ଯଦି କେବେ କାଷ୍ଟିଙ୍ଗ କାଉଚ୍‌ର ସାମ୍ନା କରେ ତେବେ ବିରୋଧ କରିବି : ଆହାନା

ଆହାନା ଓଲିଉଡରେ ନୂଆ କରି ପାଦ ଦେଇଛନ୍ତି। ତାଙ୍କର ପ୍ରଥମ ଫିଲ୍ମ ‘ଭୈରବ’ ରିଲିଜ୍‌ ହୋଇ ସାରିଥିବା ବେଳେ ଦ୍ୱିତୀୟ ଚଳଚ୍ଚିତ୍ର ‘ବ୍ଲାକମେଲ୍‌’ର ସୁଟିଂ ଚାଲୁ ରହିଛି । ଏହି ନବାଗତା ନାୟିକାଙ୍କୁ ସମ୍ବାଦ ଡଟ୍‌ ଇନ୍‌ ପକ୍ଷରୁ ସାକ୍ଷାତ କରିଥିଲେ ସୁମନ ମହାନ୍ତି ଏବଂ ମୋନାଲିସା ପରିଡ଼ା।

ଆପଣ ଜଣେ ଅଭିନେତ୍ରୀ ହେବେ ବୋଲି କେବେ ଭାବିଥିଲେ କି ?
କେବେ ବି ନୁହେଁ । ମୁଁ ଛୋଟ ବେଳେ କେବେ ବି ଅଭିନୟ କରିନି । ୨ ବର୍ଷ କେବଳ ନାଚ ଶିଖୁଥିଲି । ତା’ପରେ ପାଠପଢ଼ା ପାଇଁ ମୁଁ ନାଚକୁ ଛଡ଼ିଥିଲି । ସବୁବେଳେ ଟିଭିରେ ହିରୋଇନ୍‌ ମାନଙ୍କୁ ଦେଖି ସବୁ ଝିଅଙ୍କ ଭଳି ମୋର ବି ଇଛା ହୁଏ ଟିଭିରେ ଆସିବା ପାଇଁ । କିନ୍ତୁ ମୁଁ ଜଣେ ହିରୋଇନ୍‌ ହେବି , ତାହା କେବେ ଭାବି ନ ଥିଲି ।
ଆପଣଙ୍କୁ ପ୍ରଥମ ଫିଲ୍ମ କିପରି ମିଳିଥିଲା ?
ସେଦିନ ମୁଁ କେବେ ବି ଭୁଲି ପାରିବି ନାହିଁ । ଅନୁଗୁଳକୁ ଗୋଟେ ଫଙ୍କ୍‌ସନ୍‌ରେ ଯାଇଥିବା ବେଳେ ଜଣେ ମତେ ଦେଖି ନମ୍ବର ମାଗିଥିଲେ। କିନ୍ତୁ ମୁଁ ଦେଇ ନ ଥିଲି । କିଛି ଦିନ ପରେ ସେ ମୋ ନମ୍ବର ପାଇ ‘ଭୈରବ’ର ପ୍ରଯୋଜକଙ୍କ ସହ କଥା କରାଇଥିଲେ । ଏହା ପରେ ସେ ମୋର ଏକ ଇଣ୍ଟରଭ୍ୟୁ ନେବା ପରେ ମୋତେ ଏହି ଫିଲ୍ମ ମିଳିଥିଲା ।
ଫିଲ୍ମ କରିବା ପାଇଁ ଆପଣଙ୍କୁ ଘରୁ ସମର୍ଥନ ମିଳିଥିଲା ?
ହଁ । ମୋ ପରିବାରରେ ସମସ୍ତେ ମୋତେ ସବୁ କାମ ପାଇଁ ସମର୍ଥନ କରନ୍ତି । ଏହି ଫିଲ୍ମର ଅଫର ପାଇବା ପରେ ମୁଁ ଯେତେବେଳେ ଘରେ ଜଣାଇଥିଲି ସମସ୍ତେ ଖୁସି ହୋଇ ଯାଇଥିଲେ । ଡ଼ର ଲାଗିଥିଲା କି ବାପା ଏହା ଜାଣିବା ପରେ କେମିତି ଗ୍ରହଣ କରିବେ । କିନ୍ତୁ ସେ ଏହା ଜାଣିବା ପରେ ବହୁତ ଖୁସି ହୋଇଥିଲେ ।


ପ୍ରଥମେ କ୍ୟାମେରାକୁ ସାମ୍ନା କରିବାକୁ ଆପଣଙ୍କୁ ଡ଼ର ଲାଗି ନଥିଲା ?
ନିଶ୍ଚୟ ଭାବେ ଲାଗିଥିଲା । ପ୍ରଥମ ଦିନ ସୁଟିଂରେ ମୋତେ ଗୋଟେ ସଟ୍‌ ଦେବା ପାଇଁ ବହୁତ ସମୟ ଲାଗିଥିଲା । କ୍ୟାମେରାର ଆଙ୍ଗେଲ ଜାଣିବା ପାଇଁ ମୋତେ ବହୁତ ଅସୁବିଧା ହୋଇଥିଲା । କିନ୍ତୁ ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ଅଭିନେତା ସମସ୍ତେ ମୋତେ ସାହାଯ୍ୟ କରିଥିଲେ ।
ଫିଲ୍ମ ‘ବ୍ଲାକ୍‌ମେଲ’ରେ ଆପଣଙ୍କୁ କିଭଳି ଚରିତ୍ର ମିଳିଛି?
ମୋ ପୂର୍ବ ଫିଲ୍ମରେ ଥିବା ଚରିତ୍ରଠାରୁ ଏହା ସମ୍ପୁର୍ଣ୍ଣ ଭିନ୍ନ । ସେଥିରେ ମୁଁ ଜଣେ ଗାଉଁଲି ଝିଅର ଚରିତ୍ରରେ ଅଭିନୟ କରିଥିଲି । ଏହି ଫିଲ୍ମରେ ମୋତେ ଗୋଟେ ଷ୍ଟାଇଲିସ୍‌ ଏବଂ ମଡ଼ର୍ଣ୍ଣ ଲୁକ୍‌ ଦିଆଯାଇଛି ।
ଏହି ଫିଲ୍ମରେ ଏକ ଗୀତରେ ଆପଣଙ୍କୁ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଦେଖିବାକୁ ମିଳିବ । ତାଙ୍କ ସହ ସ୍କ୍ରିନ୍‌ ସେୟାର କରିବାର ଅନୁଭୁତି କିପରି ଥିଲା?
ବହୁତ ଡ଼ର ଲାଗିଥିଲା । ପ୍ରଥମେ ପ୍ରଥମେ ଏତେ ବଡ଼ ଅଭିନେତାଙ୍କ ସହ ନାଚିବା ପାଇଁ ମୋତେ ଡ଼ର ଲାଗିଥିଲା । କିନ୍ତୁ ନିର୍ଦ୍ଦେଶକ ଅମିତ୍‌ ସାର୍‌ ମୋତେ କହିଥିଲେ କି ଯଦି ସେ ଜଣେ ବଡ଼ କଳାକାର ହୋଇ ନୂଆ ଅଭିନେତ୍ରୀଙ୍କ ସହ କାମ କରିବାକୁ ଡ଼ରୁ ନାହାନ୍ତି ତା’ହେଲେ ତମେ କ’ଣ ପାଇଁ ଡ଼ରୁଛ । ଏହା ପରେ ମୋ ଡ଼ର କିଛି କମ୍‌ ହୋଇଥିଲା ଏବଂ ମୁଁ ଠିକ୍‌ ଭାବରେ ଡ଼୍ୟାନ୍‌ସ ଷ୍ଟେପ୍‌ କରି ପାରିଥିଲି ।
ଡ଼୍ରିମ୍‌ ରୋଲ୍‌ କ’ଣ ରହିଛି?
‘ଲାଲ୍‌ ପାନ୍‌ ବିବି’ରେ ମହେଶ୍ୱତା ରାୟଙ୍କର ଯେମିତି ଚୁଲ୍‌ବୁଲି ଏବଂ ନଟ୍‌ଖଟି ଚରିତ୍ର ଥିଲା ସେ ଭଳି ଚରିତ୍ରରେ ମୁଁ ଅଭିନୟ କରିବାକୁ ସବୁ ବେଳେ ସ୍ୱପ୍ନ ଦେଖି ଆସିଛି ।
ଫିଟ୍‌ ରହିବା ପାଇଁ କ’ଣ କରନ୍ତି?
ମୁଁ ବହୁତ ଖାଇବା ପାଇଁ ଭଲ ପାଏ । କିନ୍ତୁ ଏ ଲାଇନ୍‌କୁ ଆସିବା ପରେ ଫିଟ୍‌ ରହିବାକୁ ତ ପଡ଼ିବ । ପଢ଼ା ଏବଂ ଅଭିନୟ ପାଇଁ ମୋତେ ଅଧିକ ସମୟ ମିଳୁ ନ ଥିବାରୁ ଦିନକୁ ଗୋଟେ ଘଣ୍ଟା ପାଇଁ ମୁଁ ଜିମ୍‌ ଯାଉଛି ।
ଏହି ଲାଇନ୍‌ରେ ଆପଣ ନୂଆ । ନବାଗତ ନାୟିକା ହିସାବରେ ଆପଣ କେବେ କାଷ୍ଟିଙ୍ଗ କାଉଚ୍‌ର ଶିକାର ହୋଇଛନ୍ତି?
ନା । ଏ ପର୍ଯ୍ୟନ୍ତ ମୁଁ କାଷ୍ଟିଙ୍ଗ କାଉଚ୍‌କୁ ସାମ୍ନା କରିନାହିଁ । ମୋର ଦୁଇଟି ଫିଲ୍ମରେ ଥିବା ଅଭିନେତା ଏବଂ ନିର୍ଦ୍ଦେଶକମାନେ ବହୁତ ଭଲ । ମୁଁ ସେଭଳି ପରିସ୍ଥିତିର ସାମା୍ନ କରିନି । ଯଦି ଭବିଷ୍ୟତରେ କେବେ ସାମ୍ନା କରେ ତେବେ ମୁଁ ଏହାର ବିରୋଧ ନିହାତି ଭାବରେ କରିବି ।
ବଲିଉଡ଼ରେ କେଉଁ ଅଭିନେତା ଏବଂ ଅଭିନେତ୍ରୀ ଆପଣଙ୍କର ପସନ୍ଦ?
ହ୍ରିତିକ୍‌ ରୋଶନ୍‌ , ଦୀପିକା ପାଦୁକୋନ
ଓଲିଉଡ଼ରେ କେଉଁ ଅଭିନେତା ଏବଂ ଅଭିନେତ୍ରୀ ଆପଣଙ୍କର ସବୁଠୁ ପ୍ରିୟ?
ବାବୁସାନ, ରଚନା ବାନାର୍ଜୀ
ମନର ମଣିଷ ପାଇଁ କିଛି ଭାବିଛନ୍ତି ଆପଣ?
ସେମିତି କିଛି ଭାବିନିି ଏ ପର୍ଯ୍ୟନ୍ତ । କିନ୍ତୁ ମୋ ପ୍ରଫେସନକୁ ଯିଏ ବୁଝିପାରୁଥିବ ଏବଂ ମୋତେ ସମର୍ଥନ କରୁଥିବା ଭଳି ପୁଅ ମୁଁ ଚାହୁଁଛି ।

ସମ୍ବନ୍ଧିତ ଖବର