ଦୁବାଇ ଫିଲ୍ମ ଫେଷ୍ଟିଭାଲ୍‌ରେ ସମ୍ମାନିତ ହେବେ ଇରଫାନ୍‌ ଖାନ୍‌

ମୁମ୍ବାଇ: ଡିସେମ୍ବରରେ ଦୁବାଇରେ ହେବାକୁ ଥିବା ୧୪ତମ ଦୁବାଇ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଇର୍‌ଫାନ୍‌ ଖାନ୍‌ ସମ୍ମାନିତ ହେବାକୁ ଯାଉଛନ୍ତି । ସିନେ-ଶିଳ୍ପକୁ ଉଲ୍ଲେଖନୀୟ ଯୋଗଦାନ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯିବ ବୋଲି ଜଣା ପଡ଼ିଛି ।

ଡିସେମ୍ବର ୬ରୁ ଆରମ୍ଭ ହୋଇ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଫିଲ୍ମ ଫେଷ୍ଟିଭାଲରେ ପ୍ରଥମ ଦିନରେ ୩ ଜଣ ବିଶିଷ୍ଟ ବ୍ୟକ୍ତତ୍ୱଙ୍କୁ ପୁରସ୍କୃତ କରାଯିବ । ସେମାନଙ୍କ ସଫଳତା ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରତି ଉଲ୍ଲେଖନୀୟ ଯୋଗଦାନକୁ ଆଖି ଆଗରେ ରଖି ସେମାନଙ୍କୁ ପୁରସ୍କୃତ କରାଯାଉଛି । ଏହି ୩ ଜଣଙ୍କ ମଧ୍ୟରୁ ଇର୍‌ଫାନ ହେଉଛନ୍ତି ଜଣେ । ୧୯୯୦ ମସିହାରୁ ୨୦୧୭ ପର୍ଯ୍ୟନ୍ତ ସେ ପ୍ରାୟ ୮୦ଟି ଫିଲ୍ମ କରି ସାରିଛନ୍ତି । ବଲିଉଡ୍‌ ସହିତ ବିଭିନ୍ନ ବ୍ରିଟିଶ ଏବଂ ହଲିଉଡ଼ ଫିଲ୍ମରେ ମଧ୍ୟ ସେ ତାଙ୍କର ଅଭିନୟର ଚମତ୍କାରିତା ଦେଖାଇ ସାରିଛନ୍ତି । ତାଙ୍କର କିଛି ଫିଲ୍ମ ଯେମିତିକି ‘ସ୍ଲମ୍‌ଡଗ୍‌ ମିଲିୟନାୟାର’, ‘ଲାଇଫ୍‌ ଅଫ୍‌ ପାଏ’, ‘ଲଞ୍ଚ ବକ୍ସ’ ପାଇଁ ତାଙ୍କ ସମ୍ମାନିତ କରାଯିବ ବୋଲି ଜଣା ପଡ଼ିଛି ।

ଏହି ଫିଲ୍ମ ଫେଷ୍ଟିଭାଲରେ ଇର୍‌ଫାନଙ୍କ ଏକ ଫିଲ୍ମ ‘ସଙ୍ଗ୍‌ ଅଫ୍‌ ସ୍କର୍‌ପିଅନ୍‌’ ପ୍ରଦର୍ଶିତ ହେବ ବୋଲି ଜଣା ପଡ଼ିଥିବା ବେଳେ ଏଥିରେ ୫୧ଟି ଦେଶର ପ୍ରାୟ ୧୪୦ଟି ଫିଲ୍ମ ପ୍ରଦର୍ଶିତ ହେବ ବୋଲି ଜଣା ପଡ଼ିଛି । ଏଥିରେ ଶବାନା ଆଜ୍‌ମି ଏବଂ ସୋନମ କପୁର ଯୋଗ ଦେବେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର