ନାୟିକା ସୁଲଗ୍ନା ଓ ଦେବସ୍ମିତାଙ୍କ ଭିତରୁ କାହା ସହ କାମ କରିବାକୁ ପସନ୍ଦ କରନ୍ତି ରିଷି, ପରକୀୟା ପ୍ରୀତିକୁ ନେଇ କ’ଣ ରଖନ୍ତି ମତାମତ?

ସାକ୍ଷାତ୍‌କାର/ବନ୍ଦନା ମିଶ୍ର

ଭୁବନେଶ୍ୱର: ଓଡ଼ିଆ ଟେଲିଜଗତର ଲୋକପ୍ରିୟ ନାୟକ ପ୍ରଦୀପ କୁମାର ସାହୁଙ୍କୁ ତାଙ୍କ ପ୍ରଶଂସକମାନେ ରିଷି ନାମରେ ବେଶି ଜାଣନ୍ତି। ସେ ଓଡ଼ିଆ ଧାରାବାହିକ ‘ଦେବୀ’, ‘ତପସ୍ୟା’ରେ ନଜର ଆସିଥିଲେ ବି ‘ଶଂଖା ସିନ୍ଦୂର’ ସିରିୟଲ୍‌ ତାଙ୍କୁ ଦେଇଛି ଭିନ୍ନ ପରିଚୟ। ‘ତୋର ମୋର ପ୍ରେମ କାହାଣୀ’ ଚଳଚ୍ଚିତ୍ରରେ ରିଷି ଅଭିନୟ କରିଥିଲେ ହେଁ ଚଳଚ୍ଚିତ୍ରଟି ଏଯାବତ୍‌ ମୁକ୍ତିଲାଭ କରିନାହିଁ। ତାଙ୍କ ଅଭିନୀତ ଟେଲିଭିଜନ ସିନେମା ‘କୁଳାଙ୍ଗାର’ ବହୁ ଲୋକପ୍ରିୟତା ସାଉଁଟିବାରେ ସମର୍ଥ ହୋଇଛି। ବିଟେକ୍‌ ପାସ୍‌ କରିଥିବା ରିଷି ସଂପ୍ରତି ଓଡ଼ିଶାର ପୁରପଲ୍ଳୀରେ ପରିଚିତ ସିରିୟଲ୍‌ ‘ତୋ ପାଇଁ ମୁଁ’ରେ ମୁଖ୍ୟନାୟକ ଭାବେ ଅବତୀର୍ଣ୍ଣ ହୋଇଛନ୍ତି। ଏ ସପ୍ତାହରେ ତାଙ୍କ ସହ ଏକ ସ୍ୱତନ୍ତ୍ର ସାକ୍ଷାତ୍‌କାର।

୧.ପ୍ରଶ୍ନ: ‘ଶଂଖା ସିନ୍ଦୂର’ ସିରିୟଲ୍‌ରେ ଆପଣଙ୍କ ବିପକ୍ଷରେ ନାୟିକା ସାଜିଥିବ ସୁଲଗ୍ନାଙ୍କ ନାମ ସହ ଆପଣଙ୍କ ନାମ ଯୋଡ଼ା ଯାଇଥିଲା। ଏଥିରେ କେତେ ସତ୍ୟାସତ୍ୟ ଅଛି?
ଉତ୍ତର: ଯେହେତୁ ଆମେ ଦୀର୍ଘ ଦିନ ଧରି ଏକତ୍ର କାମ କଲୁ। ସାଥୀ ହୋଇ ଅନେକ ପାର୍ଟି-ଉତ୍ସବକୁ ଗଲୁ ତେଣୁ ଲୋକ ଭାବିବା ସ୍ୱାଭାବିକ ଯେ ଆମ ଭିତରେ ସମ୍ବେଦନଶୀଳ ସଂପର୍କଟିଏ ରହିଛି। ମାତ୍ର ସେପରି କିଛି ବି ନାହିଁ।

୨.ପ୍ରଶ୍ନ: ବର୍ତ୍ତମାନ ଆପଣ ‘ତୋ ପାଇଁ ମୁଁ’ରେ ନାୟିକା ଦେବସ୍ମିତାଙ୍କର ନାୟକ ସାଜିଛନ୍ତି। ସୁଲଗ୍ନା ଓ ଦେବସ୍ମିତାଙ୍କ ଭିତରୁ କାହା ସହ କାମ କଲାବେଳେ ବେଶି ଉପଭୋଗ କରନ୍ତି?
ଉତ୍ତର: ସେମାନେ ନିଜ ନିଜ କ୍ଷେତ୍ରରେ ଭିନ୍ନ। ଯେହେତୁ ସୁଲଗ୍ନା ଡ୍ରାମା ବ୍ୟାକ୍‌ଗ୍ରାଉଣ୍ଡ୍‌ରୁ ଆସିଛନ୍ତି ତ ଅଭିନୟ କ୍ଷେତ୍ରରେ ସେ ବେଶି ପରିପକ୍ୱ। ସେ ଅଭିନୟକୁ ଯେହେତୁ ଟିକେ ଅଧିକ ବୁଝନ୍ତି ତେଣୁ ତାଙ୍କ ସହ କାମ କଲା ବେଳେ ଅଧିକ ଭଲ ଲାଗେ। ଅନ୍ୟ ପକ୍ଷରେ ଦେବସ୍ମିତା ଜଣେ ‘କ୍ବିକ୍ ଲର୍ଣ୍ଣର’ ତେଣୁ ସେ ଅଭିନୟ ଓ ଚରିତ୍ର ବିଷୟରେ ଥରେ ବୁଝିଗଲେ ତାହା ସୁନ୍ଦର ଭାବେ ଉପସ୍ଥାପିତ କରନ୍ତି। ତାଙ୍କର ଭବିଷ୍ୟତ ଉଜ୍ଜ୍ବଳ।

୩.ପ୍ରଶ୍ନ: ‘ଶଂଖା ସିନ୍ଦୂର’ରେ ଆପଣଙ୍କୁ ଦର୍ଶକ ରିଷି ଚରିତ୍ରରେ ଦେଖିବାକୁ ପାଇଥିଲେ। ଆପଣଙ୍କ ବାସ୍ତବ ନାମ ବି ରିଷି। ଅନୁରୋଧକ୍ରମେ ଆପଣଙ୍କୁ ଆପଣଙ୍କ ନିଜ ନାମଟି ମିଳିଛି ନାଁ ଏହା ନିର୍ଦ୍ଦେଶକଙ୍କ ପସନ୍ଦ ?
ଉତ୍ତର: ସେହି ଚରିତ୍ରର ନାଁ ପ୍ରଥମରୁ ଅନୁଭବ ଦିଆଯାଇଥିଲା। ଯେହେତୁ ଆମ ଓଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏହି ନାମରେ ଜଣେ ଷ୍ଟାର୍‌ ଅଛନ୍ତି ସେ ନାମଟିକୁ ବଦଳାଇ ବେଶି ପ୍ରଚଳିତ ହେଉନଥିବା ଏକ ନାମ ରଖିବାକୁ ମୁଁ ପରାମର୍ଶ ଦେଇଥିଲି। ତା’ପରେ ମୋ ନିଜ ନାମ ରଖାଯାଇଥିଲା। ଏହି କାରଣ ହେତୁ ମୁଁ ଖୁବ୍‌ ଖୁସି ହୋଇଛି।

www.facebook.com

୪.ପ୍ରଶ୍ନ: କେଉଁ କଳାକାରଙ୍କ ସହ ଅଭିନୟ କରିବାର ଇଚ୍ଛା ରହିଛି। ଯାହା ସହ ଆଜି ଯାଏ କରିପାରି ନାହାନ୍ତି?
ଉତ୍ତର: ମିହିର ଦାସଙ୍କ ସହ ଅଭିନୟ କରିବାକୁ ପ୍ରବଳ ଇଚ୍ଛା ଅଛି। ଯଦି ମିହିର ଭାଇଙ୍କ ସହ ଅଭିନୟ କରିବାର ସୌଭାଗ୍ୟ କେବେ ମୁଁ ପାଏ ତେବେ ଖୁବ୍‌ ଖୁସି ହେବି। ତାଙ୍କଠାରୁ ଅନେକ କଥା ଶିଖିବାର ଅଛି।

୫.ପ୍ରଶ୍ନ: ଧାରାବାହିକରେ ଚରିତ୍ରଟିଏ ମିଳିଗଲେ ବର୍ଷାଧିକ ଟଙ୍କା ସମସ୍ୟା ରହେ ନାହିଁ। ଏହି କାରଣରୁ ଅନେକ ସିରିୟଲ୍‌ କଳାକାର ଫିଲ୍ମ କରିବାକୁ ନାରାଜ। ଆପଣଙ୍କ କ୍ଷେତ୍ରରେ ବି ଏହି କଥାଟି ପ୍ରଯୁଜ୍ୟ ନା ଆପଣଙ୍କର ଆଗ୍ରହ ନାହିଁ?
ଉତ୍ତର: ଟଙ୍କା କଥାଟା ଯୋଉ କହିଲେ ତାହା ବି ଗୋଟେ କାରଣ। ଏହି କାରଣକୁ ଛାଡ଼ିବା ପରେ ଫିଲ୍ମ ହିଟ୍‌ ହବ କି ନାହିଁ ତା ନେଇ ସନ୍ଦେହ ବି ମନରେ ଅଛି। ଆଜିକାଲି ଅଧିକାଂଶ ଓଡ଼ିଆ ଚଳଚ୍ଚିତ୍ର ହିଟ୍‌ ହେଉନାହିଁ। ପେଟ ପୋଷିବା କଥା ଭାବିଲେ ଚିନ୍ତା ତ ଆସିବ। ହେଲେ ଯଦି ଭବିଷ୍ୟତରେ କିଛି ମୌଳିକ କାହାଣୀର ଭଲ ସିନେମା ଅଫର୍‌ ମିଳିଲେ ମୁଁ ନିଶ୍ଚୟ କରିବି।

୬.ପ୍ରଶ୍ନ: ସିରିୟଲ୍‌ରେ ସବୁବେଳେ ନଟ୍‌ଖଟ୍‌ ଅନ୍ଦାଜରେ ନଜର ଆସୁଥିବା ରିଷିଙ୍କ ବାସ୍ତବ ଜୀବନ କିପରି? ଏମିତି କିଛି ଦୁଃଖ ଅଛି କି, ଯାହାକୁ ପ୍ରଶଂସକଙ୍କ ସହ ବାଣ୍ଟିବାକୁ ଚାହିଁବେ?
ଉତ୍ତର: ଦୁଃଖ ତ ଅନେକ ଅଛି। ମୋର ମାଆ ନାହାନ୍ତି। କୌଣସି କାରଣରୁ ମୁଁ ପୁରସ୍କୃତ ହେଲେ ମୋ ମାଆ ନାହାନ୍ତି ଖୁସି ହେବା ପାଇଁ, ଏହା ମୋ ଜୀବନର ବଡ଼ ଦୁଃଖ। ଘରର ବଡ଼ ପୁଅ ହିସାବରେ ପରିବାର ବୋଝ ମୋ ଉପରେ। ଆର୍ଥିକ ସମସ୍ୟା ବି ରହିଛି। ତେବେ, ଏତେ ସବୁ ଦୁଃଖ ପରେ ମାଆ ନ ଥିବା ଦୁଃଖଟି ମୋତେ ବେଶି କଷ୍ଟ ଦିଏ।

୭.ପ୍ରଶ୍ନ: ଆଜିକାଲି ସମାଜରେ ପରକୀୟା ପ୍ରୀତି ଏକ ସାଧାରଣ କଥା ପାଲଟିଗଲାଣି। ବିବାହିତ ମହିଳା, ପୁରୁଷମାନେ ଜୀବନସାଥୀଙ୍କ ବ୍ୟତୀତ ଅନ୍ୟ କାହାକୁ ପ୍ରେମ କରିବାକୁ ବେଶ୍‌ ବଡ଼ କଥା ବୋଲି ଭାବୁନାହାନ୍ତି। ଏ ନେଇ ଆପଣଙ୍କ ମତ କ’ଣ? ପରକୀୟା ପ୍ରୀତିକୁ ଆପଣଙ୍କ ମାନସିକତା ଗ୍ରହଣ କରେ କି?
ଉତ୍ତର: ପରକୀୟା ପ୍ରୀତିକୁ ସମର୍ଥନ କରେନାହିଁ। କାରଣ ଆମେ ଜଣଙ୍କୁ ଯେଉଁ ପ୍ରତିଶ୍ରୁତି ଦେଉ ତାହା କୌଣସି ବି ପରିସ୍ଥିିିତିରେ ଭାଙ୍ଗିବା ଉଚିତ ନୁହେଁ। ବିବାହ ହେଉଛି ଏକ ପ୍ରତିଶ୍ରୁତିର କଥା। ଏପରି ଏକ ବନ୍ଧନରେ ବାନ୍ଧି ହେବା ପରେ ଅନ୍ୟ କାହାକୁ ପ୍ରେମ କରି ନିଜ ଜୀବନସାଥୀଙ୍କ ଭାବପ୍ରବଣତା ସହ ଖେଳିବା ଆଦୌ ଗ୍ରହଣୀୟ ନୁହେଁ।

(ଆପଣଙ୍କ ମୂଲ୍ୟବାନ୍‌ ସମୟ ଦେଇ ଆମ ସହ ସାମିଲ୍‌ ହୋଇଥିବାରୁ ଆପଣଙ୍କୁ ‘ସମ୍ବାଦ.ଇନ୍‌’ ତରଫରୁ ଅନେକ ଶୁଭେଚ୍ଛା ଓ ଧନ୍ୟବାଦ)

ସମ୍ବନ୍ଧିତ ଖବର