କୋଭିଡ-୧୯ ଲକ୍ଡାଉନ ସତ୍ତ୍ବେ କଡ଼ା ପୁଲିସ ପ୍ରହରା ବଳୟରେ ଅତି ନିରାଡମ୍ବର ଭାବେ ଇରଫାନ୍ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି। ଆଜି ଅପରାହ୍ନ ସାଢେ ୩ଟା ସମୟରେ ପରିବାର ସଦସ୍ୟ, ଆତ୍ମୀୟ ସ୍ବଜନ ଓ ବନ୍ଧୁଙ୍କ ଗହଣରେ ମୁମ୍ବାଇର ବର୍ସୋଭା କବରଖାନାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ଶେଷକୃତ୍ୟ ବେଳେ ଇର୍ଫାନଙ୍କ ପତ୍ନୀ ସୁତପା, ଦୁଇ ପୁତ୍ର ବାବିଲ, ଆୟାନ୍ ଉପସ୍ଥିତ ଥିଲେ। ତେବେ କୋଭିଡ-୧୯ ଲକ୍ଡାଉନ୍ କାରଣରୁ ଉପଯୁକ୍ତ ସାମାଜିକ ଦୂରତା ରକ୍ଷା କରି ଇରଫାନଙ୍କ ଶେଷକୃତ୍ୟ ଅତି ନିରାଡମ୍ବର ଭାବେ ସମ୍ପନ୍ନ କରାଯାଇଛି। ଇର୍ଫାନଙ୍କ ମର ଶରୀର ବାସ ଭବନରୁ କବରଖାନାକୁ ନିଆଯିବା ବେଳେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ସମୁଦାୟ ୨୦ ଜଣ ଶେଷକୃତ୍ୟରେ ସାମିଲ ହୋଇଥିଲେ।
ଶୋକରେ ଡୁବିଲା ବଲିଉଡ୍
ବିଶିଷ୍ଟ ଅଭିନେତା ଇର୍ଫାନ୍ ଖାନ୍ଙ୍କ ପରଲୋକ ଖବର ସମଗ୍ର ବିୟୋଗ ସମସ୍ତ ସିନେପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି। ସମଗ୍ର ବଲିଉଡ୍ ଆଜି ଶୋକରେ ଡୁବିଯାଇଛି। ଇର୍ଫାନ୍ଙ୍କ ବିୟୋଗରେ ଅମିତାଭ ବଚନ, ଶାହରୁଖ ଖାନ୍, ସଲମାନ ଖାନ୍, ଅମୀର ଖାନ, ଅଜୟ ଦେବଗାନ, ଅକ୍ଷୟ କୁମାର, ଅନୁଷ୍କା ଶର୍ମା, କରିନା କପୁର, ସୋନମ କପୁର, ଅର୍ଜୁନ କପୁର, ବରୁଣ ଧାୱନ, ତାପସୀ ପନ୍ନୁ, ଭୂମି ପେଡ୍ନକାର, ଆର୍. ମାଧବନ, ରବିନା ଟଣ୍ଡନ, ପ୍ରମୁଖ ବହୁ ଅଭିନେତା, ନିର୍ଦ୍ଦେଶକ ଓ ଚଳଚ୍ଚିତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷ ଟ୍ବିଟ୍ କରି ଶୋକ ପ୍ରକାଶ କରିଛନ୍ତି।
‘ପିକୁ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁଜିତ ସିର୍କାର ଗଭୀର ଶୋକ ପ୍ରକାଶ କରି ତାଙ୍କ ଟ୍ବିଟ୍ରେ ଉଲ୍ଲେଖ କରିଛନ୍ତି, ‘ହେ, ଇର୍ଫାନ୍ ତୁମେ ଶେଷ ପର୍ଯ୍ୟନ୍ତ ଲଢେଇ କରିଚାଲିଲ। ମୁଁ ତୁମ ପାଇଁ ଗର୍ବିତ। ଆମେ ପୁଣି ଦେଖାହେବା।’ ‘ପିକୁ’ରେ ଇରଫାନ୍ ଖାନଙ୍କ ସହ ଅଭିନୟ କରିଥିବା ଦୀପିକା ପାଦୁକୋନେ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଏକ କଳା ସ୍କ୍ରିନ୍ ପୋଷ୍ଟ କରିବା ସହ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେହିଭଳି ଇର୍ଫାନ୍ଙ୍କ ଶେଷ ଚଳଚ୍ଚିତ୍ର ‘ଅଂଗ୍ରେଜି ମିଡିୟମ୍’ରେ ଇର୍ଫାନ୍ଙ୍କ ସହ ଅଭିନୟ କରିଥିବା କରିନା କପୁର୍ ଶୋକ ପ୍ରକାଶ କରିବା ସହ ତାଙ୍କ ସହ ଅଭିନୟ କରିବାର ସୁଯୋଗ ପାଇଥିବାରୁ ନିଜକୁ ଭାଗ୍ୟବତୀ ବୋଲି ମନେ କରିଛନ୍ତି। ଅଭିନେତ୍ରୀ ସୋନମ୍ କପୁର ଟ୍ବିଟ୍ କରିଛନ୍ତି, ତାଙ୍କ ଖରାପ ସମୟରେ ଇର୍ଫାନ ତାଙ୍କୁ ଯଥେଷ୍ଟ ସାହାଯ୍ୟ କରିଥିଲେ। ଏଣୁ ସେ ତାଙ୍କ ନିକଟରେ ଋଣୀ ବୋଲି ସୋନମ ଉଲ୍ଲେଖ କରିଛନ୍ତି। ଅନୁଷ୍କା ଶର୍ମା ଟ୍ବିଟ୍ କରି କହିଛନ୍ତି, ଇର୍ଫାନ୍ ତାଙ୍କ ପାଇଁ ବଡ଼ ପ୍ରେରଣା ଥିଲେ। ଜୀବନ ଯୁଦ୍ଧରେ ଲଢେଇ କରି ଶେଷରେ ସେମାନଙ୍କୁ ଛାଡ଼ି ଚାଲିଗଲେ। ବରୁଣ ଧାୱନ, ଅର୍ଜୁନ କପୁର ଇର୍ଫାନଙ୍କ ଫଟୋ ଟ୍ବିଟ୍ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।