ନୂଆଦିଲ୍ଲୀ:  ହିନ୍ଦୀ ସିନେମା ଜଗତରେ ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କର ଅତୁଳନୀୟ ଅବଦାନ ପାଇଁ ଦାଦା ସାହେବ ଫାଲ୍‌କେ ପୁରସ୍କାର ମିଳିଛି । ଅଶ୍ବିନୀ ବୈଷ୍ଣବ ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସରେ ଏକ ପୋଷ୍ଟ୍‌ କରି ଏହି ସୂଚନା ଦେଇଛନ୍ତି।

Advertisment

ସେ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି କି ‘‘ମୁଁ ଏହା ଘୋଷଣା କଲାବେଳେ ଗୌରବାନ୍ବିତ ଅନୁଭବ କରଛି ଯେ ହିନ୍ଦୀ ସିନେମା ଜଗତରେ ଅତୁଳନୀୟ ଅବଦାନ ପାଇଁ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବିଚାରକମାନେ ଦାଦା ସାବେହ ଫାଲ୍‌କେ ପୁରସ୍କାର ଦେବାକୁ ନିର୍ଣ୍ଣୟ ନେଇଛନ୍ତି। ତାଙ୍କୁ ଏହି ସମ୍ମାନରେ ୭୦ତମ ଜାତୀୟ ଫିଲ୍ମ ପୁରସ୍କାର ଉତ୍ସବରେ ଅକ୍ଟୋବର ୮ ତାରିଖରେ ସମ୍ମାନୀତ କରାଯିବ।’’

ଏହି କ୍ରମରେ ଲୋକପ୍ରିୟ ଅଭିନେତ୍ରୀ ଜୟା ପ୍ରଦା କହିଛନ୍ତି, ‘ମିଥୁନ ଚକ୍ରବର୍ତ୍ତୀଙ୍କର ଅତୁଳନୀୟ ଅବଦାନ ପାଇଁ ଦାଦା ସାହେବ ଫାଲ୍‌କେ ପୁରସ୍କାର ମିଳିଛି। ଦାଦାଙ୍କୁ ମିଳିଛି ଦାଦା ସାବେହ ଫାଲ୍‌କେ ପୁରସ୍କାର। ଏହା ସିନେମା ଜଗତ ଓ ଆମ ପାଇଁ ଗୌରବର ବିଷୟ। କାରଣ ମିଥୁନ ଦା ଜଣେ ମହାନାୟକ। ସେ ଅନେକ ଭାଷାରେ ସିନେମା କରିଛନ୍ତି। ମୋ ପାଇଁ ଏହା ଖୁବ ସ୍ବତନ୍ତ୍ର କି ତାଙ୍କୁ ଏହି ସମ୍ମାନ ମିଳୁଛି କାରଣ ଆମେ ଆଗାମୀ ଦୁଇଟି ସିନେମାରେ ଏକାଠି କାମ କରୁଛୁ। ଆମେ ‘ରିୱାଜ’ ଓ ଦ୍ବିତୀୟ ସିନେମା ‘ଫୌଜି’ ଶେଷ କରି ସାରିଛୁ।  ଯେଉଁଥିରେ ମୁଁ ମିଥୁନ ଚକ୍ରବର୍ତ୍ତୀଙ୍କ ସହିତ ସ୍କ୍ରିନ ସେୟାର କରିଛି।

‘ମୃଗୟା’ ସିନେମାରୁ ମିଥୁନ ତାଙ୍କ ଅଭିନୟ ଯାତ୍ରା ଆରମ୍ଭ କରିଥିୃଲେ। ଏବେ ପର୍ଯ୍ୟନ୍ତ ବି ସେ ତାଙ୍କର ଅଭିନୟ ଯାତ୍ରା ଅବ୍ୟାହତ ରଖିଛନ୍ତି। ଦିନକୁ ଦିନ ମିଥୁନଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି। ଏମିତି ଅନେକ ଫ୍ୟାନ୍ସ ଅଛନ୍ତି ଯେଉଁମାନେ ଆଜି ବି ମିଥୁନଙ୍କ ବେଶଭୁଷା ଶୈଳୀକୁ ଅର୍ଥାତ ତାଙ୍କରି ଭଳି ଠାଣିରେ କଥା କହିବା ଚାଲିବା ପୋଷାକ ପରିଧାନ ଓ କେଶ ସଜ୍ଜାକୁ ଅନୁକରଣ କରିଥାଆନ୍ତି। ପିଲା ଠାରୁ ବୃଦ୍ଧ ମିଥୁନଙ୍କୁ ଖବୁ ଭଲପାଆନ୍ତି।