ନୂଆଦିଲ୍ଲୀ: କୋରିଓଗ୍ରାଫର ଜାନି ମାଷ୍ଟର ଏକ ମାସରୁ ଅଧିକ ସମୟ ହେବ ଜେଲରେ ବନ୍ଦୀଥିଲେ। ଜଣେ ମହିଳା ଜାନି ମାଷ୍ଟରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ପୋକ୍ସୋ ଆକ୍ଟ ଆଧାରରେ ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ଜାନିଙ୍କୁ ଗିରଫ କରାଯାଇ ଜେଲ ହୋଇଥିଲା।
ଗତଦୁଇଦିନ ତଳେ ତେଲେଙ୍ଗାନା ହାଇକୋର୍ଟ ଜାନି ମାଷ୍ଟରଙ୍କୁ ଜାମିନ ଦେଇଛନ୍ତି। ଜାମିନରୁ ଜେଲରୁ ବାହାରକୁ ଆସିବା ପରେ କୋରିଓଗ୍ରାଫର ଏକ ଭାବପ୍ରବଣ ଭିଡିଓ ସେୟାର କରି କହିଛନ୍ତି,‘ସତ୍ୟ ପଦାକୁ ଆସିବ।’
ଜାନି ମାଷ୍ଟର ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ଦେଖିବାକୁ ମିଳୁଛି ସେ ଜେଲରୁ ଘରେ ପହଞ୍ଚିବା ମାତ୍ରେ ତାଙ୍କ ପିଲାମାନେ ତାଙ୍କୁ ଆଲିଙ୍ଗନ କରି ପକାଉଛନ୍ତି। ଜାନିଙ୍କୁ ପାଇ ତାଙ୍କ ପୁଅ ଭୋଭୋ ହୋଇ କାନ୍ଦି ପକାଉଛନ୍ତି । ଏହାପରେ ଜାନି ମାଷ୍ଟର ପୁଅ ଓ ସ୍ତ୍ରୀଙ୍କୁ ଆଲିଙ୍ଗନ କରି ତାଙ୍କ ମଥାକୁ ଚୁମ୍ବନ ଦେଉଛନ୍ତି।
ଜାନି ମାଷ୍ଟର ମଧ୍ୟ ତାଙ୍କ ପରିବାରକୁ ଭେଟିବା ପରେ ଭାବବିହ୍ବୋଳ ହୋଇଯାଇଥିଲେ। ଭିଡିଓରେ ସେ ତାଙ୍କ ପତ୍ନୀଙ୍କ ଲୁହ ପୋଛୁଥିବାର ନଜର ଆସୁଛନ୍ତି। ଜେଲରୁ ଫେରିବା ପରେ ଜାନିଙ୍କୁ ତାଙ୍କ ପିଲାମାନେ କିଛି କାର୍ଡ ଦେଇ ଘରକୁ ଆସିଥିବାର ଶୁଭେଚ୍ଛା ଜଣାଇଥିଲେ।
ଏହି ଭିଡିଓ ସହିତ ଥିବା କ୍ୟାପସନରେ ଜାନି ମାଷ୍ଟର ଲେଖିଛନ୍ତି - 'ଏହି ୩୭ଦିନ ମଧ୍ୟରେ ଆମଠାରୁ ବହୁତ କିଛି ଛଡ଼ାଇ ନିଆଯାଇଛି । ମୋ ପରିବାର ଏବଂ ଶୁଭେଚ୍ଛୁମାନଙ୍କର ପ୍ରାର୍ଥନା ଆଜି ମୋତେ ଏଠାକୁ ଆଣିଛି । ସତ୍ୟ ଉପରେ ପ୍ରାୟତଃ ଗ୍ରହଣ ଲଗାଯାଇଥାଏ କିନ୍ତୁ ଏହା କେବେ ବି ଲିଭିଯାଏ ନାହିଁ, ଦିନେ ଏହା ସାମ୍ନାକୁ ଆସିଥାଏ। ଜୀବନର ଏହି ପର୍ଯ୍ୟାୟ ଯାହା ଦ୍ବାରା ମୋ ପରିବାର ବି ପ୍ରଭାବିତ ହୋଇଛି । ଏହା ମୋର ହୃଦୟରେ ସବୁଦିନ ପାଇଁ ଏକ କ୍ଷତ ଚିହ୍ନ ହୋଇ ରହିଯିବ ।’