ଭୁବନେଶ୍ୱର: ଏକାଧାରାରେ ଜଣେ ଅଧ୍ୟାପକ, ଶିଶୁ ସାହିତ୍ୟିକ, ଗୀତିକାର, ସଂଳାପକାର ଓ ଚିତ୍ରନାଟ୍ୟକାର । କଳା-ସାହିତ୍ୟର ବିଭିନ୍ନ ବିଭବରେ ନିଜର ଚମତ୍କାରିତା ପ୍ରତିପାଦନ କରିବାରେ ଡକ୍ଟର ରଜନୀ ରଞ୍ଜନ ଜଣେ ଚିହ୍ନା ମୁହଁ। ନିଜସ୍ବ ପରିସରରେ ସେ ପରିଚୟର ଅପେକ୍ଷା ରଖନ୍ତି ନାହିଁ।  ତାଙ୍କ ଲିଖିତ ‘ସବୁ ପାପର ପ୍ରାୟଶ୍ଚିତ ଥାଏ ସବୁ ଭୁଲ୍‌ର କ୍ଷମା...’ ଗୀତଟି ତାଙ୍କୁ ଓଡ଼ିଶାର ଗଳିକନ୍ଦିରେ ପରିଚିତ କରାଇଛି। ସଫଳତାରେ ଖୁସି ହେଉ ନଥିବା ଓ ବିଫଳତାରେ ଭାଙ୍ଗି ପଡୁ ନଥିବା ଏହି ସ୍ରଷ୍ଟା ରାତାରାତି ଷ୍ଟାର୍‌ ହେବାରେ ବିଶ୍ବାସ କରନ୍ତି ନାହିଁ।  ଏଯାବତ୍‌ ପ୍ରାୟ ୬୦ଟି ଚଳଚ୍ଚିତ୍ରରେ ସେ ସଂଳାପ ଓ ଚିତ୍ରନାଟ୍ୟ ରଚନା କରି ସାରିଛନ୍ତି ଡ. ରଜନୀ ରଂଜନ। ୧୫ରୁ ଊର୍ଧ୍ୱ ଚଳଚ୍ଚିତ୍ରରେ ସେ ଗୀତ ଲେଖିଛନ୍ତି। ଅଳ୍ପ ସଂଖ୍ୟକ ଗୀତ ଲେଖିବାରେ ବିଶ୍ବାସ କରୁଥିବା ରଜନୀ ରଞ୍ଜନ ଗୀତ ଲୋକାଦୃତ ହେବ ବୋଲି ଦୃଢ଼ ବିଶ୍ୱାସ ରଖି  ଏପର୍ଯ୍ୟନ୍ତ ଅନେକ ନହେଲେ ବି କେତୋଟି ବଛା ବଛା ଗୀତ ଦେବାରେ ସମର୍ଥ ହୋଇଛନ୍ତି। ତାଙ୍କ ପ୍ରସିଦ୍ଧ ଗୀତଗୁଡ଼ିକ ମଧ୍ୟରୁ ‘ଜିଇଁବାର ମାନେ ଯଦି ଜୀବନ ହୁଏ...’, ‘ମମତା ନଈରେ ସୁନା ବୋଇତ...’ ଅନ୍ୟତମ। ଏପର୍ଯ୍ୟନ୍ତ ତାଙ୍କର ୧୪ ଖଣ୍ଡ ଶିଶୁ ସାହିତ୍ୟ ପୁସ୍ତକ ପ୍ରକାଶ ପାଇସାରିଛି।  ନିକଟରେ ‘ପ୍ରଜାପତିର ଡେଣା’ ଶୀର୍ଷକରେ ଏକ ଚିତ୍ରନାଟ୍ୟ ପୁସ୍ତକ ପ୍ରକାଶ ପାଇଛି।  ଏହା ବ୍ୟତୀତ ‘ନୀଳ ସଞ୍ଜର କଇଁ’ ଶୀର୍ଷକରେ ତାଙ୍କର ଏକ କବିତା ପୁସ୍ତକ ବି ପ୍ରକାଶ ପାଇଛି। ଏ ସପ୍ତାହରେ ଏପରି ଜଣେ ପ୍ରତିଭାବାନ ବହୁମୁଖୀ ସ୍ରଷ୍ଟାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତ୍‌କାର।

Advertisment

୧. ପ୍ରଶ୍ନ: ଆପଣଙ୍କ ଲିଖିତ ଗୀତ ‘ସବୁ ପାପର ପ୍ରାୟଶ୍ଚିତ ଥାଏ ସବୁ ଭୁଲ୍‌ର କ୍ଷମା...’ ଏକ ସମୟରେ ବହୁଚର୍ଚ୍ଚିତ ହୋଇଥିଲା। ତେବେ, ସେହି ଗୀତ କେଉଁ ପରିସ୍ଥିତିରେ ଓ କାହାର ଚିତ୍ର ଭାବନରେ ଆଣି ଲେଖି ପାରିଥିଲେ?
ଉତ୍ତର: ମୋର ଅବଚେତନ ମନରେ ପ୍ରେମ ଉପରେ ଥିବା ଦୀର୍ଘ ଅନୁଭୂତି ଏହି ଗୀତଟିକୁ ଲେଖାଇ ପାରିଥିଲା। ସେପରି ନିର୍ଦ୍ଦିଷ୍ଟ କେହି ନାହାନ୍ତି।
୨. ପ୍ରଶ୍ନ: ଆପଣ ପେସାରେ ଜଣେ ଅଧ୍ୟାପକ, ନିଶା ସିନେମାରେ ଗୀତ ଓ ସଂଳାପ ଲେଖିବା। ଆପଣଙ୍କ ପେସା କେବେ ନିଶାକୁ ପ୍ରଭାବିତ କରେନି?
ଉତ୍ତର: ନାଇଁ, ନିଶା ଓ ପେସାକୁ ନେଇ ମୁଁ କେବେ ସାଲିସ୍‌ କରେନା। କଲେଜରେ ଥିବା ବେଳେ ମୁଁ ମୋ ପିଲାଙ୍କ ସହ ଓ ବହି ସହ ଥାଏ। କଲେଜରୁ ଫେରିବା ପରେ ମୁଁ ମୋ ସ୍ୱପ୍ନ ସହ ଥାଏ। ପେସାରେ ଥିଲା ବେଳେ ନିଶା ମନେ ପଡ଼େନି ଓ ନିଶାରେ ଥିବା ବେଳେ ପେସାକୁ ମୁଁ ଭୁଲିଯାଏ।
୩. ପ୍ରଶ୍ନ: ବହୁ ପ୍ରେମ ଗୀତ ଲେଖିଥିବା ଏହି ଗୀତିକାର ବାସ୍ତବ ଜୀବନରେ କେବେ କାହା ପ୍ରେମରେ ପଡ଼ିଛନ୍ତି କି?
ଉତ୍ତର: ବହୁତ ଥର ପଡ଼ିଛି, ହେଲେ ତାହା ଗୋପନ ରହୁ। କିିଛି କଥା ଗୋପନ ରହିଲେ ତାହାର ମାଧୁର୍ଯ୍ୟ ବଢ଼େ। ପ୍ରେମ ହୃଦୟର କଥା। ଯଦିଓ ମୁଁ ବହୁବାର ପ୍ରେମରେ ପଡ଼ିଛି ମାତ୍ର ତାହାକୁ ଗୋପନ ରଖିବାକୁ ଚାହୁଁଛି।
୪. ପ୍ରଶ୍ନ: ଆପଣଙ୍କ ଜୀବନରେ ଏମିତି କିଛି ଅନୁଭୂତି ଅଛି କି, ଯାହା ଆପଣ ଜୀବନ ଯାକ ଭୁଲିପାରିବେ ନାହିଁ?
ଉତ୍ତର: ହଁ, ସେମିତି ଏକ ଅନୁଭୂତି ଅଛି। ମୁଁ ମୋ ବୋଉକୁ ହରାଇବା ପରେ ‘ବୋଉ’ ଫିଲ୍ମର ‘ଟାଇଟଲ୍‌ ସଙ୍ଗ୍‌’ ମୁଁ ୪ ଦିନ ଯାଏ ଲେଖି ପାରୁନଥିଲି। ଦିନେ ରାତିରେ ବୋଉ ଆସି ସ୍ୱପ୍ନରେ ମୋ ମୁଣ୍ଡ ଆଉଁସି ଦେବା ପରେ ମୁଁ ସେ ଗୀତଟି ଲେଖିଥିଲି ଓ ତାହା ବହୁ ଲୋକାଦୃତ ହୋଇଥିଲା। ଏହା ମୋ ଜୀବନଯାକ ମନେ ରହିବ।

publive-image
୫.ପ୍ରଶ୍ନ: ପ୍ରଥମେ ଆପଣ ଗୀତ ଲେଖୁଥିଲେ। ଧୀରେ ଧୀରେ ଚଳଚ୍ଚିତ୍ର ପାଇଁ ସଂଳାପ ଲେଖିଲେ। ପଦ୍ୟରୁ ଅଚାନକ ଗଦ୍ୟ ଆଡ଼େ କେମିତି ମୁହାଁଇଲେ?
ଉତ୍ତର: ଗୀତ ହେଉଛି ମୋ ପ୍ରେମିକା(ଆକାଶ) ଓ ସଂଳାପ ହେଉଛି ମୋ ପତ୍ନୀ(ମାଟି)। ଗୀତ ଓ ସଂଳାପ ଉଭୟକୁ ରଚନା କରି ମୁଁ ବାସ୍ତବତା ଓ ସ୍ୱପ୍ନ ଉୟଭକୁ ଜାବୁଡ଼ି ଧରିବାକୁ ଚେଷ୍ଟା କରେ। ଉଭୟ ହେଉଛି ଶବ୍ଦର ଖେଳ। ଶବ୍ଦକୁ ଭଲପାଉଥିବା ମଣିଷଟି ମୁଁ।
୬.ପ୍ରଶ୍ନ: ଅଧିକାଂଶ ଓଡ଼ିଆ ଚଳଚ୍ଚିତ୍ର ‘ତେଲ୍‌ଗୁ’, ‘ତାମିଲ୍‌’ ଓ ‘ହିନ୍ଦୀ’ର କପି। ଆପଣ କେଉଁ କପି ଚଳଚ୍ଚିତ୍ରରେ କାମ କଲା ବେଳେ କେମିତି ଅନୁଭବ ହୁଏ?
ଉତ୍ତର: ନିଜ ହିସାବରେ ଲେଖିବା ଖୁବ୍‌ ସହଜ। କାରଣ ନିଜ ଇଚ୍ଛା ମୁତାବକ ଆମେ କାହାଣୀ ଓ ଚରିତ୍ରରେ ମୋଡ଼ ଆଣିଥାଉ। କପି ଚଳଚ୍ଚିତ୍ରରେ କାମ କରିବା ଭାରି କଷ୍ଟ। କାହିଁକି ନା, ଅନେକ ସମୟରେ ସେମାନଙ୍କ ସଂସ୍କୃତି ଓ ଆମ ସଂସ୍କୃତି ମେଳ ଖାଏ ନାହିଁ। ସେମାନଙ୍କ ସଂସ୍କୃତିକୁ ଠିକ ଭାବେ ରୂପାୟନ କରିହୁଏ ନାହିଁ। ସେମାନଙ୍କ ଅନୁସାରେ ଲେଖିବା କଷ୍ଟ ହୋଇପଡ଼େ। ଆମକୁ କୁହାଯାଏ ନିର୍ଦ୍ଦିଷ୍ଟ ଗୋଟେ ପ୍ରକାରର ଲେଖା ଲେଖିବା ପାଇଁ, ସେଠାରେ ବହୁତଗୁଡ଼ିଏ ସମସ୍ୟା ଉପୁଜେ।
୭.ପ୍ରଶ୍ନ: ଯଦି ଆପଣ ନାରୀ ହୋଇଥାନ୍ତେ ତେବେ କେଉଁ ବୃତ୍ତିକୁ ଆପଣେଇ ଥାଆନ୍ତେ?
ଉତ୍ତର: ଅଧ୍ୟାପନା। କାହିଁକି ନା, ନାରୀମାନେ ହିଁ ପ୍ରକୃତରେ ଜଣେ ଜଣେ ଭଲ ଶିକ୍ଷକ। ମୋ ଝିଅ ବି ଜଣେ ଅଧ୍ୟାପିକା। ତେବେ, ଚଳଚ୍ଚିତ୍ର ପାଇଁ ଲେଖାଲେଖି କରିବାର ବି କୌଣସି ଅସୁବିଧା ହୋଇନଥାନ୍ତା ଯଦି ମୁଁ ନାରୀ ହୋଇଥାନ୍ତି।

(ଆପଣଙ୍କ ମୂଲ୍ୟବାନ ସମୟ ଦେଇ ଆମ ସହ ସାମିଲ୍‌ ହୋଇଥିବାରୁ ଆପଣଙ୍କୁ ‘ସମ୍ବାଦ.ଇନ୍‌’ ତରଫରୁ ଶୁଭେଚ୍ଛା ଓ ଧନ୍ୟବାଦ)