ମୁମ୍ବାଇ: ଜୁଲାଇ ୧୮ ତାରିଖରେ ବାହାର ଖାଦ୍ୟ ଖାଇ ଫୁଡ୍ ପଏଜନିଂର ଶିକାର ହେବା ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ତାଙ୍କ ପିତା ବୋନି କପୁର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ସୂଚନା ଦେଇ ସେ ଜୁଲାଇ ୨୦ ତାରିଖ ଶନିବାର ଦିନ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବା ନିଶ୍ଚିତ କରିଛନ୍ତି।
ଶନିବାର ସକାଳେ ଜାହ୍ନବୀଙ୍କୁ ଡିସଚାର୍ଜ କରାଯାଇଛ। ସେ ବର୍ତ୍ତମାନ ବହୁତ ଭଲ ଅଛନ୍ତି ବୋଲି ଖବର ନିଶ୍ଚିତ କରି ବୋନି କପୁର କହିଛନ୍ତି। ଅଭିନେତ୍ରୀଙ୍କର ବର୍ତ୍ତମାନ ଭଉଣୀ ଖୁସି କପୁର ଏବଂ ପ୍ରେମିକ ଶିଖର ପହରିଆଙ୍କ ସମେତ ତାଙ୍କ ପରିବାର ଯତ୍ନ ନେଉଛନ୍ତି। ବୁଧବାର ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ବାହାର ଖାଦ୍ୟ ଖାଇବାକୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିବା ଜଣାପଡ଼ିଥିଲା।
ଜାତୀୟ ଗଣମାଧ୍ୟମ ମୁତାବକ, ଜାହ୍ନବୀ କପୁର ଚେନ୍ନାଇ ଯାଇଥିଲେ। ମଙ୍ଗଳବାର ସେଠାରୁ ଫେରୁଥିବା ସମୟରେ ବିମାନବନ୍ଦରରେ କିଛି ଖାଦ୍ୟ ଖାଇଥିଲେ। ଏହା ପରେ ସେ ଘରକୁ ଫେରିଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ଫୁଡ ପଏଜନିଂ ହୋଇଥିବା ଜଣାପଡ଼ିବା ସହ ଜାହ୍ନବୀ ଦୁର୍ବଳ ଅନୁଭବ କରିବାରୁ ଡାକ୍ତର ତାଙ୍କୁ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ ପରେ ଏବେ ଜାହ୍ନବୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଚିକିତ୍ସା ପରେ ସେ ସୁସ୍ଥ ହେଉଥିବାରୁ ଶୁକ୍ରବାର ସେ ଡିସଚାର୍ଜ ହୋଇପାରନ୍ତି ବୋଲି କୁହାଯାଉଛି।
ତେବେ ଜାହ୍ନବୀ କପୁର ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଉଲଝ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଥିବା ବେଳେ ଅଗଷ୍ଟ ୨ରେ ଏହା ପ୍ରେକ୍ଷାଳୟରେ ରିଲିଜ୍ ହେବ।