ଧାରାବାହିକରେ ନିଭାଉଥିବା ଦୁଇଟି ଚରିତ୍ର ଭିତରୁ କେଉଁଟି ଅଧିକ ସନ୍ତୁଷ୍ଟି ଦିଏ? ଭଲ ବ୍ୟାନ୍‌ରରୁ ଅଫର୍‌ ମ‌ିଳିଲେ ‘ଦୁର୍ଗା’ ଛାଡ଼ିବେ?

ସାକ୍ଷାତ୍‌କାର/ବନ୍ଦନା ମିଶ୍ର

ଭୁବନେଶ୍ବର: ଶିଶୁ କଳାକାରରୁ ଅଭିନୟ ଅ‌ାରମ୍ଭ। ମାଆ ଜଣେ ଅଭିନେତ୍ରୀ, ପରେ ପରେ ମାଆଙ୍କ ପଥ ଅନୁସରଣ କରି ଓଡ଼ିଆ ଟେଲି ଜଗତର ସେ ପାଲଟନ୍ତି ଜଣେ ଲୋକପ୍ରିୟ ଚେହେରା। ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଚର୍ଚ୍ଚିତ ଧାରାବାହିକ ‘ଦୁର୍ଗା’ରେ ମୁଖ୍ୟନାୟିକା ସାଜି ଓଡ଼ିଶାର ଘରେ ଘରେ ଲୋକଙ୍କ ପ୍ରିୟ ପାଲଟିଥିବା ନାୟିକା ଅର୍ପିତା କର ତାଙ୍କର ଅଭିନୟର କୁହୁକପଣରେ ଦଶର୍କଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇପାରିଛନ୍ତି। ସ୍ବାମୀ ଜଣେ ଜିମ୍‌ ମାଲିକ। ନୂଆ କରି ମାଆ ହୋଇଛନ୍ତି ଏହି ନାୟିକା। ଅଭିନୟକୁ ନିଜର ସର୍ବସ୍ବ ଭାବୁଥିବା ଅର୍ପିତା ଜଣେ ଉତ୍ତମ ପତ୍ନୀ, ଉତ୍ତମ ମାଆ ଏଥିରେ ଆଦୌ ସନ୍ଦେହ ନାହିଁ। ଏକ କିଛି ମାସ ତଳେ ମାଆ ବନିଥିବା ଅର୍ପିତା ମାତ୍ର ୨୧ ଦିନର ମାତୃତ୍ବ ଛୁଟି ନେଇ ପୁଣି ଥରେ ପରଦାକୁ ଫେରିଥିଲେ ଦର୍ଶକମାନଙ୍କ ମନୋରଞ୍ଜନ କରାଇବା ପାଇଁ। ଏ ସପ୍ତାହରେ ତାଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର।

୧. ପ୍ରଶ୍ନ: ଲୋକପ୍ରିୟ ଧାରାବାହିକ ‘ଦୁର୍ଗା’ରେ ଆପଣ ଏକାଥରକେ ଦୁଇଟି ଚରିତ୍ର ନିଭାଉଛନ୍ତି। କେଉଁ ଚରିତ୍ରଟି ଆପଣଙ୍କୁ ବେଶି ସନ୍ତୁଷ୍ଟି ଦିଏ, ଦୁର୍ଗା ନା ମୋହିନୀ?

ଉତ୍ତର: କହିବାକୁ ଗଲେ ଦୁଇଟା ଯାକ ହିଁ ମୋତେ ସନ୍ତୁଷ୍ଟି ପ୍ରଦାନ କରେ। ଦୁଇଟା ଯାକ ଚରିତ୍ରରେ ଭିନ୍ନ ଅନୁଭୂତି। କିନ୍ତୁ ଦୁର୍ଗା ଭୂମିକା ନିଭାଇବାକୁ ମୋତେ ବେଶି ଖୁସି ଲାଗେ।

୨. ପ୍ରଶ୍ନ: ଦୁର୍ଗା ଆଉ ମୋହିନୀ ଦୁଇଟି ଯାକ ଚରିତ୍ର ଦର୍ଶକଙ୍କର ଭର୍‌ପୂର ମନୋରଞ୍ଜନ କରାଉଛି। ତେବେ ଅର୍ପିତା ଏହି ଦୁଇ  ଚରିତ୍ରଙ୍କ ଭିତରୁ କେଉଁଟି ପାଇଁ ବେଶି ପାରିଶ୍ରମିକ ଦାବି କରନ୍ତି?

ଉତ୍ତର: ମୁଁ ସେପରି କିଛି ଦାବି କରେନି। ଯାହା ଦବା କଥା ପ୍ରଯୋଜକ ଦିଅନ୍ତି ଆଉ ଆମେ ଚୁପ୍‌ଚାପ୍‌ ନେଇଯାଉ। ଆମମାନଙ୍କୁ ଦରମା ଭାବେ ଟଙ୍କା ଦିଆହୁଏ, ସେଥିପାଇଁ ଦାବି କରିବାର ପରିସ୍ଥିତି ନାହିଁ।

୩. ପ୍ରଶ୍ନ: ଛୋଟ ପରଦାରେ ଘରେ ଘରେ ପରିଚିତା ପାଲଟିଥିବା ଅର୍ପିତା କେବେ ବଡ଼ ପରଦାରେ ଆସିବାକୁ ଚାହିଁନାହାନ୍ତି?

ଉତ୍ତର: ହଁ, ଚାହିଁଛି। ଯେହେତୁ ଏବେ ସବୁ ଯାକ ସମୟ ଛୋଟ ପରଦାରେ ଦେବାକୁ ପଡୁଛି ତେଣୁ ଏଇଟା ସରିବା ପରେ ହିଁ ବଡ଼ ପରଦା କଥା ଚିନ୍ତା କରିବି।

୪. ପ୍ରଶ୍ନ: ଆମେ ଜାଣିଛୁ ଯେ ଅର୍ପିତାଙ୍କର ପ୍ରେମ ବିବାହ। ତେବେ, ଜଣେ ଅଭିନେତ୍ରୀ ଆଉ ଜଣେ ଜିମ୍‌ ମାଲିକଙ୍କ ପ୍ରେମରେ କିପରି ପଡ଼ି‌ଲେ? ଆପଣଙ୍କ ପ୍ରେମ କାହାଣୀ ଆମ ସହ ବାଣ୍ଟିବାକୁ ଚାହିଁବେ କି?

ଉତ୍ତର: ସିଏ ପୂବର୍ରୁ ଏକ ଘରୋଇ ଚ୍ୟାନେଲ୍‌‌‌ରେ ଗୋଟେ ସିରିୟଲ୍‌ରେ ମୋ ସହ ଅଭିନୟ କରୁଥିଲେ। ସେଠି ଆମର ବନ୍ଧୁତ୍ବ ହୋଇଥିଲା। ଧୀରେ ଧୀରେ ବନ୍ଧୁତ୍ବଟା ପ୍ରେମକୁ ବଦଳିଲା।

୫.ପ୍ରଶ୍ନ: ଏଇ କିଛି ମାସ ମଧ୍ୟରେ ଆପଣ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି, ସେଥିପାଇଁ ଆପଣଙ୍କୁ ଅଭିନନ୍ଦନ। ସାଧାରଣତଃ ନାୟିକାମାନେ ମାଆ ହବାର ନିଷ୍ପତ୍ତି ବିଳମ୍ବରେ ନେଇଥାନ୍ତି, ଆପଣ କିପରି ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିପାରିଲେ?

ଉତ୍ତର: ମୁଁ ସଂପୂର୍ଣ୍ଣ ଯୋଜନା କରି ହିଁ ଏପରି ଏକ ନିଷ୍ପତ୍ତି ନେଇଛି। ଆଜିକାଲି ଅଧୁନିକ ଚିନ୍ତାଧାରାରେ ଏପରି ଏକ ନିଷ୍ପତ୍ତି ନେବାକୁ ଲୋକେ ପଛଘୁଞ୍ଚା ଦେଉଛନ୍ତି, ମୋତେ କିନ୍ତୁ ସେପରି କିଛି ଅସୁବିଧା ହୋଇନାହିଁ। ଘରେ ଯେଉଁମାନେ ରହୁୁଛନ୍ତି ସେମାନେ ୨୪ ଘଣ୍ଟା କାମ କରି ଯଦି ମାଆ ହବାର ନିଷ୍ପତ୍ତି ନେଇପାରୁଛନ୍ତି ମୁଁ ବାହାରେ ୧୨ ଘଣ୍ଟା କାମ କରି କାହିଁକି ନେଇପାରିବି ନାହିଁ?

୬. ପ୍ରଶ୍ନ: ‘ଦୁର୍ଗା’ ଆପଣଙ୍କୁ ବହୁ ଲୋକପ୍ରିୟତା ଦେଇଛି। ଏହି ଧାରାବାହିକରେ ଆପଣ ଦୀର୍ଘ ବର୍ଷ ହେବ ନଜର ଆସିଛନ୍ତି। ଯଦି ଏକ ବଡ଼ ବ୍ୟାନର୍‌ରୁ ଅଫର୍‌ ଆସେ ତେବେ ‘ଦୁର୍ଗା’ ଛାଡ଼ିବେ?

ଉତ୍ତର: ନା, କଦାପି ନୁହେଁ।

୭. ପ୍ରଶ୍ନ: ଟେଲି ଦୁନିଆରେ ଅର୍ପିତାଙ୍କ ପ୍ରତିଦ୍ବନ୍ଦ୍ବୀ କିଏ? କାହାର ଅଭିନୟ ଦେଖି ଆପଣ କେବେ ଅସୁରକ୍ଷିତ ଅନୁଭବ କରିଛନ୍ତି କି?

ଉତ୍ତର: ହା ହା, ମୁଁ ନିଜକୁ ହିଁ ନିଜର ପ୍ରତିଦ୍ବନ୍ଦ୍ବୀ ଭାବେ। ନାଇଁ ଅସୁରକ୍ଷିତ କେବେ ବି ଅନୁଭବ ହୋଇନି। ଆମେ ସବୁ ଏକା ଭଳି କାମ କରୁଛୁ ତେଣୁ ସେ ନେଇ ମନରେ କୌଣସି ଭୟ ନାହିଁ।

(ଆପଣଙ୍କ ମୂଲ୍ୟବାନ ସମୟ ଦେଇ ଆମ ସହ ସାମିଲ୍‌ ହୋଇଥିବାରୁ ଆପଣଙ୍କୁ ସମ୍ବାଦ.ଇନ୍‌ ତରଫରୁ ଶୁଭେଚ୍ଛା ଓ ଧନ୍ୟବାଦ)

ସମ୍ବନ୍ଧିତ ଖବର