ଭୁବନେଶ୍ୱର: ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ, ଚିତ୍ରନାଟ୍ୟ ଲେଖକ ଓ ସଂଳାପକାର ବିଜୟ ମିଶ୍ରଙ୍କୁ ସମ୍ମାନ ଜନକ ଜୟଦେବ ପୁରସ୍କାର ଦିଆଯାଇଛି। ଉତ୍କଳ ମଣ୍ଡପରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଶ୍ରୀ ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ସମାରୋହରେ କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଉପସ୍ଥିତ ଥିଲେ। ଏଥି ସହ ବିଭିନ୍ନ ବିଭାଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଗି ମନୋନୀତ ହୋଇଥିବା ସିନେ ପ୍ରତିଭାମାନଙ୍କୁ ପୁରସ୍କୃତ କରାଯାଇଥିଲା।
‘ଭିଜା ମାଟିର ସ୍ୱର୍ଗ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏଥିଲାଗି ଏହାର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯାଇଛି। ଏହାର ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଛି।
ଠିକ ସେହିପରି ମିହିର ଦାସ ଶ୍ରେଷ୍ଠ ଅଭିନେତା ଓ ଅର୍ଚ୍ଚିତା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ଶାନ୍ତିରାଜ ଖୋସଲା ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, ବସନ୍ତରାଜ ସାମଲ ଶ୍ରେଷ୍ଠ ଗୀତିକାର, ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ କରୁଣାକର ଏବଂ ଶ୍ରେଷ୍ଠ ଗାୟିକା ଭାବେ ଅନ୍ତରା ଚକ୍ରବର୍ତ୍ତୀ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ଶ୍ରେଷ୍ଠ କାହାଣୀକାରଭାବେ ଡି ନିରଞ୍ଜନ ରେଡ୍ଡୀ ଏବଂ ଶ୍ରେଷ୍ଠ ସଂଳାପ ଲେଖକ ଭାବେ ନନ୍ଦଲାଲ ମହାପାତ୍ରଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି।