ଜସ୍‌ଲୀନ୍‌ଙ୍କ ବାପା ହିଁ ତିଆରି କରିଥିଲେ ଜସ୍‌ଲୀନ୍‌-ଅନୁପ୍‌ ଯୋଡ଼ି, କେଶର ମଥାରୁଙ୍କ କଥା ମାନି ତାଙ୍କ ଝିଅ ସହ ସୋ’କୁ ଆସିବା ପାଇଁ ରାଜି ହୋଇଥିଲେ ଅନୁପ୍‌, ଜାଣନ୍ତୁ ସେ ରାତିରେ କ’ଣ ଘଟିଥିଲା ଜସ୍‌ଲୀନ୍‌ଙ୍କ ଘରେ…

ମୁମ୍ବାଇ: ଗତ ସପ୍ତାହରେ ବିଗ୍‌ ବସ୍‌ ଆରମ୍ଭ ହେବା ପରେ ସବୁଠାରୁ ଚର୍ଚ୍ଚିତ ଯୋଡ଼ି ହୋଇ ରହିଛି ଅନୁପ୍‌-ଜସ୍‌ଲୀନ୍‌ଙ୍କ ଯୋଡ଼ି । ଦୁଇ ଜଣଙ୍କ ମଧ୍ୟରେ ବୟସର ପାର୍ଥକ୍ୟ ହିଁ ସେମାନଙ୍କୁ ଚର୍ଚ୍ଚାର ପରିସରକୁ ଆଣିଥିବା ବେଳେ ଏବେ ଦୁଇ ଜଣଙ୍କୁ ନେଇ ଆଉ ଏକ ଖୁଲାସା ହୋଇଛି ।
ପ୍ରଥମେ ଜସ୍‌ଲୀନ୍‌ଙ୍କୁ ଅନୁପ୍‌ଙ୍କ ସହ ଦେଖି ଆଶ୍ଚର୍ଯ୍ୟ ହୋଇଥିଲି ବୋଲି କହିଥିବା ଜସ୍‌ଲୀନ୍‌ଙ୍କ ବାପା କେଶର ମଥାରୁ ଏବେ ନିଜର ମତ ବଦଳାଇଥିବା ଜଣା ପଡ଼ିଛି ।

ଜସ୍‌ଲୀନ୍‌ଙ୍କ ସହ ଘର ଭିତରକୁ ଯିବା ପାଇଁ ଅନୁପ୍‌ ଜଲୋଟାଙ୍କୁ ସେ ହିଁ ରାଜି କରାଇଥିଲେ ବୋଲି କହିଛନ୍ତି । ତାଙ୍କ କହିବା ଅନୁଯାୟୀ, “ଆମେ ଅନୁପ୍‌ ଜଲୋଟାଙ୍କୁ ଅନେକ ବର୍ଷ ହେଲା ଜାଣିଛୁ । ଥରେ ସେ ମୁମ୍ବାଇକୁ ରେକର୍ଡ଼ିଂ ପାଇଁ ଆସିଥିଲେ । ମୁଁ ଏହା ଜାଣି ତାଙ୍କୁ ଘରକୁ ଚା’ ପିଇବା ପାଇଁ ଡ଼ାକିଥିଲି । ସେ ଘରକୁ ଆସିବା ପରେ ଜସ୍‌ଲୀନ୍‌ଙ୍କୁ ବିଗ୍‌ ବସ୍‌ରେ ସୁଯୋଗ ମିଳିଥିବା କଥା ମୁଁ ତାଙ୍କୁ ଜଣାଇଥିଲି । କିନ୍ତୁ ଜସ୍‌ଲୀନ୍‌ଙ୍କୁ ଯୋଡ଼ି ମିଳୁ ନଥିବାରୁ ସେ ଚାହିଁଲେ ବି ଯାଇ ପାରୁ ନାହାନ୍ତି ବୋଲି ମୁଁ ଅନୁପ୍‌ଙ୍କୁ ଜଣାଇଥିଲି । ମୋଠାରୁ କ’ଣ ଚାହଁ ବୋଲି ସେ ମୋତେ ପଚାରିବା ପରେ ମୁଁ ତାଙ୍କୁ ଜସ୍‌ଲୀନ୍‌ଙ୍କ ଯୋଡ଼ିଦାର ହେବା ପାଇଁ କହିଥିଲି । ଯାହା ଶୁଣି ସେ ‘ମୋର ବୟସ ହୋଇଗଲାଣି । ଏ ସମୟରେ ଯିବା ଠିକ୍‌ ହେବ ନାହିଁ’ ବୋଲି କହିଥିଲେ । କିନ୍ତୁ ତାଙ୍କୁ ବାରମ୍ବାର ବୁଝାଇବା ସହ ବିଗ୍‌ ବସ୍‌ ଗଲେ ଆପଣଙ୍କୁ ୩ମାସ ଆରାମ କରିବାକୁ ମିଳିବ ବୋଲି କହିବା ପରେ ଯାଇ ସେ ରାଜି ହୋଇଥିଲେ । କିନ୍ତୁ ମୁଁ ଏକ ଗୁରୁ-ଶିଷ୍ୟ ଯୋଡ଼ି କରିବାକୁ ଚାହୁଁଥିଲି । ସେଠାକୁ ଯିବା ପରେ ଦୁହିଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ଜାଣି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଛି । ଯାହା ପରେ ମୁଁ ଏବଂ ମୋ ପରିବାର ଏବେ ଟିଭି ଦେଖିବା ବନ୍ଦ କରି ଦେଇଛୁ” ବୋଲି କେଶର ଜଣାଇଛନ୍ତି ।

ସମ୍ବନ୍ଧିତ ଖବର