କର୍କଟ ଚିକିତ୍ସା କରିବା ପରେ ଲଣ୍ଡନରୁ ମୁମ୍ବାଇ ଫେରିଲେ ଇର୍‌ଫାନ୍‌ ଖାନ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ କିଛି ମାସ ତଳେ ନିଜ କର୍କଟ ରୋଗ ବିଷୟରେ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇଥିଲେ । ଏହି ଖବର ଆସିବା ପରେ ତାଙ୍କ ପ୍ରଶଂସକମାନେ ଇର୍‌ଫାନ୍‌ଙ୍କ ଆରୋଗ୍ୟ କାମନାରେ ଲାଗି ପଡ଼ିଥିଲେ । ଏବେ ଇର୍‌ଫାନଙ୍କ ପ୍ରଶଂସକମାନଙ୍କ ପାଇଁ ଏକ  ଖୁସି ଖବର ସାମ୍ନାକୁ ଆସିଛି । ଲଣ୍ଡନରେ ନିଜର ଚିକିତ୍ସା କରାଇବା ପରେ ଇର୍‌ଫାନ୍‌ ଖାନ୍‌ ଏବେ ସୁସ୍ଥ ହୋଇ ମୁମ୍ବାଇ ଫେରି ଆସିଥିବା ଖବର ମିଳିଛି । ସୋସିଆଲ ମିଡିଆରେ ଇର୍‌ଫାନଙ୍କ ମୁମ୍ବାଇ ବିମାନ ବନ୍ଦରରୁ ଯାଉଥିବାର କିଛି ଫଟୋ ଭାଇରାଲ ହେଉଛି । ଫଟୋରେ ଇର୍‌ଫାନ୍‌ ନିଜ ମୁହଁ ଲୁଚାଇ ଯାଉଥିବା ଦେଖା ଯାଇଛି । ଯାହା ପାଇଁ ତାଙ୍କ ମୁହଁ ସ୍ପଷ୍ଟ ଜଣା ପଡ଼ି ପାରି ନାହିଁ ।

aajtak.intoday.in

ସୂଚନା ମୁତାବକ, କିଛି ମାସ ତଳେ ନିଜ ଟୁଇଟର ଆକାଉଣ୍ଟ ଜରିଆରେ ଇର୍‌ଫାନ୍‌ ଖାନ୍‌ ତାଙ୍କ ରୋଗ ବିଷୟରେ ଲେଖି ଜଣାଇଥିଲେ । ଏହା ସହ ସେ ନିଜ ରୋଗର ଚିକିତ୍ସା କରାଇବା ପାଇଁ ଲଣ୍ଡନ ଯାଉଥିବା ମଧ୍ୟ ଲେଖିଥିଲେ । ଏବେ ତାଙ୍କ ଭାରତ ଫେରିବାର କାରଣ ସ୍ପଷ୍ଟ ହୋଇ ପାରି ନ ଥିଲେ ମଧ୍ୟ ନିଜ ଚିକିତ୍ସା ସାରି ସେ ସୁସ୍ଥ ହୋଇ ଫେରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର