ନୂଆଦିଲ୍ଲୀ: ପୁଣେରେ ରହୁଥିବା ମରାଠୀ ଅଭିନେତ୍ରୀ ଇଶ୍ୱରୀ ଦେଶପାଣ୍ଡେ ଏବଂ ତାଙ୍କ ବନ୍ଧୁ ଶୁଭମ ଡେଡଗେ ଗଭୀର ପାଣିରେ ବୁଡ଼ିଯାଇ ମୃତ୍ୟୁ ବରଣ କରିଛନ୍ତି। ଉତ୍ତର ଗୋଆର ଅରପୋରା ଅଞ୍ଚଳରେ ଗଭୀର ପାଣିରେ ବୁଡ଼ି ଯାଇଥିବା କାର ଭିତରୁ ପୁଲିସ ଉଭୟଙ୍କ ମୃତଦେହ ଜବତ କରିଛି। ଇଶ୍ୱରୀଙ୍କର ପ୍ରଥମ ମରାଠୀ ଚଳଚ୍ଚିତ୍ର କିଛି ଦିନ ମଧ୍ୟରେ ରିଲିଜ୍‌ ହେବାର ଥିଲା।

Advertisment

୨୫ ବର୍ଷ ବୟସ୍କା ଅଭିନେତ୍ରୀ ଏବଂ ତାଙ୍କର ୨୮ ବର୍ଷିୟ ବନ୍ଧୁ ଶୁଭମ ଡେଡଗେଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ସମ୍ପର୍କରେ ଗୋଆ ପୁଲିସ କହିଛି ଯେ ମଙ୍ଗଳବାର ଅପରାହ୍ନରେ ସେମାନେ ଯେଉଁ କାରରେ ଯାଉଥିଲେ ତାହା ଦ୍ରୁତ ଗତିରେ ଯାଇ ଭାରସାମ୍ୟ ହରାଇ ପାଣିରେ ପଡ଼ିଯାଇଥିଲା। କିଏ କାର ଚଳାଉଥିଲା ତାହା ସ୍ପଷ୍ଟ ହୋଇନାହିଁ।

କାର ଡୋର ଭିତରୁ ଲକ ହୋଇ ଯିବାରୁ ଉଭୟ କାରରୁ ବାହାରି ପାରି ନଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ରାତି ପ୍ରାୟ ୭ ଟାରେ ପ୍ରଥମେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ରାତିସାରା ଚାଲିଥିବା ଉଦ୍ଧାର କାର୍ଯ୍ୟ ପରେ ମଙ୍ଗଳବାର ସକାଳେ ଉଭୟଙ୍କ ମୃତଦେହ କାର ଭିତରୁ ଉଦ୍ଧାର କରାଯାଇଥିଲା।

ଦୁଇଜଣଙ୍କ ହାତରେ ରିଷ୍ଟବ୍ୟାଣ୍ଡ ବନ୍ଧାଥିବା ଦେଖିବାକୁ ମିଳିଛି। ଦୁର୍ଘଟଣାର ପୂର୍ବ ରାତିରେ ଦୁହେଁ କୌଣସି ଏକ କ୍ଲବକୁ ଯାଇଥିବା ପୁଲିସ ଅନୁମାନ କରିଛି। ଶୁଭମ  ପୁଣେର କିର୍କଟୱାଡି ଅଞ୍ଚଳର ବାସିନ୍ଦା ହୋଇଥିବାବେଳେ ଇଶ୍ୱରୀ ଦେଶପାଣ୍ଡେ ମଧ୍ୟ ପୁଣେରେ ରହୁଥିଲେ। ଦୁର୍ଘଟଣାର ସୂଚନା ପାଇବା ମାତ୍ରେ ଉଭୟଙ୍କ ପରିବାର ପୁଣେରୁ ଗୋଆରେ ଆସ ପହଞ୍ଚିଛନ୍ତି।

ଇଶ୍ୱରୀ ଦେଶପାଣ୍ଡେ ଗୋଟିଏ ହିନ୍ଦୀ ଏବଂ ଗୋଟିଏ ମରାଠୀ ଚଳଚ୍ଚିତ୍ରରେ କାମ କରୁଥିଲେ। ମରାଠୀ ଚଳଚ୍ଚିତ୍ରର ସୁଟିଂ ପ୍ରାୟ ସମାପ୍ତ ହୋଇଥିଲା ଏବଂ ଖୁବ୍ ଶୀଘ୍ର ସିନେମା ପରଦାରେ ମୁକ୍ତିଲାଭ କରିବାକୁ ଯାଉଥିଲା ।