ଭୁବନେଶ୍ୱର: ଓଲିଉଡ୍ରୁ ନେଇ ବଲିଉଡ୍ ପର୍ଯ୍ୟନ୍ତ ନିଜ ଅଭିନୟର ଜଲଓ୍ଵା ଦେଖାଇ ଲୋକଙ୍କୁ ବାନ୍ଧି ରଖିବାରେ ମନୋଜ ମିଶ୍ର ବେଶ୍ ଜଣାଣୁଣା। ୨୦୦୪ ମସିହାରେ ‘ସୁନା ସଂଖାଳି’ ଚଳଚ୍ଚିତ୍ରରୁ ଅଭିନୟ ଯାତ୍ରା ଆରମ୍ଭ କରି ପରେ ପରେ ସେ ପ୍ରାୟ ୩୦ ଚଳଚ୍ଚିତ୍ରରେ ନଜର ଆସି ସାରିଛନ୍ତି। ମୁଖ୍ୟତଃ ଖଳନାୟକ ଭୂମିକାରେ ନଜର ଆସୁଥିବା ମନୋଜଙ୍କ ଉଲ୍ଳେଖନୀୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘ତୁମକୁ ପାରୁନି ତ ଭୁଲି’, ‘ତୁ ମୋ ଲଭ୍ ଷ୍ଟୋରି’, ‘କେବେ ତୁମେ ନାହିଁ କେବେ ମୁଁ ନାହିଁ’, ‘ଅଭୟ’, ‘ଚାମ୍ପିୟାନ’, ‘ଜୀଅନ୍ତା ଭୂତ’। ନେସ୍ନାଲ୍ ସ୍କୁଲ୍ ଅଫ୍ ଡ୍ରାମାରେ ଅଭିନୟ ପାଠ ପଢ଼ିଥିବା ମନୋଜ ଷ୍ଟାର୍ପ୍ଲସ୍ରେ ପ୍ରସାରିତ ‘ବେହେନେ’ ଧାରାବାହିକରେ ମୁଖ୍ୟ ଭୂମିକା ନିଭାଇବା ପରେ ଲୋକଙ୍କ ମନରେ ରାଜ୍ କରିବା ଆରମ୍ଭ କରି ଦେଇଥିଲେ। ‘ସୁନା ସଂଖାଳି’ ତାଙ୍କ ପ୍ରଥମ ଚଳଚ୍ଚିତ୍ର ହୋଇଥିଲେ ବି ସେ କହନ୍ତି ତାଙ୍କୁ ଲୋକଙ୍କ ସହ ପରିଚିତ କରାଇଥିଲା ଚକ୍ରଧର ସାହୁଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ତୁମକୁ ପାରୁନି ତ ଭୁଲି’। ଆଗକୁ ଆସୁଛି ତାଙ୍କର ବହୁ ବିବାଦୀୟ ଚଳଚ୍ଚିତ୍ର ‘ପାଟଣାଗଡ଼’। ଏ ସପ୍ତାହରେ ଏପରି ଜଣେ ଦକ୍ଷ କଳାକାରଙ୍କ ସହ ସ୍ୱତନ୍ତ୍ର ସାକ୍ଷାତ୍କାର।
୧. ପ୍ରଶ୍ନ: ପ୍ରଯୋଜକ ପ୍ରଦୀପ ଭୋଳଙ୍କ ଚଳଚ୍ଚିତ୍ର ‘ସୁନା ସଂଖାଳି’ ଜରିଆରେ ଆପଣ ପ୍ରଥମେ ଓଲିଉଡ୍ରେ ପାଦ ଦେଲେ। ସେ ସମୟରେ ତ ଆପଣ ମୁମ୍ବାଇରେ ରହୁଥିଲେ। ଯୋଗାଯୋଗ କିପରି ହୋଇଥିଲା?
ଉତ୍ତର: ସେ ମୋର ଥିଏଟର୍ ସମୟର ଚିହ୍ନା। ମୁଁ ଯେତେବେଳେ ସମ୍ବଲପୁରରେ ଡ୍ରାମା କରୁଥିଲି ସେ ସମୟରୁ ଆମେ ପରସ୍ପରଙ୍କୁ ଜାଣିଥିଲୁ। ମୁଁ ଯେତେବେଳେ ମୁମ୍ବାଇରେ ଷ୍ଟ୍ରଗଲ୍ କରୁଥିଲି ପ୍ରଦୀପ ଭୋଳଙ୍କର ସେତେବେଳେ ଏକ ଚଳଚ୍ଚିତ୍ର କରିବାର ହେଲା ସେ ମୋତେ ସେହି ସମୟରେ ଏକ ସୁଯୋଗ ଦେଇଥିଲେ।
୨. ପ୍ରଶ୍ନ: ଆପଣ ବଲିଉଡ୍ର ବିଧୁ ବିନୋଦ ଚୋପ୍ରା ଓ ମଧୁର ଭଣ୍ଡାରକରଙ୍କ ପରି ବଡ଼ ବଡ଼ ନିର୍ଦ୍ଦେଶକଙ୍କ ସହ କାମ କରିସାରିବା ପରେ ପୁଣି ଓଲିଉଡ୍ କାହିଁକି ଫେରିଲେ?
ଉତ୍ତର: ମୁଁ ଗୋଟେ ସିରିୟଲ୍ କରୁଥିଲି ‘ବେହେନେ’। ସେ ସିରିୟଲ୍ଟା ଖୁବ୍ ଲୋକପ୍ରିୟ ଥିଲା। ମୁଁ ସେଥିରେ ନାୟକ ଥିଲି। ସେହି ସିରିୟଲ୍ ପରେ ପରେ ମୋତେ ଓଲିଉଡ୍ରୁ ଅଫର୍ ମିଳିବା ଆରମ୍ଭ ହୋଇଗଲା। ତା’ପରେ ଓଡ଼ିଆ ସିନେମା କରିଚାଲିଲି।
୩. ପ୍ରଶ୍ନ: ‘ଜୀଅନ୍ତ ଭୂତ’ରେ ଆପଣ ନାୟକ ହୋଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ କିନ୍ତୁ ଚରିତ୍ର ଅଭିନୟ କରିଛନ୍ତି। କାହିଁକି? ଆଉ ନାୟକ କାହିଁକି ହେଲେନି?
ଉତ୍ତର: ସେତେବେଳକୁ ଭାରତୀୟ ସିନେମା ବଦଳି ନଥିଲା। ସେତେବେଳେ ଭାରତୀୟ ସିନେମାର ସିନାରିଓ ଥିଲା ଯଦି ତୁମେ ହିରୋ ହେବାକୁ ଚାହଁ ତ ତୁମେ ‘ଚକ୍ଲେଟି’ ଦିଶିବା ଦରକାର। ନାଚ ଜାଣିଥିବା ଦରକାର। ଏବେ ଯେମିତି ନଓ୍ଵାଜ, ଇର୍ଫାନ ଭାଇ ହିରୋ ହେଉଛନ୍ତି ସେତେବେଳେ ସେପରି ନ ଥିଲା। ଏଇ ପାଞ୍ଚ ବର୍ଷ ହେଲା ସିନେମା ଇଣ୍ଡଷ୍ଟ୍ରି ବଦଳିଛି। ସେ ସମୟରେ ହିରୋ ହେବା ପାଇଁ ଯାହା ସବୁ ଖୋଜା ଯାଉଥିଲା ସେ ସବୁ ଉପାଦାନ ମୋ ପାଖରେ ନ ଥିଲା।
/sambad/media/post_attachments/wp-content/uploads/2020/01/8055671536_00fd061245_b-300x199.jpg)
୪. ପ୍ରଶ୍ନ: ଆପଣଙ୍କ ବିବାହକୁ କେତେ ବର୍ଷ ହେଲାଣି। ପ୍ରେମ ବିବାହ ହୋଇଥିଲା ନା ବ୍ୟବସ୍ଥିତ?
ଉତ୍ତର: ନାଇଁ, ପ୍ରେମ ବିବାହ ନଥିଲା ମୋର। ମୋ ବିବାହକୁ ୧୫ ବର୍ଷ ହୋଇଗଲାଣି। ଆମେ ଅଲଗା ହେବାକୁ ପାଞ୍ଚ ବର୍ଷ ହୋଇଗଲାଣି। ମୋର ଝିଅଟିଏ ଅଛି। ସେ ତା’ ମାଆ ପାଖରେ ରହେ।
୫. ପ୍ରଶ୍ନ: ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କ ସହ ‘ତୁମକୁ ପାରୁନି ତ ଭୁଲି’, ‘କେବେ ତୁମେ ନାହଁ କେବେ ମୁଁ ନାହିଁ’ ଚଳଚ୍ଚିତ୍ରରେ କାମ କରିବା ପରେ ସେ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ମୀମାଂସା’ ପାଇଁ ଆପଣଙ୍କୁ ଅଫର୍ ଦେଇଥିଲେ। ଆପଣ କଲେ ନାହିଁ କାହିଁକି?
ଉତ୍ତର: ନା.. ମନା କରିବାର କିଛି କାରଣ ନ ଥିଲା। ସେ ସମୟରେ ମୁଁ ଆଉ ଏକ ଚଳଚ୍ଚିତ୍ର ପାଇଁ ସୁଟିଂ କରୁଥିଲି। ସମୟ ଏପଟ ସେପଟ କାରଣରୁ ମୁଁ କରିପାରିଲି ନାହିଁ। କେଉଁ ଚଳଚ୍ଚିତ୍ର ଯଦିଓ ମୁଁ ଠିକ୍ ଭାବେ ମନେପକାଇ ପାରୁନି ମାତ୍ର ସେହି କାରଣରୁ ମୁଁ ଚକ୍ରଧର ସାହୁଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ହାତଛଡ଼ା କରିଥିଲି।
୬. ପ୍ରଶ୍ନ: ନିକଟରେ ଚଳଚ୍ଚିତ୍ର ‘ଚାମ୍ପିୟାନ’ ପାଇଁ ବେଷ୍ଟ୍ ସପୋର୍ଟିଂ ଆକ୍ଟର ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ଶ୍ରେୟ କାହାକୁ ଦେବେ? ଅନୁଭୂତି କେମିତି ରହିଛି?
ଉତ୍ତର: ମୁଁ ଯେଉଁଥିରେ ପୁରସ୍କାର ପାଇଲି ସେହି ଚଳଚ୍ଚିତ୍ରକୁ ଯଦି ଦର୍ଶକ ବେଶି ଦେଖିଥାନ୍ତେ ମୁଁ ବେଶି ଖୁସି ହୋଇଥାନ୍ତି। ମାତ୍ର ଚଳଚ୍ଚିତ୍ରଟି ସେତେଟା ଲୋକପ୍ରିୟତା ପାଇପାରିଲା ନାହିଁ। ମୋତ ପୁରସ୍କାର ମିଳିଲା ମାନେ ମୁଁ ଖୁସି ତ ନିଶ୍ଚୟ। ମାତ୍ର ମୋତେ ନେଇ ସିନେମା ଇଣ୍ଡଷ୍ଟ୍ରି ନୁହେଁ, ସିନେମା ଇଣ୍ଡଷ୍ଟ୍ରିକୁ ନେଇକି ମୁଁ। ଇଣ୍ଡଷ୍ଟ୍ରି ଆଗକୁ ଗଲେ ହିଁ ମୁଁ ଆଗକୁ ଯିବି। ତେଣୁ ଚାହିଁବି ମୁଁ ପୁରସ୍କାର ପାଏ କି ନ ପାଏ ସିନେମା କିନ୍ତୁ ଚାଲୁ।
୭. ପ୍ରଶ୍ନ: ମନୋଜ ମିଶ୍ରଙ୍କ ନୂଆବର୍ଷ ସଂକଳ୍ପ କ’ଣ? ୨୦୨୦ ମସିହାରେ କେଉଁ କଥାଟିକୁ ବେଶି ଗୁରୁତ୍ୱ ଦେବାକୁ ଚିନ୍ତା କରିଛନ୍ତି?
ଉତ୍ତର: ମୁଁ ଏଇ ବର୍ଷ ଟିକେ ନିଜ ସ୍ୱାସ୍ଥ୍ୟକୁ ନେଇ ବେଶି ସଚେତନ ହେବି। କାରଣ ପୂର୍ବ ବର୍ଷ ମୋତେ ସ୍ୱାଇନ୍ ଫ୍ଲୁ ହୋଇଥିଲା। ବର୍ଷଟି ବହୁତ ଅଜବ ପ୍ରକାରର କଟିଲା। ମୁଁ ଆଉ ଗୋଟେ ଜନ୍ମ ପାଇବା ପରି କଥାଟି ହୋଇଛି। ତେଣୁ ମୁଁ ଏ ବର୍ଷ ନିୟମିତ ଜିମ୍ ଯିବି, ସ୍ୱାସ୍ଥ୍ୟର ପୂରା ଯତ୍ନ ନେବି।
(ଆପଣଙ୍କ ମୂଲ୍ୟବାନ ସମୟ ଦେଇ ଆମ ସହ ସାମିଲ୍ ହୋଇଥିବାରୁ ଆପଣଙ୍କୁ ‘ସମ୍ବାଦ.ଇନ୍’ ତରଫରୁ ଅନେକ ଶୁଭେଚ୍ଛ। ଆଶା କରିବୁ ଆପଣ ସଦା ସୁସ୍ଥ ରୁହନ୍ତୁ। ଧନ୍ୟବାଦ।)