କର୍କଟ ଆକ୍ରାନ୍ତ ବୋଲି ଶୁଣିବା ମୁହୂର୍ତ୍ତରେ ପାଦ ତଳୁ ଖସି ଯାଇଥିଲା ମାଟି! ପର ମୁହୂର୍ତ୍ତରେ ଏପରି ଭାବେ ନିଜକୁ ସମ୍ଭାଳି ନେଇଥିଲେ ରାଜେଶ୍ୱରୀ

ସାକ୍ଷାତ୍‌କାର/ବନ୍ଦନା ମିଶ୍ର

ଭୁବନେଶ୍ୱର: ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ଓଡ଼ିଆ ଟେଲିଭିଜନ ଦୁନିଆର ଜଣେ ବହୁ ପରିଚିତ ଚେହେରା। ଗୋଟେ ସମୟରେ ଓଡ଼ିଶାର ଘରେ ଘରେ ଲୋକପ୍ରିୟ ପାଲଟିଥିବା ଧାରାବାହିକ ‘ଉଆଁସୀ କନ୍ୟା’ରେ ଖଳନାୟିକା ଅଳକା ଭୂମିକା ନିଭାଇଥିବା ଏହି ଅଭିନେତ୍ରୀ ପରବର୍ତ୍ତୀ ସମୟରେ ‘ତୋ ପାଇଁ ମୁଁ’ ସିିରିୟଲ୍‌ରେ ତାରା ପଟ୍ଟନାୟକ ଚରିତ୍ରରେ ଅବତୀର୍ଣ୍ଣ ହୋଇ ହଇଚଇ ସୃଷ୍ଟି କରନ୍ତି । ଅଭିନୟ ସାଙ୍ଗକୁ ତାଙ୍କ ସଂଳାପ କହିବାର ଶୈଳୀ ଓ ମୁଖଭଙ୍ଗୀ ଦେଖିଲେ ମନେହୁଏ ଖଳନାୟିକା ଚରିତ୍ରକୁ ଏହିପରି ଭାବେ ହିଁ ନ୍ୟାୟ ଦିଆଯାଇପାରେ। ସେ ପ୍ରଥମେ ଆଙ୍କ୍‌ରିଂ ଜରିଆରେ ଗ୍ଲାମର ଦୁନିଆକୁ  ପ୍ରବେଶ କରିଥିଲେ ମଧ୍ୟ ଧାରାବାହିକରେ ହିଁ ବିଶେଷ ଲୋକପ୍ରିୟତା ହାସଲ କରିଛନ୍ତି। ରାଜେଶ୍ୱରୀଙ୍କୁ କେତୋଟି ଚଳଚ୍ଚିତ୍ରରେ ବି ଦେଖିବାକୁ ମିଳେ। ତାଙ୍କ ପ୍ରଥମ ଚଳଚ୍ଚିତ୍ର ହେଉଛି ‘ସତ୍ୟମେବ ଜୟତେ’। ‘ଆରେ ସାଥୀ ଆ’, ‘ବ୍ଲାକ୍‌ମେଲ୍‌’ ଚଚ୍ଚିତ୍ରରେ ବି ସେ ନଜର ଆସିଛନ୍ତି। ତାଙ୍କର ଉଲ୍ଲେଖନୀୟ ଧାରାବାହିକଗୁଡ଼ିକ ଭିତରେ ରହିଛି ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ୱାଭିମାନ’, ‘ଦେବୀ’, ‘କୁମ୍‌କୁମ୍‌’ ଇତ୍ୟାଦି।

ପ୍ରଶଂସକଙ୍କ ପ୍ରଶଂସା ସାଉଁଟିବାରେ ବ୍ୟସ୍ତ ଥିବା ଏହି ଅଭିନୟ ସ୍ରଷ୍ଟା ଅଚାନକ ୨୦୧୯ ମସିହା ଏପ୍ରିଲ୍‌ ୨୫ ତାରିଖରେ ଜାଣିବାକୁ ପାଆନ୍ତି ନିଜ ସଂପର୍କିତ ଏକ ଦୁଃଖଦ ଖବର। କିଛି ସମୟ ପାଇଁ ପାଦ ତଳୁ ମାଟି ଖସିପଡ଼େ ତାଙ୍କର, ଯେତେବେଳେ ଜାଣିବାକୁ ମିଳେ ସେ ମସ୍ତିଷ୍କ ଓ ଫୁସ୍‌ଫୁସ୍‌ଜନୀତ କର୍କଟ ରୋଗର ଚତୁର୍ଥ ପର୍ଯ୍ୟାୟରେ। ହେଲେ ନିଜକୁ ସମ୍ଭାଳନ୍ତି, ନିଜେ ହସି ଅନ୍ୟକୁ ହସାଇବାର ପଣ କରି। ମାତ୍ର ୩ ବର୍ଷ ତଳେ ହୋଇଥିଲା ବିବାହ। ଭଲ କରି ସଂସାର କରିବା ପୂର୍ବରୁ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୁଏ ରାଜେଶ୍ୱରୀଙ୍କ ଜୀବନରେ! ହେଲେ ବି ହାରିବା ଜାଣନ୍ତିନି ସେ। ଭାଗ୍ୟକୁ କି ଭଗବାନକୁ ବି ଦିଅନ୍ତିନି ଦୋଷ। ଦୀର୍ଘ ଜୀବନ ଅପେକ୍ଷା, ସୁନ୍ଦର ଜୀବନର କାମନା ରଖନ୍ତି ସେ। ଏ ସପ୍ତାହରେ ଏପରି ଜଣେ ସାହସିନୀ ଓ ଯୋଦ୍ଧାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତ୍‌କାର।

୧. ପ୍ରଶ୍ନ: କିଛି ଦିନ ତଳେ ଆପଣ ଫେସ୍‌ବୁକ୍‌ରେ ଘୋଷଣା କରିଥିଲେ କି ଆପଣ କର୍କଟ ଆକ୍ରାନ୍ତ ବୋଲି। ଏହି ଖବର ପାଇ ଆପଣଙ୍କ ପ୍ରଶଂସକମାନେ ଶକ୍ତ ଧକ୍କା ପାଇଛନ୍ତି। ସେମାନଙ୍କୁ ଆପଣ କହି ଆଶ୍ୱାସନା ଦେବେ?
ଉତ୍ତର: ମୋର ଏତେ ବଡ଼ ଭାଗ୍ୟ ବା ଭଗବାନଙ୍କ ଆଶୀର୍ବାଦ ଯେ ମୋର ପ୍ରଶଂସକ ବା ଦର୍ଶକ ହୁଅନ୍ତୁ ସେମାନେ ମୋତେ ଏତେ ଭଲପାଆନ୍ତି। ଭଲ ପାଇନଥିଲେ ତ ଧକ୍କା କେବେ ପାଇନଥାନ୍ତେ।

୨. ପ୍ରଶ୍ନ: ବର୍ତ୍ତମାନ ସମୟରେ ଡାକ୍ତରୀ ବିଦ୍ୟା ଶୀର୍ଷରେ ପହଞ୍ଚିଛି, କିଛି ଆଉ ଅସାଧ୍ୟ ନାହିଁ। ତା’ପରେ ବି କେଉଁଠି ନା କେଉଁଠି ଆପଣଙ୍କୁ ଭୟ ଲାଗେନି? ହାରିଯିବେ ବୋଲି ଭାବି କେବେ ଡରି ଯାଇଛନ୍ତି କି?
ଉତ୍ତର: ନା, ମୁଁ ଭାବେ ଆଜିର ତାରିଖରେ ମୁଁ ଯେଉଁ ସ୍ଥାନରେ ଅଛି, ସେ ସ୍ଥାନକୁ ଭଗବାନ ହିଁ ଆଣିଛନ୍ତି। ହରାଇ ଦବାର କ୍ଷମତା କେବଳ ତାଙ୍କର ହିଁ ଅଛି। ହେଲେ ମୋ ଭଗବାନ ମୋତେ କେବେ ବି ଦୁର୍ବଳ ଅନୁଭବ କରାଇ ଦେଇନାହାନ୍ତି।

୩. ପ୍ରଶ୍ନ: ଆପଣ ଖୁବ୍‌ ସୁନ୍ଦର, ହେଲେ ଖଳନାୟିକା ହେଲେ କାହିଁକି, କାହିଁକି ନାୟିକା ନୁହେଁ?
ଉତ୍ତର: ହା ହା, ଆପଣ କହୁଛନ୍ତି ମୁଁ ସୁନ୍ଦର। ହେଲେ ମୁଁ ସେମିତି କେବେ ବି ଭାବିନି। ତଥାପି ମୁଁ +୨ ପଢ଼ିଲା ବେଳେ ମୋର ପ୍ରିୟ ଧାରାବାହିକ ଥିଲା ‘କସୌଟୀ ଜିନ୍ଦେଗୀ କି’। ସେଥିରେ ପ୍ରେରଣା ବି ବହୁତ ସୁନ୍ଦର ଥିଲେ ଓ କୋମଲିକା ବି ବହୁତ ସୁନ୍ଦର ଥିଲେ। ତେଣୁ, ନାୟିକା ଓ ଖଳନାୟିକା ଉଭୟଙ୍କ ଚେହେରା ଉପରେ ବହୁତ କାମ କରାଯାଏ। ମୁଁ କେବେ ଖଳନାୟିକା ହୋଇଗଲି ବୋଲି ଭାବି ପଶ୍ଚାତାପ କରେନି।

୪. ପ୍ରଶ୍ନ: ବିବାହକୁ ୩ ବର୍ଷ ହୋଇଗଲାଣି। କେବେ ମାଆ ହେବାର ସ୍ୱପ୍ନ ଦେଖିନାହାନ୍ତି?
ଉତ୍ତର: ମାଆ ହବା ତ ସବୁ ଝିଅଙ୍କ ସ୍ୱପ୍ନ। ହେଲେ ମୁଁ ଆଉ ମୋ ସ୍ୱାମୀଙ୍କର ମିଶି ଗୋଟିଏ ସ୍ୱପ୍ନ ଦେଖିଥିଲୁ। ଆମେ ଭାବିଥିଲୁ ଅନାଥ ଆଶ୍ରମରୁ ପିଲାଟିଏ ଆଣି ତାକୁ ଉପଯୁକ୍ତ ଶିକ୍ଷା ଦେଇ ବଡ଼ ମଣିଷ କରିବୁ। ବେଳ ପଡ଼ିଲେ ନିଜ ପିଲା ବି ଦୂରେଇ ଦିଅନ୍ତି ନ ହେଲେ ସେ ବି ଦୂରେଇ ଦେଇଥାନ୍ତା। ମାତ୍ର ଜଣେ ପିଲା ମଣିଷ ତ ହୋଇ ଯାଇଥାନ୍ତା।

୫. ପ୍ରଶ୍ନ: ଆପଣ କର୍କଟ ଆକ୍ରାନ୍ତ ବୋଲି ପ୍ରଥମେ କେବେ ଜାଣିଲେ ଓ କେମିତି ଥିଲା ଆପଣଙ୍କ ମନର ଅବସ୍ଥା?
ଉତ୍ତର: ପ୍ରଥମେ ୨୦୧୯ ମସିହା ଏପ୍ରିଲ୍‌ ୨୫ ତାରିଖରେ ମୁଁ ଜାଣିଲି ଯେ ମୋତେ କ୍ୟାନ୍‌ସର। କିଛି ସମୟ ପାଇଁ ତ ପାଦ ତଳୁ ମାଟି ଖସି ପଡ଼ିଲା ପରି ଲାଗିଲା। ମାତ୍ର ପୁଣି ଯେତେବେଳେ ଦେଖିଲି ମୋ ବାପା, ସ୍ୱାମୀ ସମସ୍ତେ ଦୁର୍ବଳ ହୋଇ ପଡୁଛନ୍ତି ମୁଁ ନିଜକୁ ସମ୍ଭାଳିଲି। ସ୍ୱାଭାବିକ ହୋଇ ସେମାନଙ୍କ ଦମ୍ଭ ପାଲଟିଲି।

୬. ପ୍ରଶ୍ନ: ଆପଣଙ୍କ ସ୍ୱାମୀ ଆପଣଙ୍କୁ ଖୁବ୍‌ ଭଲପାଆନ୍ତି, ଆପଣଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟ୍‍ ଦେଖିଲେ ଜଣାପଡ଼ିଯାଏ। ଆପଣଙ୍କର ପ୍ରେମ ବିବାହ ନିଶ୍ଚୟ?
ଉତ୍ତର: ନାଇଁ, ପୂରା ବ୍ୟବସ୍ଥିତ ବିବାହ। ସମସ୍ତେ କିନ୍ତୁ ଭାବନ୍ତି ଯେ ଆମର ପ୍ରେମ ବିବାହ। କାହିଁକି ନା, ମୋ ସ୍ୱାମୀ ମୋଠାରୁ ମାତ୍ର ୧୫ ଦିନ ବଡ଼। ମାଟ୍ରିମୋନିଆଲ୍‌ ସାଇଟ୍‌ ଜରିଆରେ ଆମର ବିବାହ ସ୍ଥିର ହୋଇଥିଲା।

୭. ପ୍ରଶ୍ନ: ଭବିଷ୍ୟତକୁ ନେଇ କ’ଣ ସ୍ୱପ୍ନ ରହିଛି। ବିଶେଷ କରି ଧାରାବାହିକରେ ନଜର ଆସୁଥିବା ରଜେଶ୍ୱରୀ ଭଲ ବ୍ୟାନରର ଫିଲ୍ମ ଅଫ୍‌ର ମିଳିଲେ କରିବେ?
ଉତ୍ତର: ଭବିଷ୍ୟତ ବିଷୟରେ ସେତେବେଳେ ଭବାଯାଇପାରେ ଯେତେବେଳେ କାହାର ବର୍ତ୍ତମାନଟା ସ୍ଥିର। ବର୍ତ୍ତମାନ ଯଦି ଠିକ୍‌ ନାହିଁ ଭବିଷ୍ୟତ ବିଷୟରେ କ’ଣ ବା ଭାବିବି? ବାକି ରହିଲା ଫିଲ୍ମ କଥା, ଯଦି ସେପରି ଭଲ ବ୍ୟାନ୍‌ରରୁ ଅଫର୍‌ ମିଳେ ତେବେ ଅଭିନୟ କରିବାର ଇଚ୍ଛା ଅଛି ନିଶ୍ଚୟ।

(ଆପଣଙ୍କ ମୂଲ୍ୟବାନ ସମୟ ଦେଇ ଆମ ସହ ସାମିଲ୍‌ ହୋଇଥିବାରୁ ‘ସମ୍ବାଦ.ଇନ୍‌’ ତରଫରୁ ଆପଣଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆମେ ଆପଣଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ)

ସମ୍ବନ୍ଧିତ ଖବର