ମୁମ୍ବାଇ: ଶିଶୁ କଳାକାର ଭାବେ ଅଭିନୟ ଦୁନିଆରେ ପାଦ ଥାପି ‘ଏ ଯୁଗର କୃଷ୍ଣ ସୁଦାମା’ ଚଳଚ୍ଚିତ୍ର ଜରିଆରେ ଓଲିଉଡ୍ ନାୟିକା ଭାବେ ଡେବ୍ୟୁ କରିଥିଲେ। ୩୦ରୁ ଊର୍ଧ୍ବ ଓଡ଼ିଆ ସିନେମାରେ ଅଭିନୟ କରି ପ୍ରାୟ ଦୁଇ ଦଶକରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। ଓଡ଼ିଆ ବ୍ୟତୀତ ସେ କେତୋଟି ବଙ୍ଗୀୟ ସିନେମା ମଧ୍ୟ କରିଛନ୍ତି। ‘ପ୍ରେମ ସବୁଠୁ ବଳବାନ’ ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ତାଙ୍କ ଉଲ୍ଲେଖନୀୟ ସିନେମାଗୁଡ଼ିକ ମଧ୍ୟରେ ‘ବାଜି’, ‘ତତେ ମୋ ରାଣ’, ‘ଏ ମନ ମାନେନା’, ‘ନେଇ ଯାରେ ମେଘ ମୋତେ’, ‘ସୁନା ଚଢ଼େଇ ମୋ ରୁପା ଚଢ଼େଇ’, ‘ପ୍ରେମ ରୋଗୀ’, ‘ଶୁଭ ବିବାହ’, ‘ତୁ ଥିଲେ ମୋ ଡର କାହାକୁ’, ‘ଆମ ଭିତରେ କିଛି ଅଛି କି’, ‘କିଏ ସେ ଡାକୁଛି କୋଉଠି ମୋତେ’, ‘ଛାତିରେ ଲେଖିଛି ତୋରି ନାଁ’, ‘ବାଳୁଙ୍ଗା ଟୋକା’, ‘ସମ୍ଥିଙ୍ଗ୍ ସମ୍ଥିଙ୍ଗ୍’, ‘ମାଟ୍ରିକ୍ ଫେଲ୍’, ‘ପର୍ଶୁରାମ’, ‘ମୋ ଦୁନିଆ ତୁ ହିଁ ତୁ’, ‘ମୋ ହାତ ଧରି ଚାଲୁଥା’, ‘ମେଣ୍ଟାଲ୍’, ‘ଗପ ହେଲେ ବି ସତ’, ‘ମୋଟେ ଶୁଆ ଗୋଟେ ଶାରୀ, ‘ଛାତି ତଳେ ଡିଙ୍ଗ୍ ଡଙ୍ଗ୍’, ‘ରୋମିଓ ଜୁଲିଏଟ୍’ ଆଦି ରହିଛି। ନିକଟରେ କିଛି ବର୍ଷ ମଧ୍ୟରେ ସେ ‘ନିମ୍କୀ’, ‘କୁଇନ୍’ ଓ ‘ବିଜୟିନୀ’ ପରି ନାରୀ କୈନ୍ଦ୍ରିକ ସିନେମାରେ ନଜର ଆସିଛନ୍ତି। ଏବେ ପ୍ରେକ୍ଷାଳୟରେ ଦେଖିବାକୁ ମିଳୁଛି ତାଙ୍କ ସିନେମା ‘ବସ୍’। ଏଥର ଓଡ଼ିଉଡ୍ର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶନୀଙ୍କ ସହ ଅଳ୍ପଆଳାପ।
୧. ନିକଟରେ ରିଲିଜ୍ ହୋଇଛି ‘ବସ୍’। ଆପଣ ଚାହିଁଥିଲେ ଏଥିରେ ଓଲିଉଡ୍ର କେଉଁ ବି ବଡ଼ କଳାକାରଙ୍କୁ ନେଇପାରିଥାନ୍ତେ। ମାତ୍ର ଜଣେ ନବାଗତଙ୍କୁ କାହିଁକି ସୁଯୋଗ ଦେଲେ?
ପ୍ରଥମେ କହିବି କଳାକାର ସବୁବେଳେ କଳାକାର। ସେଥିରେ ଛୋଟ, ବଡ଼ର ପ୍ରଶ୍ନ ନାହିଁ। ଦ୍ବିତୀୟରେ ଜଣେ ନବାଗତ ସୁଯୋଗ ପାଇଲେ ହିଁ ସେ ଆଗାମୀ ଦିନରେ ନିଜକୁ ପ୍ରମାଣିତ କରିପାରିବେ। ପ୍ରତିଭାର ବିକାଶ ହେବ।
୨. କିଛି ବର୍ଷ ହେବେ ଆପଣ ଅଧିକାଂଶ ନାରୀ କୈନ୍ଦ୍ରିକ ସିନେମା କରୁଛନ୍ତି। ଏହା ଏକ ସଂଯୋଗ ନା ଆପଣ ଏଭଳି ସିନେମାରେ ହିଁ ଅଧିକ ରୁଚି ରଖୁଛନ୍ତି?
ଘରେ, ସମାଜରେ, ରାଜ୍ୟରେ ଓ ଦେଶରେ ନାରୀର ଭୂମିକା ସର୍ବଦା ଶ୍ରେଷ୍ଠ ରହିଆସିଛି। ନାରୀରଦକ୍ଷତା, ପ୍ରତିଭା, ସହନଶୀଳତା ଓ ଶକ୍ତିକୁ ଓଡ଼ିଆ ଚଳଚ୍ଚିତ୍ର ମାଧ୍ୟମରେ ପରିବେଷଣ କରି ଅଧିକରୁ ଅଧିକ ମହିଳାଙ୍କୁ ସଶକ୍ତ କରିବା ଓ ପ୍ରେରଣା ଦେବା ମୋର ଲକ୍ଷ। ସବୁବେଳେ ଚେଷ୍ଟା କରିଛି ମୋ କାହାଣୀ ଓ ମୋ ଚଳଚ୍ଚିତ୍ର ସମସ୍ତଙ୍କ ପାଇଁ ଶିକ୍ଷଣୀୟ ହେବା ସହ ପ୍ରେରଣା ଦେଉ।
୩. ଆପଣ ଜଣେ ସମାଜସେବୀ। ରାଜନୀତିକୁ ଆପଣ ସମାଜସେବାର ମାଧ୍ୟମ ଭାବନ୍ତି କି? ସୁଯୋଗ ମିଳିଲେ ରାଜନୀତି କରିବେ?
ମୁଁ କେବଳ ଏତିିକି ବୁଝିଛି ଯେ ‘ମାନବ ସେବା ହିଁ ମାଧବ ସେବା’। ରାଜନୀତିକୁ ନେଇ ସୁଯୋଗ ଆସିଲେ ସେ ବିଷୟରେ ମୁଁ ସେତେବେଳେ ଚିନ୍ତା କରିବି।
୪. ବର୍ଷା ପ୍ରିୟଦର୍ଶନୀ ଯଦି ଅଭିନେତ୍ରୀ ହୋଇନଥାନ୍ତେ ତ କ’ଣ ହୋଇଥାନ୍ତେ?
ଭଗବାନ ମୋ ଭାଗ୍ୟରେ ଯାହା ଲେଖିଥାନ୍ତେ।
୫. ନିଜ ଜୀବନରେ କରିଥିବା କେଉଁ କଥାକୁ ନେଇ ଆପଣ ଅନୁତାପ କରନ୍ତି?
ବିଶ୍ବାସ
୬. ନିଜ ମତ ବ୍ୟକ୍ତ କରିବାକୁ ସୋସିଆଲ୍ ମିଡିଆ ଏକ ପ୍ରମୁଖ ଜରିଆ ବୋଲି ଆପଣ ଭାବନ୍ତି କି?
ନା
୭. ଆପଣଙ୍କ ଜୀବନରେ ଅନେକ କିଛି ଘଟିଥିଲେ ବି ଆମେ କେବେ ବର୍ଷାଙ୍କୁ ପ୍ରତିକ୍ରିୟାଶୀଳ ହେବାର ଦେଖିନୁ। ପ୍ରଶଂସକଙ୍କ ସହ ଆପଣଙ୍କ ଶାନ୍ତ ରହିବାର ରହସ୍ୟ ବାଣ୍ଟିବେ କି?
ଅବାନ୍ତର, ସଂପୂର୍ଣ୍ଣ ମିଥ୍ୟା, ଭିତ୍ତିହୀନ, ମୂଲ୍ୟହୀନ, ଅମୂଳକ କଥାରେ ପ୍ରତିକ୍ରିୟାଶୀଳ ହେବାର କୌଣସି ଆବଶ୍ୟକତା ନଥାଏ। ମୋ ବାପା, ମାଆ ଓ ଦୁଇ ବଡ଼ ଭଉଣୀ ସବୁବେଳେ ମୋତେ ସହନଶୀଳତା ଓ ମାନବିକତାର ସଂସ୍କାର ଦେଇଛନ୍ତି। ମୋ ପରିବାରର ଆଶୀର୍ବାଦ ଓ ପ୍ରେରଣା ହିଁ ମୋର ଶକ୍ତି ଓ ମୋ ଆତ୍ମବିଶ୍ବାସ।