ଅନେକ ଅଭିନେତ୍ରୀଙ୍କ ସହ କାମ କରିଥିବା ଶ୍ରୀତମ ଦାସ ଜୀବନସାଥୀ ରୂପେ ଜଣେ ସାଧାରଣ ଝିଅଙ୍କୁ କାହିଁକି ବାଛିଲେ ?

ସାକ୍ଷାତ୍‌କାର/ବନ୍ଦନା ମିଶ୍ର

ଭୁବନେଶ୍ୱର: ‘ହାଏ ହାଏ ତୋ ମଲ୍ଳୀଫୁଲ ଗଜରା…’, ‘ଯୌବନ ସାଗରରୁ ଶାମୂକାଟେ ଖୋଜୁଥିଲି…’ ଓ ‘ବେଶି ନ ହେଲେ ବି ତମେ ଭଲପାଉଛ ଟିକେ ଟିକେ…’ ଆଦି ସେ ସମୟର ଆଲ୍‌ବମ୍‌ ଗୀତ ମନେ ପଡ଼ିଲେ ମନେପଡ଼ନ୍ତି ଶ୍ରୀତମ ଦାସ। ସେ ‘ସାବିତ୍ରୀ’ ସିନେମା ପାଇଁ ପ୍ରଥମେ ଅଭିନୟ ସ୍ୱାକ୍ଷର କରିଥିଲେ ବି ଦର୍ଶକ କିନ୍ତୁ ଆଗ ତାଙ୍କୁ ଆଲ୍‌ବମରେ ଦେଖିଥିଲେ। ତାଙ୍କର ପ୍ରଥମ ଆଲବମ୍‌ ‘ତୋର ମୋର କଥା ହେବା ଚୁପ୍‌ଚାପ…’ ପରେ ସେ ଦର୍ଶକଙ୍କୁ ଶତାଧିକ ଆଲବମ୍‌ ଦେଇଛନ୍ତି।

କେବଳ ଆଲବମ୍‌ ନୁହେଁ, ବହୁ ଓଡ଼ିଆ ଚଳଚ୍ଚିତ୍ରରେ ବି ନାୟକ ଭୂମିକା ନିଭାଇଛନ୍ତି ଶ୍ରୀତମ। ‘ଜୀବନସାଥୀ’ ତାଙ୍କର ରିିଲିଜ୍‌ ହୋଇଥିବା ପ୍ରଥମ ଚଳଚ୍ଚିତ୍ର। ୬୦ରୁ ୭୦ଟି ଚଳଚ୍ଚିତ୍ରରେ ନଜର ଆସିଥିବା ଏହି କଳାକାର ଆରମ୍ଭରୁ ନାୟକ ଭୂମିକାରେ ଅଧିକ ନଜର ଆସିଥିଲେ ବି ଧୀରେ ଧୀରେ ଖଳନାୟକ ଚରିତ୍ରରେ ବେଶ୍‌ ଖାପ ଖାଇଛନ୍ତି। ତାଙ୍କର ଉଲ୍ଲେଖନୀୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି, ‘କାଶିଆ କପିଳା,‘ ‘ରହିଛି ରହିବି ତୋରି ପାଇଁ’, ‘ବାହୁଡ଼ିବେ ମୋ ଜଗାବଳିଆ’, ‘ବାଜି’, ‘ତୁ ଥା ମୁଁ ଯାଉଛି ରୁଷି’, ‘ଦିଓ୍ଵାନା ହେଲି ତୋ ପାଇଁ’, ‘ଗୋଲ୍‌ମାଲ୍‌ ଲଭ୍‌’ ଇତ୍ୟାଦି। ଅଭିନେତାରୁ ନିର୍ଦ୍ଦେଶକ ସାଜି ଦୀର୍ଘ ୨୩ ବର୍ଷ ହେବ ଓଲିଉଡ୍‌ରେ ସକ୍ରିୟ ଥିବା ଏହି ସ୍ରଷ୍ଟାଙ୍କ ସହ ଏ ସପ୍ତାହରେ ସ୍ୱତନ୍ତ୍ର ସାକ୍ଷାତ୍‌କାର।

୧. ପ୍ରଶ୍ନ: ଆପଣଙ୍କୁ ନାୟକ ଭାବେ ଦର୍ଶକ ବେଶ୍‌ ଗ୍ରହଣ କରୁଥିଲେ। ଅଚାନକ ଏପରି ଖଳନାୟକ ଚରିତ୍ରଆଡ଼େ କାହିଁକି ମୁହାଁଇଲେ?
ଉତ୍ତର: ଯେମିତି ଖଳନାୟକଟିର ଇଚ୍ଛା ଥାଏ ନାୟକ ହେବାକୁ ସେମିତି ନାୟକର ବି ଇଚ୍ଛା ଥାଏ ଖଳନାୟକ ଭୂମିକାରେ ଆସିବାକୁ। ଭିନ୍ନ ଭିନ୍ନ ଚରିତ୍ର ନିଭାଇବାକୁ ମୋତେ ଭଲ ଲାଗେ। ମୁଁ ଯେତେବେଳେ ସିନେମା ନିର୍ଦ୍ଦେଶନା ଦେଲି ସେହି ସିନେମା ଲାଗି ଖଳନାୟକ ଖୋଜିଲି। ମାତ୍ର ସେଇ ଚରିତ୍ର ମୁଁ ନିଜେ କରେ ବୋଲି ଅନେକ ପରାମର୍ଶ ଦେବା ପରେ ମୁଁ ତାହାକୁ କଲି।

୨. ପ୍ରଶ୍ନ: ଶ୍ରୀତମ ଦାସ ଜଣେ ଭଲ ଗାୟକ ବି। ତେବେ ସେ ତାଙ୍କ ନିଜ ଚଳଚ୍ଚିତ୍ରରେ ଏ ଯାଏ ଗୀତ କାହିଁକି ଗାଇନାହାନ୍ତି?
ଉତ୍ତର: ଯେଉଁ କାମରେ ଯାହାର ପରଙ୍ଗମତା ଥାଏ ମୁଁ ସେ କାମ ସେ ବ୍ୟକ୍ତିଙ୍କ ଦ୍ୱାରା କରାଇବାକୁ ଇଚ୍ଛା କରେ। ମୁଁ ଗାଇପାରେ, ମାତ୍ର ମୁଁ ଜଣେ ପାରଙ୍ଗମ କଣ୍ଠଶିଳ୍ପୀ ନୁହେଁ। ମୋର ଯାହା ବି ଦକ୍ଷତା ଅଛି ମୁଁ ତାହାକୁ ବ୍ୟବହାର କରି ଅନ୍ୟ ଦ୍ୱାରା ସେ କାମକୁ ଆହୁରି ଭଲ ଭାବେ କରିବାକୁ ପସନ୍ଦ କରେ। ହୁଏତ ଭବିଷ୍ୟତରେ କେବେ ଗୀତ ଗାଇପାରେ।

୩. ପ୍ରଶ୍ନ: ଆପଣ ଅନେକ ଅଭିନେତ୍ରୀଙ୍କ ସହ କାମ କରିଛନ୍ତି। ସେମାନଙ୍କ ଭିତରୁ କାହାକୁ ଜୀବନସାଥୀ ଭାବେ ନ ବାଛି ଶ୍ରୀତମ ଦାସ ଜଣେ ସାଧାରଣ ଯୁବତୀଙ୍କୁ କାହିଁକି ବିବାହ କଲେ?
ଉତ୍ତର: ଏକା ସାଙ୍ଗରେ କାମ କଲେ କିଛି ଭଲ କଥା ବି ବାହାରକୁ ଆସେ, କିଛି ଖରାପ କଥା ବି ବାହାରକୁ ଆସେ। ମୁଁ କାହାକୁ ଖରାପ କହୁନି। ସମସ୍ତେ ମୋର ଜଣେ ଜଣେ ବନ୍ଧୁ। ମାତ୍ର ମୋ ବ୍ୟକ୍ତିତ୍ୱକୁ ସୁହାଇବା ପରି ଗୁଣ ମୁଁ ମୋ ପତ୍ନୀଙ୍କ ଭିତରେ ହିଁ ପାଇଲି। ମୁଁ ଜଣେ ଘରୋଇ ଝିଅ ଖୋଜୁଥିଲି, ମୋ ପତ୍ନୀ ମୋ ପାଇଁ ଉପଯୁକ୍ତ।

୪. ପ୍ରଶ୍ନ: ଆପଣ ଆପଣଙ୍କ ଝିଅର ଫଟୋ, ଭିଡିଓ ଅଧିକାଂଶ ସମୟରେ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଥାନ୍ତି ଓ ଏକଥା ଯେ କେହି ବି କହିପାରେ ଯେ ସେ ଖୁବ୍‌ ସୁନ୍ଦର। ତେବେ ସେ କ’ଣ ବଡ଼ ହୋଇ ନାୟିକା ହୁଅନ୍ତୁ ବୋଲି ଆପଣ ଚାହାନ୍ତି?
ଉତ୍ତର: ସେକଥା ତା’ ଉପରେ ନିର୍ଭର କରେ। ମାତ୍ର ମୁଁ ଏତିକି କହିବି କି ଯଦି ବି ସେ ଏହି ଦୁନିଆକୁ ଆସେ ତେବେ ପୂରା ପ୍ରସ୍ତୁତ ହୋଇ ଆସିବ। ଶ୍ରୀତମ ଦାସର ଝିଅ ବୋଲି ଗୋଟାଏ ଚଳଚ୍ଚିତ୍ର କରିଦେବ ଓ ତା’ପରେ ବସିପଡ଼ିବ, ତାହା ମୁଁ ଚାହେଁନା। ସବୁଥିରେ ନିଜକୁ ଦକ୍ଷ କରାଇବା ପରେ ଯାଇ ମୁଁ ତା’ର ଅଭିନୟ ବିଷୟରେ ଚିନ୍ତା କରିବି।

୫. ପ୍ରଶ୍ନ: ଆପଣ ଯଦିଓ ବିଜେପିରେ ଅଛନ୍ତି ମାତ୍ର ନିର୍ବାଚନ ଲଢ଼ିନାହାନ୍ତି। କେବେ ନିର୍ବାଚନ ଲଢ଼ିବାର ଇଚ୍ଛା ଅଛି କି?
ଉତ୍ତର: ଦେଖନ୍ତୁ, ଯିଏ ରାଜନୀତିକୁ ଆସନ୍ତି ତାଙ୍କର କୋଉଠି ନା କୋଉଠି ଏପରି ଇଚ୍ଛାଟିଏ ଥାଏ ନିଶ୍ଚୟ। ମୋର ମଧ୍ୟ ଏପରି ଇଚ୍ଛାଟିଏ ଅଛି। କାହିଁକି ନା ସିଧାସଳଖ ଲୋକମାନଙ୍କ ସହ ମିଶିବା ଓ ସେମାନଙ୍କ ସେବା କରିବାର ମଜା କ’ଣ ମୁଁ ଜାଣିଛି। ୨୦୦୧ ମସିହାରୁ ‘ସ୍ୱପ୍ନ ଅର୍ଗାନାଇଜେସନ’ ନାମରେ ମୋର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଛି। ସେ ଅନୁଷ୍ଠାନର ମୁଁ ସାଧାରଣ ସଂପାଦକ। ଆମେ ରାୟଗଡ଼ା, କୋରାପୁଟ, ମୁନିଗୁଡାଠୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ସେବା କରିଛୁ। ସରକାରୀ ସମର୍ଥନ ଦ୍ୱାରା ସରକାରୀ ଲୋକ ଯାଉନଥିବା ନକ୍ସଲ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକୁ ଯାଇ ସିଧାସଳଖ ଲୋକମାନଙ୍କ ସହ ମିଶିବାର ମଜାଟା ମୁଁ ପାଇଛି।

୬.ପ୍ରଶ୍ନ: ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌ ହୁଏକି? ଶ୍ରୀତମଙ୍କ ନାମରେ କେବେ କାଷ୍ଟିଂ କାଉଚ ଅଭିଯୋଗ ଆସିଛି କି?
ଉତ୍ତର: ମୋତେ ଲାଗେ ହୁଏନି ବୋଲି। କାହିଁକି ନା, ଆମ ଇଣ୍ଡଷ୍ଟ୍ରିଟା ଖୁବ୍‌ ସାନ। ସେମିତି କାହା ସହ କାହାର ଭାବପ୍ରବଣ ସଂପର୍କ କଥା ଭିନ୍ନ। ତାହା ସବୁ ଦ୍ୱିପାକ୍ଷିକ ଓ ସହମତିରେ ଘଟେ। ମାତ୍ର କାମ ପାଇଁ କାଷ୍ଟିଂ କାଉଚ କଥାଟା ମୋତେ ବିଶ୍ୱାସ ହୁଏନି। ଆଉ ଏକ ବଡ଼ କଥା ହେଉଛି, ଓଡ଼ିଆ ସିନେମାରେ ଯଦି କିଏ ମାତ୍ର କିଛି ସେକେଣ୍ଡ୍‌ ପାଇଁ ବି ନଜର ଆସୁଛି ଆମେ ତାଙ୍କୁ କଳାକାର କହି ଦେଉଛୁ। ଓଲିଉଡ୍‌ ଷ୍ଟାରଙ୍କ ବିରୋଧରେ କାଷ୍ଟିଂ କାଉଚ୍‌ ଅଭିଯୋଗ ବୋଲି ଶୁଣିବାକୁ ମିଳୁଛି। ମାତ୍ର ବାସ୍ତବ କଥା ହେଉଛି, ଓଲିଉଡ୍‌ କିଛି ତଳ ସ୍ତରର ପିଲାଙ୍କ ପାଇଁ ବଦନାମ ହେଉଛି। କାହାକୁ କଳାକାର କହିବା ଉଚିତ ଓ କିଏ କଳାକାର ନୁହେଁ ତାହାର କିଛି ମାନଦଣ୍ଡ ଏ ଯାଏ ନିର୍ଦ୍ଧାରଣ ହୋଇନି, ତେଣୁ ଏତେ ସବୁ ସମସ୍ୟା।
ଆଉ ବାକି ରହିଲା ମୋ ବିରୋଧରେ ଅଭିଯୋଗ କଥା(ହା ହା)। ସତ କଥା ହେଉଛି ମୋ ମନରେ ଏତେ ଭୟ ଯେ ମୁଁ କେଉଁ ଜୁନିୟର୍‌ ଆର୍ଟିଷ୍ଟ ପାଖରେ ଏକା କେବେ ବସେ ନାହିଁ।

୭. ପ୍ରଶ୍ନ: ଅଧିକାଂଶ ଓଡ଼ିଆ ଚଳଚ୍ଚିତ୍ର କପି। ଯେହେତୁ  ଆପଣ ଜଣେ ନିର୍ଦ୍ଦେଶକ ତେଣୁ ଏହାର କାରଣ କହିବେ କି? ନୂଆପଣ ଥାଇ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବାର ଦକ୍ଷତା କ’ଣ ଆମମାନଙ୍କ ଭିତରେ ନାହିଁ?
ଉତ୍ତର: ବାସ୍ତବ କଥା ହେଉଛି ଦର୍ଶକଙ୍କ ଭିତରେ ଓଡ଼ିଆ ପ୍ରୀତି ନାହିଁ। ଆମେମାନେ ହିଁ ତେଲ୍‌ଗୁ, ହିନ୍ଦୀ ସିନେମା ଦେଖନ୍ତି। ଆମ ଭିତରେ ଏମତି କିଛି ଲୋକ ଅଛନ୍ତି ଯେଉଁମାନେ ଓଡ଼ିଆ ସିନେମା ଦେଖିବାକୁ ସମ୍ମାନହାନୀ ବୋଲି ଭାବନ୍ତି। ସେଥିପାଇଁ ଆମକୁ ବେଳେ ବେଳେ ସେପରି ଢଙ୍ଗର ସିନେମା କରିବାକୁ ପଡ଼େ। କେବଳ ସିନେମା ନୁହେଁ, କିଛି  ଲୋକ ବି ଓଡ଼ିଆରେ କଥା ହେବାକୁ ବି ଲାଜ କରନ୍ତି। ଯଦି କେହି ହିନ୍ଦୀ, ଇଂରାଜିରେ କଥା ହେଉଥାନ୍ତି ତେବେ ତାଙ୍କୁ ଓଡ଼ିଆ କହୁଥିବା ଲୋକଙ୍କ ଅପେକ୍ଷା ବେଶି ସମ୍ମାନ ମିଳେ। ଓଡ଼ିଆଙ୍କର ଭାଷା ପ୍ରୀତି ନାହିଁ ବୋଲି ତ ଦୀର୍ଘ ୨୦ ବର୍ଷ ଧରି ଆମେ ଓଡ଼ିଆ କହି ପାରୁ ନଥିବା ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛି ଚାଲିଛେ।
(ଆପଣଙ୍କ ମୂଲ୍ୟବାନ ସମୟ ଦେଇ ଆମ ସହ ସାମିଲ୍‌ ହୋଇଥିବାରୁ ଆପଣଙ୍କୁ ‘ସମ୍ବାଦ.ଇନ୍‌’ ତରଫରୁ ଅନେକ ଅନେକ ଧନ୍ୟବାଦ)

ସମ୍ବନ୍ଧିତ ଖବର