ଦ କରିବି।

୪. ପ୍ରଶ୍ନ: ବାବୁସାନ, ବର୍ଷା, ଅନୁଭବ ଓ ଅର୍ଚ୍ଚିିତା ଯଦି ଅଭିନୟ ଦୁନିଆରେ ନଥାନ୍ତେ ତେବେ ସେମାନେ ଅନ୍ୟ କେଉଁ କ୍ଷେତ୍ରରେ ସଫଳ ହୋଇ ପାରିଥାନ୍ତେ?
ଉତ୍ତର: ବାବୁସାନ-କଣ୍ଠଶିଳ୍ପୀ, ବର୍ଷା-ସମାଜସେବୀ, ଅନୁଭବ-ରାଜନେତା ଓ ଅର୍ଚ୍ଚିତା- ଏକ ଭଲ କମ୍ପାନିର ସିଇଓ ହୋଇପାରିଥାନ୍ତେ।

୫. ପ୍ରଶ୍ନ: ଯଦି ଈଶ୍ୱର ଆପଣଙ୍କୁ ଦେଖା ଦେଇ ଏକ ବର ମାଗିବାକୁ କହନ୍ତି ତେବେ ଆପଣ କ’ଣ ମାଗିବେ?
ଉତ୍ତର: ଯଦି ଈଶ୍ୱର ମୋ ସାମ୍ନାରେ ଦେଖା ହୁଅନ୍ତି ତ ମୁଁ ମାଗିବି ମୋ ପୁଅକୁ ଭଲ ମଣିଷ କରିଦିଅ। ସେ ଜୀବନରେ ଭଲ ମଣିଷଟେ ହୋଇ ବାହାରୁ।

୬. ପ୍ରଶ୍ନ: ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌ ହୁଏ? ଆପଣଙ୍କ ଉପରେ ସେପରି କିଛି ଅଭିଯୋଗ ଆସିଛି କି? କାଷ୍ଟିଂ କାଉଚ୍‌ ପାଇଁ କିଏ ଦାୟୀ?
ଉତ୍ତର: ହଁ, ଓଲିଉଡରେ କାଷ୍ଟିଂ କାଉଚ୍‌ ହୁଏ। ମୋ ଉପରେ ସେପରି କୌଣସି ଅଭିଯୋଗ ଆସିନାହିଁ। କାଷ୍ଟିଂ କାଉଚ୍‌ ପଛରେ ଉଭୟଙ୍କ ହାତ ଥାଏ। ଏଥିପାଇଁ ଉଭୟ ପୀଡ଼ିତ ଓ ଅଭିଯୁକ୍ତ ଦାୟୀ।

୭. ପ୍ରଶ୍ନ: ଜଣେ ନବାଗତ/ନବାଗତାଙ୍କ ଭିତରେ କେଉଁ ଗୁଣ ଦେଖିଲେ ବିନା ଅଭିଜ୍ଞତାରେ ବି ତାଙ୍କୁ ସିନେମାରେ ସୁଯୋଗ ଦେଇପାରନ୍ତି ସୁଶାନ୍ତ ମଣି?
ଉତ୍ତର: ଅଭିନୟ ନିଶା। ସେଇ ନିଶାଟିକୁ ଯଦି ମୁଁ ସେ ପିଲା ଭିତରେ ଦେଖିପାରେ ତେବେ ବିନା କୌଣସି ଅଭିଜ୍ଞତାରେ ମୁଁ ମୋ ସିନେମାରେ ସୁଯୋଗ ଦେଇପାରେ।

(ଆପଣଙ୍କ ମୂଲ୍ୟବାନ ସମୟ ଦେଇ ଆମ ସହ ଯୋଡ଼ି ହୋଇଥିବାରୁ ଆପଣଙ୍କୁ ‘ସମ୍ବାଦ.ଇନ୍‌’ ତରଫରୁ ଅନେକ ଅନେକ ଧନ୍ୟବାଦ ଓ ଶୁଭେଚ୍ଛା)

ସମ୍ବନ୍ଧିତ ଖବର