ଦେହରୁ ରକ୍ତ ବୋହିଲେ ମୋ ଫିଲ୍ମ ହିଟ୍‌ ହୁଏ ବୋଲି ମୁଁ ବିଶ୍ୱାସ କରେ : ଜ୍ୟୋତି

ଏକ ରିୟଲିଟି ସୋ’ରୁ ନିଜ କ୍ୟାରିୟର ଆରମ୍ଭ କରି ସମସ୍ତଙ୍କ ମନକୁୁ ମିଠା ମିଠା କରିବା ପରେ ଦିଲ୍‌ କା ରାଜା ବନିଥିଲେ ସେ । ଏବେ ତାଙ୍କ ପାଇଁ ସମସ୍ତେ ଲକି ଫିଲ କରିବା ସହ ଦର୍ଶକଙ୍କ ମନକୁ ଓଲେ ଓଲେ କରିବା ପାଇଁ ସଜବାଜ ହେଉଛନ୍ତି ସେ । ଇଞ୍ଜିନିୟରିଂ ପାଠ ଛାଡ଼ି ଅଭିନୟ କରିବା ପାଇଁ ସେ ନିଷ୍ପତ୍ତି କ’ଣ ପାଇଁ ନେଲେ ଏବଂ ଏହି ଯାତ୍ରା ତାଙ୍କର କିପରି ଥିଲା, ସେ ବିଷୟରେ ଆପଣଙ୍କୁ ଜଣାଇବା ପାଇଁ ସମ୍ବାଦ ଡ଼ଟ୍‌ ଇନ୍‌ ତରଫରୁ ଓଲିଉଡ୍‌ ନାୟକ ଜ୍ୟୋତିଙ୍କୁ ସାକ୍ଷାତ କରିଥିଲେ ମୋନାଲିସା ପରିଡ଼ା ଏବଂ ସୁମନ ମହାନ୍ତି ।

ପ୍ରଶ୍ନ : ‘ହାପି ଲକି’ ଫିଲ୍ମ ପରେ କେତେ ଲକି ଫିଲ୍‌ କରୁଛନ୍ତି ଆପଣ?
ଉତ୍ତର : କହିବାକୁ ଗଲେ ମୁଁ ଛୋଟ ବେଳୁ ହିଁ ଲକି । ତେବେ ତରଙ୍ଗ ସିନେ ପ୍ରଡକ୍ସନ ଭଳି ପ୍ରଡକ୍ସନ ହାଉସ୍‌ରେ କାମ କରିବା ବହୁତ ବଡ଼ କଥା । ସେମାନେ ମୋତେ ନେଇ ଫିଲ୍ମ କଲେ ସେଥିପାଇଁ ମୁଁ ବହୁତ ହାପି ଏବଂ ଲକି ମଧ୍ୟ । ଦର୍ଶକ ମୋର ଅଧିକାଂଶ ଫିଲ୍ମକୁ ପସନ୍ଦ କରିବା ସହ ଖୁବ୍‌ ଭଲ ପାଇବା ଦେଇଛନ୍ତି ସେଥିପାଇଁ ମୁଁ ନିଜକୁ ବହୁତ ଲକି ଫିଲ୍‌ କରୁଛି ।

ପ୍ରଶ୍ନ : ଏକ ରିୟଲିିଟି ସୋ’ ମାଧ୍ୟମରେ ଆପଣ ଓଲିଉଡ଼କୁ ପ୍ରବେଶ କରିଥିଲେ । ଏହି ମାଧ୍ୟମ ଆପଣ କ’ଣ ପାଇଁ ବାଛିଥିଲେ?
ଉତ୍ତର : ଏହା ପଛରେ ଏକ ମଜାଦାର କାହାଣୀ ରହିଛି । ଇଞ୍ଜିନିୟରିଂ ପାଠ ସରିବା ପରେ ଏ ଲାଇନ୍‌କୁ ମୁଁ କେମିତି ପ୍ରବେଶ କରିବି ସେ ବିଷୟରେ ଭାବୁଥିଲି । କେହି ଚିହ୍ନା ଜଣା ନଥିବା ସହ ଗଡ଼ଫାଦର ମଧ୍ୟ ନ ଥିଲେ । ଦିନେ ମୁଁ ମୋ ସ୍କୁଟିରେ ରୁଚିକା ମାର୍କେଟ୍‌ ଆଡ଼କୁ ଯାଉଥିବା ବେଳେ ଜଣେ ଲୋକ ମୋ ପଛରେ ଦୌଡ଼ିବା ସହ ମୋତେ ଡ଼ାକିଥିଲେ । ସେ ଏହା ପରେ ସେ ମୋତେ ମିଠା ମିଠା ଯୋଡ଼ି ରିଆଲିଟି ସୋ’ର ପାମ୍ପଲେଟ୍‌ ଦେଇଥିଲେ । ଯଦି ତୁମେ ଚାହଁ ଭାଗ ନେଇପାରିବ ବୋଲି ମୋତେ କହିଥିଲେ । ଏହା ପରେ ମୁଁ ଏ ବିଷୟରେ ବାପାଙ୍କୁ ଜଣାଥିଲି । ସେ ରାଜି ହେବା ପରେ ମୁଁ ସେ ସୋ’ରେ ଭାଗ ନେଇଥିଲି ଏବଂ ଜିତିଥିଲି ।

ପ୍ରଶ୍ନ : ଏମିତି କିଛି ଚରିତ୍ର ରହିଛି, ଯେଉଁଥିରେ ଅଭିନୟ କରିବାର ସ୍ୱପ୍ନ ଆପଣ ଦେଖନ୍ତି ?
ଉତ୍ତର : ସମସ୍ତଙ୍କର ଥାଏ ମୋର ବି ରହିଛି । ବଲିଉଡ଼ ଫିଲ୍ମ ଆର୍‌ ରାଜକୁମାରରେ ସାହିଦ୍‌ କପୁରଙ୍କ ଚରିତ୍ର ମୋତେ ବହୁତ ପସନ୍ଦ ଆସିଥିଲା । ସୁଯୋଗ ମିଳିଲେ ମୁଁ ସେଭଳି ଚରିତ୍ର କରିବା ପାଇଁ ଚାହଁବି ।
ପ୍ରଶ୍ନ : ରିଲିଜ ହୋଇଥିବା ୬ଟି ଫିଲ୍ମର ସୁଟିଂ ସମୟର କିଛି ସ୍ମରଣୀୟ ଅନୁଭୁତି ରହିଛି ?
ଉତ୍ତର : ଅନୁଭୁତି ତ ସବୁ ଫିଲ୍ମରେ ମୋର ଭଲ ଥିଲା । କିନ୍ତୁ ଫିଲ୍ମ ଦିଲ୍‌ କା ରାଜା, ତୁ ମୋ ହିରୋ ଏବଂ ହାପି ଲକି ମାଧ୍ୟମରେ ଦର୍ଶକେ ମୋତେ ଅଧିକ ଚିହ୍ନିଥିଲେ । ସବୁବେଳେ ମୋର ବିଶ୍ୱାସ ରହି ଆସିଛି କି ମୋ ଦେହରୁ ରକ୍ତ ବାହାରିଲେ ମୋ ଫିଲ୍ମ ହିଟ୍‌ ହୁଏ । ଏହି ୩ ଟି ଫିଲ୍ମରେ ତାହା ହୋଇଥିଲା ଏବଂ ଫିଲ୍ମ ହିଟ୍‌ ବି ହୋଇଥିଲା ।

ପ୍ରଶ୍ନ : ଆଗକୁ ହାତରେ କ’ଣ ନୂଆ ପ୍ରୋଜେକ୍ଟ ରହିଛି ?
ଉତ୍ତର : ଏପ୍ରିଲରେ ମୋର ଫିଲ୍ମ ଓଲେ ଓଲେ ଦିଲ ବୋଲେ ରିଲିଜ୍‌ ହେବାକୁ ଯାଉଛି । ଆଉ ଦୁଇଟି ଫିଲ୍ମ ବି ରହିଛି, ଯାହାର ନାମ ଏ ପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ ।

ସମ୍ବନ୍ଧିତ ଖବର