ନୂଆଦିଲ୍ଲୀ: ରଣବୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ‘ରକି ଔର ରାନୀକୀ ପ୍ରେମ କହାନୀ’ ଜୁଲାଇ ୨୮ରେ ରିଲିଜ ହେବାକୁ ଯାଉଛି। ଯେଉଁଥିପାଇଁ ନିକଟରେ ଏକ ପ୍ରିମିୟର ଆୟୋଜିତ କରାଯାଇଥିଲା। ବଲିଉଡର ଅନେକ ବଡ ବ୍ୟକ୍ତିତ୍ୱ ଏଥିରେ ଭାଗ ନେଇଥିଲେ। ଏହା ବ୍ୟତୀତ ଫିଲ୍ମର କାଷ୍ଟ ମଧ୍ୟ ସେଠାରେ ପହଞ୍ଚିଥିଲେ।
ଏହି ପ୍ରିମିୟର ସୋ’ରେ ଅଭିନେତ୍ରୀ ଜୟା ବଚ୍ଚନଙ୍କୁ ବି ଦେଖିବାକୁ ମିଳିଥିଲା। ପ୍ରିମିୟରର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ଜୟା ପାପାରାଜି ବା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ରାଗିଥିବାର ନଜର ଆସିଛନ୍ତି।
ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ଫଟୋଗ୍ରାଫରମାନେ ଜୟା ବଚ୍ଚନଙ୍କୁ ପୋଜ୍ ଦେବାକୁ କହୁଛନ୍ତି, ଯେଉଁଥିରେ ଅଭିନେତ୍ରୀ ନା କହୁଥିବାର ନଜର ଆସିଛନ୍ତି। ଗଣମାଧ୍ୟମ ପ୍ରତିନିଧିମାନେ ଜୋର୍ ପାଟିରେ କହୁଥିବାରୁ ଜୟା ରାଗିଯାଇ ‘ମୁଁ କାଲ ନୁହେଁ। ଚିତ୍କାର କରନ୍ତୁନି, ଆରାମରେ କୁହନ୍ତୁ’ ବୋଲି କହୁଥିବାର ଶୁଣିବାକୁ ମିଳିଛି।
View this post on Instagram
ତାପରେ ଜୟା ବଚ୍ଚନ ରାଗରେ ସେଠାରୁ ଚାଲି ଯାଉଥିବା ବେଳେ ଝିଅ ଶ୍ବେତା ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ ଗଣମାଧ୍ୟମ ପ୍ରତିନିଧିଙ୍କୁ ଚାହିଁ ମୁରୁକା ହସ ମାରୁଛନ୍ତି। ତେବେ ବୋହୂ ଐଶ୍ବର୍ଯ୍ୟା ରାୟଙ୍କୁ ଏହି ପ୍ରିମିୟର୍ ସୋ’ରେ ଦେଖିବାକୁ ମିଳିନଥିଲା।
ଏହି ଭିଡିଓରେ ଲୋକଙ୍କ ଜବରଦସ୍ତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ରାଗ ଦେଖାଇବା ଜୟାଙ୍କ ପାଇଁ କିଛି ନୂଆ କଥା ନୁହେଁ। ପୂର୍ବରୁ ବି ସେ ଅନେକ ଥର ଏହିପରି ଭାବେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।
ତାଙ୍କ ବ୍ୟତୀତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଏବଂ ଶବାନା ଆଜମୀ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏଥିସହିତ କରଣ ଜୋହର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି।