ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଟକ୍ ସୋ କଫି ଉଇଥ୍ କରନ୍-୮କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଚଳିତ ସିଜିନରେ ଅନେକ ସେଲିବ୍ରିଟି ସୋ’କୁ ଆସି ସେମାନଙ୍କର ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ସହ ଜଡିତ ଅନେକ ରହସ୍ୟ ପ୍ରକାଶ କରିଛନ୍ତି, ଯାହାକୁ ନେଇ ବିବାଦ ମଧ୍ୟ ହୋଇଛି। କିଛି ଦିନ ତଳେ ସୋ’ର ପ୍ରୋମୋ ଭାଇରାଲ ହୋଇଥିବା ବେଳେ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ପ୍ରେମ ଜୀବନ ବିଷୟରେ କଥା କଥାରେ କହିଦେଇଥିଲେ।
ଏବେ ଜାହ୍ନବୀଙ୍କ ଆଉ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ଆଉ କେବେ ବି କୌଣସି ଅଭିନେତାଙ୍କୁ ଡେଟ୍ କରିବେ ନାହିଁ ବୋଲି କହିଛନ୍ତି। କରଣ ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ପ୍ରଥମେ ଶିଖର ପହରିୟାଙ୍କୁ ଡେଟ୍ କରିବା ପରେ ତୁମେ ଅନ୍ୟ ଜଣେ ଷ୍ଟାରଙ୍କୁ ଡେଟ୍ କଲ। ଏହା ପରେ ପୁଣି ଶିଖରଙ୍କୁ ଡେଟ୍ କରିବା ଆରମ୍ଭ କଲ, ଏହା ସତ କି? ଉତ୍ତରରେ ଜାହ୍ନବୀ କହିଥିଲେ ହଁ। ସେ କହିଥିଲେ ଯେ, ଯେତେବେଳେ ମୁଁ ଅନ୍ୟଜଣକୁ ଡେଟ୍ କରୁଥିଲି ସେତେବେଳେ ଶିଖର ଗୀତ ଗାଉଥିଲେ 'ଓ ନାଦାନ ପରିନ୍ଦେ ଘର ଆଜା'। ଆମର ବ୍ରେକ୍ଅପ ହେବା ପରେ ବି ସେ ମୋ ଭଉଣୀ ଓ ବାପାଙ୍କ ଧ୍ୟାନ ରଖିଥିଲେ। ସାଙ୍ଗ ହିସାବରେ ମୋଠାରୁ କିଛି ଆଶା ନକରି ମୋ ପାଇଁ ଅନେକ କିଛି କରିଥିଲେ।
ଅନ୍ୟ ପକ୍ଷରେ ଆଗକୁ କୌଣସି ଅଭିନେତାଙ୍କୁ ଡେଟ୍ କରିବି ନାହିଁ ବୋଲି ସ୍ପଷ୍ଟ କରି ଜାହ୍ନବୀ କହିଥିଲେ ଯେ, ଅଭିନେତା ହେଲେ ସେମାନଙ୍କ ମଧ୍ୟରେ ସବୁବେଳେ ପ୍ରତିଯୋଗିତା କରିବାର ମନୋଭାବ ଥାଏ। ସେମାନେ ଭଲପାଇବାକୁ ସମୟ ଦିଅନ୍ତି ନାହିଁ। ତେଣୁ ମୁଁ କୌଣସି ଅଭିନେତାଙ୍କୁ ଡେଟ୍ କରିବାକୁ ଚାହୁନାହିଁ।