ଫ୍ଲୋରାଲ୍ ଅରଗାଞ୍ଜା ଶାଢ଼ି ପିନ୍ଧି ବିବାହ ଋତୁରେ ନିଜ ଚେହେରାକୁ ସଜେଇଛନ୍ତି ସୁନ୍ଦରୀ ଶ୍ରୀଦେବୀ ତନୟା ଜାହ୍ନବୀ। ଏହି ଶାଢ଼ିର ଦାମ ରହିଛି ମାତ୍ର ୧୯, ୮୦୦ ଟଙ୍କା। ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ସବୁଠୁ ଅଧିକ ଅନୁଗାମୀ ରହୁଥିବା ଏହି ଅଭିନେତ୍ରୀ ପୋଷାକକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଜାହ୍ନବୀ ମୋହିତ ରାୟଙ୍କ ଡ୍ରେସ୍ ଡିଜାଇନ୍କୁ ଆପଣେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଏହି ଶାଢ଼ି ସହ ସେ ଏକ ସ୍ଲିଭ୍ଲେସ୍ ବ୍ଲାଉଜ ପିନ୍ଧିଛନ୍ତି, ଏହାର ରଙ୍ଗ କଞ୍ଚାଆମ୍ବର ରଙ୍ଗ ପରି ଦିଶୁଛି। ଏହା ସହିତ ରୁପାରଙ୍ଗର ଚୁଡ଼ି ଓ କାନରେ ଝୁମୁକା ମଧ୍ୟ ପିନ୍ଧିଛନ୍ତି, ଯାହା ଜାହ୍ନବୀଙ୍କ ଚେହେରାକୁ ଆହୁରି ଉଜ୍ଜ୍ବଳ କରିଛି। ତାଙ୍କ ଆଖିର ନଜର ବି ବେଶ୍ ଶାଣିତ ହେଇଛି। ପୁଣି ସେ ଓଠରେ ବୋଳିଥିବା ଲିପ୍ଷ୍ଟିକ୍ ଚିକ୍ମିକ୍ ଦିଶୁଛି। ପାରମ୍ପରିକ ପୋଷାକରେ ଥିବା ଜାହ୍ନବୀଙ୍କ କପାଳରେ କଳାରଙ୍ଗର ବିନ୍ଦି ମଧ୍ୟ ସୁନ୍ଦର ଲାଗୁଛି। ତାଙ୍କ ମଥାର କେଶ ସମୁଦ୍ରର ଲହର ପରି ଢେଉଢେଉକା ଦେଖାଯାଉଛି। ଏମିତି ବେଶପୋଷାକ ଓ ଅଳଙ୍କାରରେ ସଜେଇ ହେଇଥିବା ଜାହ୍ନବୀଙ୍କ ଚେହେରା ଜଣେ ଅପ୍ସରୀଙ୍କ ପରି ଲାଗୁଛି।
ଏବେ ଜାହ୍ନବୀ ଆନନ୍ଦ ଏଲ୍. ରାୟଙ୍କ ନୂଆ ଫିଲ୍ମ ‘ଗୁଡ୍ ଲକ୍ ଜେରି’ରେ ଅଭିନୟ କରୁଛନ୍ତି। ଏହା ପୂର୍ବରୁ ସେ ଆନନ୍ଦଙ୍କ ସହ ବାପା ବୋନି କପୁର ମିଳିତ ଭାବେ ନିର୍ମାଣ କରିଥିବା ‘ମିଲି’ରେ ଅଭିନୟ କରିଛନ୍ତି। ପୁଣି ଏହା ସହିତ ଜାହ୍ନବୀ ‘ଦୋସ୍ତାନା-୨’ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କ ନଜରକୁ ଆସିବାକୁ ଯାଉଛନ୍ତି। ଚଳଚ୍ଚିତ୍ର ‘ଧଡକ’ ମାଧ୍ୟମରେ ବଲିଉଡ୍ରେ ପ୍ରବେଶ କରିଥିବା ଷ୍ଟାର୍ ଡଟର୍ ଜାହ୍ନବୀ ପ୍ରଥମ ପଦାର୍ପଣରେ ନିଜର ଦକ୍ଷତା ପ୍ରତିପାଦନ କରି ଫିଲ୍ମଫେଆର୍ ଶ୍ରେଷ୍ଠ ଅଭିନେତ୍ରୀର ମୁକୁଟ ପିନ୍ଧିଥିଲେ। ଏହା ମଧ୍ୟରେ ନେଟ୍ଫ୍ଲିକ୍ସରେ ପ୍ରସାରିତ ହେଇଥିବା ‘ଘୋଷ୍ଟ ଷ୍ଟୋରିଜ୍’ ଓ ‘ଗୁଞ୍ଜନ ସକ୍ସେନା: ଦ କାରଗିଲ ଗର୍ଲ’ରେ ନାୟିକା ସାଜିଥିଲେ। ଏହାପରେ ତାଙ୍କୁ ‘ରୁହି’ ମୁଭିରେ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି।