ମୁମ୍ବାଇ: ପ୍ରତିଷ୍ଠିତ ବଲିଉଡ ଗୀତିକାର ଜାଭେଦ ଅଖତର ସବୁବେଳେ ଶିରୋନାମାରେ ରହିଥାନ୍ତି। ସେ ସବୁବେଳେ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ କିଛି ନା କିଛି ଏଭଳି କଥା କହିଥାନ୍ତି ଯାହା ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଥାଏ। ନିକଟରେ ଜାଭେଦ ଅଖତର ପ୍ରକାଶ କରିଛନ୍ତି ଯେ "ମୋତେ ମୋ ପୁଅ ଫରହାନ ଅଖତରଙ୍କୁ ଭେଟିବା ପାଇଁ ପାଞ୍ଚ ଦିନ ପୂର୍ବରୁ 'ଆପଏଣ୍ଟମେଣ୍ଟ' ନେବାକୁ ପଡେ।
ଜାଭେଦ ଅଖତର ଆମେରିକା ଯାଇଥିବା ବେଳେ ଏଭଳି କହିଛନ୍ତି। ସେଠାରେ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, "ମୋର ବହୁତ ଛୋଟ ପରିବାର। ପରିବାରରେ ମୋର ପୁଅ-ଝିଅ, ପତ୍ନୀ ଶବାନା ଏବଂ ମୁଁ। ଶବାନା ଏବଂ ମୁଁ ଏକାଠି ରହୁ। ମୋ ଝିଅ ଅଲଗା ଘରେ ରହେ, ମୋ ପୁଅ ଅଲଗା ଘରେ ରହେ। ମୁଁ ଆମେରିକା ଆସିବା ପରେ ଫରହାନଙ୍କୁ କାହିଁକି ଆଣିନି ବୋଲି ସମସ୍ତେ ପଚାରିଲେ। ମୁଁ କହିବାକୁ ଚାହେ ଯେ, ସେ ବେକାର ନୁହନ୍ତି। ତାଙ୍କୁ ଦେଖା କରିବା ପାଇଁ ମୋତେ ଏବେ ୫ଦିନ ଆଗରୁ 'ଆପଏଣ୍ଟମେଣ୍ଟ' ନେବାକୁ ପଡ଼ୁଛି। ଆଗରୁ ଏଭଳି ନଥିଲା। ପୂର୍ବରୁ ଆମେ ଆମ ସମ୍ପର୍କୀୟଙ୍କୁ ନଜଣାଇ ତାଙ୍କ ଘରେ ପହଞ୍ଚୁଥିଲେ ଏବଂ ତାଙ୍କୁ ଭେଟୁଥିଲୁ। ହେଲେ ଏବେ ସେଭଳି ଆଉ ନାହିଁ। ପୂର୍ବରୁ ଆମେରିକାରେ 'ଆପଏଣ୍ଟମେଣ୍ଟ' ନେବା ପରମ୍ପରା ଥିଲା। ଏବେ ଭାରତରେ ବି ଏଭଳି ହେଲାଣି। ସମୟ ସହ ଏଭଳି ପରିବର୍ତ୍ତନ ହୋଇଛି। ଜୀବନ ହିଁ ଏମିତି। ପିଲାମାନେ ନିଜ ନିଷ୍ପତ୍ତି ନେବା ଭଳି ଯୋଗ୍ୟ ହେବା ପରେ ଆମକୁ ସେମାନଙ୍କ ଜୀବନରେ ହସ୍ତକ୍ଷେପ କରିବା ବନ୍ଦ କରିଦେବା ଜରୁରୀ। ଏଥିରେ କିଛି ସମସ୍ୟା ନାହିଁ। ଏବେକାର ଜୀବନଶୈଳୀ ବଦଳିଛି। ଆମକୁ ଏହାକୁ ଗ୍ରହଣ କରିବା ଉଚିତ୍।"