ଦର୍ଶକଙ୍କ ମନ କିଣୁଛନ୍ତି ଝଲକ୍, ‘ରାଧାକୃଷ୍ଣନ୍‌’ର ରୁକ୍ମିଣୀରୁ ‘ବ୍ରଜକେ ଗୋପାଲ’ର ରାଧାରାଣୀ

ମୁମ୍ବାଇ:  କଥାରେ କହନ୍ତି, ନିଶା ଯେତେବେଳେ ପେସା ପାଲଟିଯାଏ ସେତେବେଳେ ଜୀବନଟା ସରସ ସୁନ୍ଦର ହେବା ସହ ଆପଣା ଛାଏଁ ଆତ୍ମତୃପ୍ତି ଅଜାଡ଼ି ହୋଇପଡ଼େ। ତେବେ ଆହରିତ ପେସା ଅପେକ୍ଷା ଆଧାରିତ ପେସା ହିଁ ଶ୍ରେୟସ୍କର। ଅର୍ଥାତ୍‌ ପରିସ୍ଥିତିରେ ପଡ଼ି କୌଣସି ପେସାକୁ ଆପଣେଇବା ଅପେକ୍ଷା ନିଜର ଆଧାର ପାଲଟିଥିବା ପେସା ହିଁ ଜୀବନରେ ଅଧିକ ସାର୍ଥକତା ଆଣିଥାଏ। ଟିଭି ଅଭିନେତ୍ରୀ ଝଲକ ଦେଶାଇ ହେଉଛନ୍ତି ଏହାର ଜଣେ ଜ୍ବଳନ୍ତ ଉଦାହରଣ। ଅଭିନେତ୍ରୀ ଜନନୀଙ୍କ ଜଠରରୁ ସତେ ଯେମିତି ତାଙ୍କ ଜୀବନର ଜୟଯାତ୍ରା ଆରମ୍ଭ ହୋଇଥିଲା! ମୁମ୍ବାଇରେ ୧୯୯୨ ଡିସେମ୍ବର ୨୧ରେ ଏକ ହିନ୍ଦୁ ପରିବାରରେ ଗୁଜରାଟୀ ଅଭିନେତ୍ରୀ ଫାଲ୍‌ଗୁନି ଦେଶାଇଙ୍କ କୋଳ ମଣ୍ଡନ କରିଥିବା ଝଲକ ଜୈବ ପ୍ରଯୁକ୍ତି ବିଦ୍ୟାରେ ସ୍ନାତକ ଡିଗ୍ରି ସାରିଛନ୍ତି। ତେବେ ତାଙ୍କ ରକ୍ତରେ ପ୍ରବାହିତ ଅଭିନୟର ସଂକେତ ହିଁ ତାଙ୍କୁ ଜଣେ ପୋଖତ ଅଭିନେତ୍ରୀ ଭାବେ ଗଢ଼ି ତୋଳିଛି। ନିଜ ମାଆ ଜଣେ ଜଣାଶୁଣା କଳାକାର ଥିବାରୁ ଝଲକଙ୍କ ଉପରେ ସେହି ପରିବେଶର ପ୍ରଭାବ ହିଁ ପିଲାଟି ଦିନରୁ ବାରି ହୋଇପଡ଼ିଥିଲା।

ଜଣେ ଶିଶୁ କଳାକାର ଭାବେ ବିଭିନ୍ନ ମଞ୍ଚ ନାଟକରେ ଅଭିନୟର ଝଲକ ପରଷିବାର ସୁଯୋଗକୁ ଝଲକ ଆଦୌ ହାତଛଡ଼ା କରିନଥିଲେ। ତେବେ ତାଙ୍କର ଏହି ଅନ୍ତର୍ନିହିତ ଗୁଣର ବହୁଳ ପ୍ରସାରିତ ହୋଇଥିଲା ତାଙ୍କର ପ୍ରଥମ ପଦାର୍ପଣ ତଥା ୨୦୦୯ର ଟିଭି ଧାରାବାହିକ ‘ସାଜନ ଘର ଯାନା ହୈ’ ମାଧ୍ୟମରେ। ସେତେବେଳକୁ ସେ ଜଣେ ମେଧାବୀ ଛାତ୍ରୀ ଭାବରେ ସଦ୍ୟ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥା’ନ୍ତି। ତାଙ୍କୁ ଅଭିନୟରେ ଜୀବନ ଗଢ଼ିବା ଲାଗି ଅଜସ୍ର ପ୍ରଶଂସା, ଦର୍ଶକୀୟ ସ୍ବୀକୃତି ଓ ପ୍ରୋତ୍ସାହନ ମିଳିଥିଲା। ମାତ୍ର ଝଲକ ତାଙ୍କର ଦଶମ ଓ ସ୍ନାତକ ଶିକ୍ଷା ସାରିବା ପାଇଁ ଦୀର୍ଘ ପାଞ୍ଚ ବର୍ଷ ପାଇଁ ଅଭିନୟରୁ ନିଜକୁ ସଂପୂର୍ଣ୍ଣ ଦୂରେଇ ରଖିଥିଲେ। ଶେଷରେ ୨୦୧୪ରେ ଶିକ୍ଷା ସରିବା ପରେ ସେ ସୋନି ଟିଭିରେ ପ୍ରସାରିତ ‘ଦିଲ୍‌ ଦେକେ ଦେଖୋ’ ଧାରାବାହିକରେ ପୁଣି ଅଭିନୟ ଜଗତ୍‌କୁ ପ୍ରତ୍ୟାବର୍ତ୍ତନ କରି ଦର୍ଶକମାନଙ୍କୁ ଅଭିଭୂତ କରିଦେଇଥିଲେ। ଏହାପରେ ୨୦୧୫ରେ ‘ହମ୍‌ ଆପ୍‌ କେ ଘର ମେଁ ରହତେ ହେଁ’ରେ ସେ ନିଭାଇଥିବା ମୁଖ୍ୟ ଚରିତ୍ର(ପିଙ୍କି) ଓ ‘ମୁହ ବୋଲି ଶାଦି’ର ଅନମୋଲ ରତନ ସିଂହ ଭୂମିକା ତାଙ୍କୁ ଦର୍ଶକ ମହଲରେ ପ୍ରତିଷ୍ଠିତ କରିପାରିଥିଲା। ସେହିପରି ୨୦୧୬ରେ ‘ଏକ ରିସ୍ତା ସାଝେଧାରି କା’ରେ ନିକିତା ରୂପରେ ସେ ଅଭିନୟ କରିଥିବା ଭିନ୍ନ ପ୍ରକାରର ନକାରାତ୍ମକ ଚରିତ୍ର ମଧ୍ୟ ବେଶ ଗ୍ରହଣୀୟ ହୋଇପାରିଥିଲା। ତେବେ ୨୦୧୭-୧୮ରେ ପ୍ରସାରିତ ଧାରାବାହିକ ‘ଲାଡୋ-୨’ର କୋମଲ ଭୂମିକା ଏବଂ ଅଦ୍ୟାବଧି ଷ୍ଟାର ଭାରତରେ ଚାଲିଥିବା ‘ରାଧାକୃଷ୍ଣନ୍‌’ ଧାରାବାହିକରେ ଦେବୀ ରୁକ୍ମିଣୀ ଭୂମିକା ତାଙ୍କୁ ଘରେ ଘରେ ପରିଚିତ କରିଦେଇଛି।

ଆଗକୁ ଦଙ୍ଗଲ ଟିଭିରେ ପ୍ରସାରିତ ହେବାକୁ ଥିବା ପୌରାଣିକ ଧାରାବାହିକ ‘ବ୍ରଜ କେ ଗୋପାଲ’ରେ ମଧ୍ୟ ଝଲକ ରାଧାରାଣୀ ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ଜଣାଯାଇଛି। ମାଆ ଫାଲ୍‌ଗୁନିଙ୍କ ଲୋକପ୍ରିୟତାର ପୃଷ୍ଠଭୂମି ଓ ନିଜର ଟିଭି ଦର୍ଶକଙ୍କ ଠାରୁ କଳ୍ପନାତୀତ ସମର୍ଥନ ପାଇ ମଧ୍ୟ ଝଲକ ଅଦ୍ୟାବଧି କୌଣସି ସିନେମାରେ ଅଭିନୟ ପାଇଁ ବ୍ୟାକୁଳ ନାହାନ୍ତି କି ସେଥିପ୍ରତି ତତ୍ପରତା ପ୍ରକାଶ କରିନାହାନ୍ତି। ଟିଭି ଧାରାବାହିକ ହିଁ ତାଙ୍କୁ ଅପୂର୍ବ ତୃପ୍ତି ପ୍ରଦାନ କରିଛି ବୋଲି ସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର